ରୁଆ ହୋଇଥାନ୍ତା ହେଲେ ପହ୍ଲା ଉପରେ ବିଷ ଔଷଧ ପକାଇ ସବୁ କିଛି ନଷ୍ଟ କରିଦେଲା ଦୁର୍ବୁତ୍ତ

ଜମିରେ ଫଳିବ ସୁନାର ଧାନ ଫସଲ । ଚାଷୀ ମନରେ ଖେଳିଯାଇଥିଲା ଖୁସି । ନିମିଷକରେ ସେ ଖୁସି ଦୁଃଖରେ ପରିବର୍ତ୍ତିତ ହୋଇଗଲା । ମରିଯାଇଛି ସବୁତକ ଧାନ ପହ୍ଲା । ଯେଉଁ ପହ୍ଲା ଏବେ ଶାଗୁଆ ଫରଫର ଦିଶିବା କଥା ତାହା ହେବେ ପୁରା ପାଳ ହୋଇଯାଇଛି । ଗୋଟିଏ କି ଦୁଇ ଏକର ନୁହେଁ ପ୍ରାୟ ୫୦ ଏକର ରୋଇବାକୁ କରାଯାଇଥିବା ପହ୍ଲାର ଏବେ ସମାନ ଅବସ୍ଥା । ଆଉ ଦିନେ ଦୁଇଦିନ ଭିତରେ ଏହି ପହ୍ଲାକୁ ବିଲରେ ରୋଇଥାନ୍ତା ଚାଷୀ । ହେଲେ ତା ପୁର୍ବରୁ ସବୁ ପହ୍ଲାତକ ଉଜୁଡି ଯାଇଛି । ଏହି ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କମଳପୁର ଗାଁର । ପ୍ରଥମ ଥର ପାଇଁ ମହାନଦୀରୁ ଉଠାଜଳ ସେଚନ ପ୍ରକଳ୍ପ ମାଧ୍ୟମରେ ଜମିକୁ ଜଳସେଚନ ପରେ ବେଶ ଖୁସିଥିଲେ ଚାଷୀ । ଡାଳୁଅ ଚାଷ କରି ଭଲ ଦୁଇପାଇସା ଉପାର୍ଜନର ଆଶା ରଖି ଚାଷୀ ଚାଷକାମ ଆରମ୍ଭ କରିଥିଲେ । ହେଲେ ଠିକ ରୋଇବା ପୁର୍ବରୁ ଅଜଣା ଦୁର୍ବୁତ୍ତ ପହ୍ଲା ଉପରେ ବିଷ ଔଷଧ ପକାଇ ଦେଇଛି । ଯାହା ଫଳରେ ସବୁତକ ପହ୍ଲା ଏବେ ପାଳ ହୋଇଯାଇଛି । ଯାହାକୁ ନେଇ ଏବେ ମୁଣ୍ଡରେ ହାତଦେଇ କାନ୍ଦୁଛନ୍ତି ଚାଷୀ ।
କମଳପୁର ଗାଁର ଏଇ ସ୍ଥାନରେ ୫୦ ଜଣ ଚାଷୀଙ୍କର ପାଖାପାଖି ୬୦ ଏକର ଜମିରେ ହୋଇଥାନ୍ତା ଧାନଚାଷ । ଏଥିପାଇଁ ଚାଷୀମାନେ ପହ୍ଲା ପକାଇବା ସହ ଜମିକୁ ପ୍ରସ୍ତୁତ କରିସାରିଥିଲେ । ଆଉ ଦିନେ ଦୁଇଦିନ ଭିତରେ ରୋଆ ଯାଇଥାନ୍ତା । ହେଲେ ତା ପୁର୍ବରୁ ଏବେ ଦୁର୍ବୁତ୍ତର ଏଭଳି କାଣ୍ଡରେ ଉଜୁଡି ଯାଇଛି ସବୁତକ ପହ୍ଲା । ଯାହାକୁ ନେଇ ଏବେ କ୍ଷତିଗ୍ରସ୍ତ ଚାଷୀମାନେ ବୀରମହାରାଜପୁର ଥାନାର ଦ୍ଵାରସ୍ତ ହେବା ସହ ଅଭିଯୋଗ କରଛନ୍ତି । ହେଲେ ପୋଲିସ ପକ୍ଷରୁ ଠିକ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଏବେ କିଭଳି ଚାଷୀମାନେ ଚାଷକରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ତେବେ ଏନେଇ ପୋଲିସର ପ୍ରତିକ୍ରୀୟା ମିଳିପାରିନାହିଁ ।