ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ, ଥାନାରେ ମାମଲା ରୁଜୁ

ଆଳି:  ଏବେ ଚର୍ଚ୍ଚାରେ ବଡ ଘର ବଡ ଗୁମର କଥା । ପଦାରେ ପଡିଲା ଡାକ୍ତର ଦମ୍ପତିଙ୍କ ପରିବାରର ଘରୋଇ କଳି । ସାମନାକୁ ଆସିଲା ଯୌତୁକ ନିର୍ଯାତନା ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡା.ଦେବସ୍ମିତା ଶର୍ମାଙ୍କୁ ନିର୍ଯାତନା । ଶାଶୁଘର ଲୋକ ଯୌତୁକ ଲାଗି ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ମାରି ଦେବାକୁ ଉଦ୍ୟମ କରୁଥିବା ନେଇ ହୋଇଛି ସାଙ୍ଘାତିକ ଅଭିଯୋଗ । ଚଳିତ ନିର୍ବାଚନରେ ଆଳିରୁ ବିଧାୟିକା ପ୍ରାର୍ଥୀ ହୋଇଥିବା ଖୋଦ୍ ଦେବସ୍ମିତା ଶର୍ମା ନିଜେ ଆଳି ଥାନାରେ ଅଭିଯୋଗ କରିଛନ୍ତି ।

ଡାକ୍ତର ଦେବସ୍ମିତା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୨୦୨୨ ମସିହା ଡିସେମ୍ବର ୧୪ରେ ଡାକ୍ତର ରାହୁଲ ପ୍ରତାପ ରାୟଙ୍କ ସହ ତାଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ପରେ କଟକ ସହର ପେଟିନସାହି ବକ୍ସିବଜାରରେ ଶାଶୁଘରେ ରହୁଥିଲେ ଦେବସ୍ମିତା । ହେଲେ ବିବାହର ମାତ୍ର ମାସଟେ ବି ହେଇନି ଶାଶୁ, ଶ୍ୱଶୁର, ଦିଅର, ପିଉସୀ, ପିଉସା, ସ୍ଵାମୀ ସଭିଏଁ ମିଶି ତାଙ୍କୁ ଯୌତୁକ ନିମନ୍ତେ ମାଡ଼ ଗାଳି ଦେବା ଆରମ୍ଭ କରିଦେଇଥିଲେ । ଯାହାକୁ ନେଇ ମୋଟ ୬ ଜଣଙ୍କ ନାମରେ ଦେବସ୍ମିତା ମାମଲା ରୁଜୁ କରିଥିବା ଜଣାପଡିଛି ।

ଦେବସ୍ମିତା ନିଜ ବାପାଙ୍କ ସମ୍ମାନକୁ ଆଖି ସାମ୍ନାରେ ରଖି ଚୁପ ରହୁଥିବାରୁ ଦିନକୁ ଦିନ ଶାଶୁଘର ପକ୍ଷରୁ ନିର୍ଯାତନା ବଢ଼ି ବଢ଼ି ଚାଲିଥିଲା । ଏପଟେ ତାଙ୍କ ସ୍ଵାମୀ ଡା. ରାହୁଲ ପ୍ରତାପ ରାୟ ସବୁ ଦିନ ମଦ୍ୟପାନ କରି ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ କରୁଥିଲେ । ତାଙ୍କ ବାପା ପୂର୍ବରୁ ବିଧାୟକ ଥିବାରୁ ଶାଶୁଘର ଲୋକ ବାପଘରୁ ୫୦ ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ । ଏ ନେଇ ସେ ଟଙ୍କା ପାଇଁ ବାପାଙ୍କୁ ବି ଜଣାଇଥିଲେ । ହେଲେ ଏତେ ଟଙ୍କା ଦେବାକୁ ସେ ସକ୍ଷମ ନୁହଁନ୍ତି ବୋଲି ଜାଣିବା ପରେ ଶାଶୁଘର ଲୋକ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ କରିବା ଆରମ୍ଭ କରି ଦେଇଥିଲେ ।

ସ୍ଵାମୀ ରାହୁଲ ପ୍ରତାପ ମଦ୍ୟପାନ କରି ଘରକୁ ଆସି ଦେବସ୍ମିତାଙ୍କୁ ବି ମଦ ପିଇବାକୁ ବାଧ୍ୟ କରୁଥିବାବେଳେ ସେ ପ୍ରତିବାଦ କରିବାରୁ ତାଙ୍କୁ ସିଗାରେଟ ଚେଙ୍କ ଦିଆଯାଉଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି । ଏହାସହ ସେ ବାହାରେ ଚାକିରି କରିଥିବାରୁ ତାଙ୍କର ସମସ୍ତ ସୁନା ରୁପା ଶାଶୁଙ୍କ ନିକଟରେ ରହିଥିଲା । ତାଙ୍କୁ ସେମାନେ ବିକ୍ରି କରି ଘର କାମରେ ଲଗାଇବା ସହ ତାଙ୍କ ଦରମା ଟଙ୍କା ସ୍ଵାମୀ ନେଇଯାଆନ୍ତି । ବାପଘର ଲୋକ ପୂର୍ବରୁ ଦୁଇ ଥର ଘଟଣାର ଆପୋସ ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସ୍ଵାମୀ ତାଙ୍କ ଉପରେ ପଶୁ ଭଳି ବ୍ୟବହାର କରୁଥିବାରୁ ସେ ନିଃସହାୟ ହୋଇ ଶେଷରେ ଆଳି ଥାନାରେ ଲିଖିତ ଅଭିଯୋଗ ଦେଇ ନ୍ୟାୟ ଭିକ୍ଷା କରିଛନ୍ତି ।

ଏ ନେଇ ଆଳି ଥାନା ଆଇଆଇସି ସବ୍ୟସାଚୀ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ଡାକ୍ତର ଦେବସ୍ମିତା ଶର୍ମାଙ୍କ ଅଭିଯୋଗ ଆସିବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି । ଏ ନେଇ ଦେବସ୍ମିତା କିମ୍ବା ତାଙ୍କ ଶାଶୁଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନଥିବାବେଳେ ଘଟଣାରେ କଣ ସତ କଣ ମିଛ ତାହା ଉଚିତ୍ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like