ଖଣ୍ଡ ସାହିକୁ ନେଇ ଗର୍ବ କରନ୍ତି ପିଲା ଠୁ ବୁଢ଼ା, ଉନ୍ନତି ପାଇଁ ଏବେ ବି ଜାରି ରହିଛି ପ୍ରୟାସ

ଅନେକ ସମୟରେ ନିଜ ଜନ୍ମ ମାଟିକୁ ଅନେକ ଭୁଲି ଯାଆନ୍ତି । କିନ୍ତୁ ଏବେବି ଅନେକ ଗାଁ ଅଛି ଯେଉଁ ଗାଁର ପାଣି ପବନ  ଓ ପରିବେଶରେ ବଢ଼ି ନିଜକୁ ଗର୍ବ ଅନୁଭବ କରନ୍ତି କିଛି  ଲୋକ । ଏହାରି ଭିତରେ ଏଭଳି ଏକ ଗାଁ ଅଛି  ଯେଉଁଠି ଶତକଡା ୮୦ ଭାଗ ଲୋକେ ଉଚ୍ଚଶିକ୍ଷିତ ଓ ଆତ୍ମ ନିର୍ଭରଶୀଳ । ତେବେ ଆସନ୍ତୁ ଏହି ଉଚ୍ଚ ଶିକ୍ଷିତଙ୍କ ଗାଁ ବିଷୟରେ ଟିକେ ଅଧିକ ଜାଣିବା ।

କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକର ଏକ ଚର୍ଚ୍ଚିତ ଗାଁ ହେଉଛି ଖଣ୍ଡ ସାହି । ଯେଉଁ ଗାଁରେ ଉଚ୍ଚ ଶିକ୍ଷିତଙ୍କ ସଂଖ୍ୟା କଟକ ଜିଲ୍ଲାରେ ପ୍ରଥମ ବୋଲି କୁହନ୍ତି ବାସିନ୍ଦାମାନେ । କାରଣ ଗାଁରେ ଅନେକ ସ୍ଵାଧୀନତା ସଂଗ୍ରାମୀ ସହ ଅରୁଣାଞ୍ଚଳପ୍ରଦେଶର ରାଜ୍ୟପାଳ ସୁରେନ୍ଦ୍ର ଦ୍ୱିବେଦୀଙ୍କ ଜନ୍ମ ମଧ୍ୟ ଏହି ମାଟିରେ । ଏହି ଖଣ୍ଡ ସାହି ଗାଁର ପ୍ରାୟ ଅଧେରୁ ଅଧିକ ବ୍ୟକ୍ତି ବିଭିନ୍ନ ପଦ ପଦବୀରେ ଅଛନ୍ତି ଏବଂ ଉଚ୍ଚ ଶିକ୍ଷିତ ଭାବେ ସମସ୍ତେ ଗାଁକୁ ନେଇ ଗର୍ବ ଅନୁଭବ କରନ୍ତି । ବିଭିନ୍ନ ପର୍ବ ପର୍ବାଣୀରେ ସମସ୍ତେ ଏକାଠି ହେବା ସହ ଗାଁର ଉନ୍ନତି ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି ଏଠାକାର ବାସିନ୍ଦା ।

ଏହି ଗାଁର ସମସ୍ତେ ଆତ୍ମ ନିର୍ଭରଶୀଳ । କେହି କାହାରି ଉପରେ ନିର୍ଭର କରନ୍ତି ନାହିଁ । ପବିତ୍ର ଲୁଣା ନଦୀ କୂଳରେ ଅବସ୍ଥିତ ଏହି ଗାଁରେ ଜଳସେଚନ, ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଆଲୋକୀକରଣର ଉନ୍ନତି ପାଇଁ ଅନେକ କାମ କରାଯାଇଛି । ଏପରିକି ଏହି ଗାଁରେ କେବେ ଚୋରି ହୁଏ ନାହିଁ ଯାହା ପାଇଁ ଏହି ଗାଁକୁ ନେଇ ବେଶ ଗର୍ବ କରନ୍ତି ବାସିନ୍ଦା ।

ଖଣ୍ଡ ସାହି ଗାଁର ମାଟି ହେଉଛି ସ୍ବାଭିମାନୀ ମାଟି । ଏହି ମାଟିରେ ଜନ୍ମିତ ବ୍ୟକ୍ତି  ବିଶେଷଙ୍କର ରହିଛି ସ୍ବତନ୍ତ୍ର ପରିଚୟ, ଯାହାକୁ ନେଇ ଖାଲି ଅଞ୍ଚଳ ନୁହେଁ ବରଂ ସମଗ୍ର ରାଜ୍ୟ ଗର୍ବ ଅନୁଭବ କରେ ।