ଓଡ଼ିଶା ସହ ଥିଲା ମନମୋହନଙ୍କ ପାରିବାରିକ ସମ୍ପର୍କ, ଓଡ଼ିଆ ପୁଅକୁ ବାହା ଦେଇଥିଲେ ଝିଅ
ସାରା ଦେଶରେ ଶୋକର ଛାୟା । ଆଉ ନାହାନ୍ତି ଉଦାରୀକରଣ ଅର୍ଥନୀତିର ସ୍ଥପତି। ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତକାଲି ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ମନମୋହନ ସିଂହଙ୍କ ବିୟୋଗକୁ ଦେଶବାସୀ ସହଜେ ଗ୍ରହଣ କରି ପାରୁ ନାହାନ୍ତି । ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପାଇଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ । ଆଜି ପାଇଁ ଥିବା ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ଦିଲ୍ଲୀ ଏମ୍ସରେ ପରଲୋକ ପରେ ମର ଶରୀରକୁ ତାଙ୍କ ବାସଭବନକୁ ଅଣାଯାଇଛି। ସେଠାରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ।
ଓଡ଼ିଶାରେ ମନମୋହନ ସିଂହଙ୍କ ସମୁଦି ଘର
ଭାରତୀୟ ଅର୍ଥନୀତିର ପ୍ରମୁଖ ସଂସ୍କାରକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଓଡ଼ିଶା ସହ ପାରିବାରିକ ସମ୍ପର୍କ ରହିଥିଲା । ଜଣେ ଅଣ ଓଡ଼ିଆ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ସେ ଓଡ଼ିଆ ଖାଦ୍ୟ, ଓଡ଼ିଆ ପରମ୍ପରା ଓ ଓଡ଼ିଆ ଚାଲି ଚଳଣି ପ୍ରତି ଆକର୍ଷିତ ଥିଲେ। ଯେତେବେଳେ ଓଡ଼ିଶା ଆସୁଥିଲେ କିଛି ସମୟ ଏହି ବାତାବରଣରେ ସମୟ ବିତାଉଥିଲେ।
ଓଡ଼ିଶାରେ ଥିଲା ମନମୋହନ ସିଂହଙ୍କ ସମୁଦି ଘର । ଓଡ଼ିଆ ପୁଅଙ୍କୁ ସେ ନିଜ ଦ୍ଵିତୀୟ ଝିଅ ଦାମନ ସିଂହଙ୍କୁ ବିବାହ ଦେଇଥିଲେ । ଏଣୁ ଓଡ଼ିଶାକୁ ଖୁବ ଭଲ ପାଉଥିଲେ ଭୂତପୂର୍ବ ପ୍ରଧାନମନ୍ତ୍ରୀ । ପଦରେ ରହିବା ପୂର୍ବରୁ ଓ ପରେ ମଧ୍ୟ ଲାଗି ରହିଥିଲା ଓଡ଼ିଶାକୁ ତାଙ୍କର ଯିବା ଆସିବା । ଦାମନ ସିଂହ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ସେଣ୍ଟ ଷ୍ଟିଫେନସ୍ କଲେଜରୁ ସ୍ନାତକ ହାସଲ କରିବା ପରେ ଗୁଜରାଟର IRMA ରେ ରୁରାଲ ମ୍ୟାନେଜମେଣ୍ଟ ଶିକ୍ଷା ଲାଭ କରିଥିଲେ । ସେ ଜଣେ ସୁଲେଖିକା ଭାବେ ମଧ୍ୟ ପରିଚିତ । ୧୯୯୧ ମସିହାରେ ସେ ପୋଲିସ ସେବା ଅଧିକାରୀ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଥିଲେ। ଦାମନଙ୍କ ଡାକ ନାଁ ନୋନୁ। ଶ୍ୱଶୂରଙ୍କ ଘରେ ସେ ଏହି ନାଁରେ ପରିଚିତ ଥିଲେ ।
ସେହିପରି ତାଙ୍କ ଜ୍ୱାଇଁ ହେଉଛନ୍ତି ଜଣେ ଓଡ଼ିଆ, ଗୁଜରାଟ କ୍ୟାଡରର ଭାରତୀୟ ପୋଲିସ ସେବା ଅଧିକାରୀ ଅଶୋକ ପଟ୍ଟନାୟକ। ୧୯୮୩ ବ୍ୟାଚ୍ର ଏହି ଆଇପିଏସ୍ ଜାତୀୟ ଗୁଇନ୍ଦା ଗ୍ରୀଡ୍ ( ନାଟ ଗ୍ରୀଡ୍)ର ସିଇଓ ଭାବେ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ମନମୋହନଙ୍କ କାର୍ଯ୍ୟକାଳ ଶେଷ ପରେ ଅର୍ଥାତ୍ ୨୦୧୬ ମସିହାରୁ ୨୦୧୮ ମସିହା ଯାଏ ଅପରାଧୀ ତଥା ସନ୍ଦିଗ୍ଧଙ୍କୁ ଠାବ କରିବା ପାଇଁ ଗୁଇନ୍ଦା ଗ୍ରୀଡ୍ ନେଟଓ୍ୱର୍କରେ ଯେତେବେଳେ ବ୍ୟାପକ ସଂସ୍କାର କରାଯାଉଥିଲା ସେ ସେହି ସମୟରେ ତାହାର ସିଇଓ ଥିଲେ। ୨୦୦୭ ମସିହାରେ ଅଶୋକଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ମନମୋହନ ସିଂହ ତାଙ୍କୁ ପିନ୍ଧାଇଥିଲେ।
କହିବାକୁ ଗଲେ ମନମୋହନଙ୍କ ପରିବାର ଭଳି ଅଶୋକଙ୍କ ପରିବାର ମଧ୍ୟ ଅତ୍ୟନ୍ତ ସରଳ ଏବଂ ନିର୍ବିବାଦୀୟ । ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜାନୁୟାରୀ ୨୦୧୨ ମସିହାରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ତାଙ୍କ ପତ୍ନୀ ଗୁରୁଶରନ୍ କୌର ଅଶୋକଙ୍କ ଭୁବନେଶ୍ୱର ଘରକୁ ଆସିଥିଲେ । ଅଶୋକଙ୍କ ପରିବାର କଟକର ବାସିନ୍ଦା ହୋଇଥିଲେ ମଧ୍ୟ ଏବେ ଭୁବନେଶ୍ୱରରେ ରହୁଛନ୍ତି । ସେତେବେଳେ ଗୁରୁଶରନଙ୍କ ପାଇଁ ଅଶୋକଙ୍କ ମା’ ରତ୍ନମାଳା ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ ।