ରାଜଧାନୀରେ ଦୁଇ ଅପରାଧୀଙ୍କୁ ଏନ୍କାଉଣ୍ଟର କରିଛି କମିଶନରେଟ୍ ପୋଲିସ୍, ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା
ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଏନ୍କାଉଣ୍ଟର । ବାଲିଅନ୍ତା ଥାନା ବାଇଚୁଆଁ ଅଞ୍ଚଳରେ ଏନ୍କାଉଣ୍ଟର ହୋଇଛି । ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍କାଉଣ୍ଟର କରିଛି କମିଶନରେଟ୍ ପୋଲିସ । ୨ ଅପରାଧୀ ବିବେକାନନ୍ଦ ମଲ୍ଲିକ ଓ ଅରୁଣ ନାୟକଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଉଭୟଙ୍କୁ ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛ । ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି ।
ପୋଲିସର ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଇଚୁଆଁ ନିକଟରେ ଏକ କାର ଭିତରେ ଡକାୟତି ଯୋଜନା କରୁଥିଲେ ୫ ଜଣ ଦୁର୍ବୃତ୍ତ । ଖବର ପାଇ ସ୍ପେଶାଲ ସ୍କ୍ଵାଡ୍, ସହିଦ ନଗର ଥାନା ପୋଲିସ ଓ ବାଲିଅନ୍ତା ପୋଲିସ ମିଳିତ ଭାବେ ଚଢାଉ କରିଥିଲେ । ପୋଲିସକୁ ଦେଖି ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ । ପୋଲିସ ପାଲଟା ଗୁଳିମାଡ଼ କରିଥିଲା । ତିନି ଜଣ ଖସି ପଳାଇଥିବା ବେଳେ ୨ ଜଣଙ୍କୁ କାବୁ କରିଥିଲା ପୋଲିସ । ଗତ ତିନି ମାସ ହେବ ଏହି ଗ୍ୟାଙ୍ଗ ପୋଲିସର ନିଦ ହଜାଇ ଦେଇଥିଲା । ବାଲିଅନ୍ତା ଆକ୍ସିସ୍ ବ୍ୟାଙ୍କ ୩୫ ଲକ୍ଷ ଲୁଟ୍, ରସୁଲଗଡ଼ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍ ଭଳି ଅନେକ ଘଟଣାରେ ସଂପୃକ୍ତି ରହିଛି ।