ବଞ୍ଚିବାକୁ ଜୀବନ ସହିତ ସଂଗ୍ରାମ କରୁଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଦଶପଲ୍ଲା: ଘରୁ ତଡ଼ିଦେଲେ ପ୍ରଥମ ସ୍ତ୍ରୀ ପୁଅ । ଏବେ ଭଡ଼ାଘରେ ମୁଁ ରୋଗଶଯ୍ୟାରେ ପଡ଼ିଛି । ଚିକିତ୍ସା ପାଇଁ ମୋ ପାଖରେ କୌଣସି ଅର୍ଥ ନାହିଁ । ବହୁ କଷ୍ଟରେ ଅଛି । ଦିନ ଥିଲା ମୁଁ ଦେଶ ପାଇଁ ସେବା କରୁଥିଲି ଏବେ ମୋ ପ୍ରତି ଏତେ ଅବହେଳା କାହିଁକି ? ଏମିତି କିଛି କୋହଭରା କଣ୍ଠରେ କହିଛନ୍ତି ଶଙ୍କର୍ଷଣ ଡାକୁଆ ।

ଦଶପଲ୍ଲାର ୧୨ ନମ୍ବର ୱାର୍ଡ଼ରେ ରହୁଥିବା ତଥା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଇତମା ଅଞ୍ଚଳର ଶଙ୍କର୍ଷଣ ଡାକୁଆ । ବୟସ ପାଖାପାଖି ୬୪ ବର୍ଷ ହେବ । ସେ ଜଣେ ଅବସରପ୍ରାପ୍ତ ସାମରିକ କର୍ମଚାରୀ । ଏବେ ନିଜ ଜୀବନ ବଞ୍ଚାଇବାକୁ ରୋଗଶଯ୍ୟାରେ ରହି ସଂଗ୍ରାମ କରୁଛନ୍ତି । ୨୦୧୯ ମସିହାରେ ଚାକିରିରୁ ଅବସର ନେବା ପରେ ସ୍ଵପ୍ନ ଦେଖୁଥିଲେ ବାକି ସମୟ ହସ ଖୁସିରେ ପରିବାର ସହିତ କାଟିବେ ବୋଲି । କିନ୍ତୁ ନିଅତିର ନିୟମ କିଛି ଅଲଗା ଥିଲା । ହଠାତ୍ ଶଙ୍କର୍ଷଣଙ୍କ ଜୀବନରେ ଘୋଟି ଆସିଲା କଳାବାଦଲ । ତାଙ୍କ ମେରୁଦଣ୍ଡରେ ଟ୍ୟୁମର ହୋଇଗଲା । ଆଉ ସେହିଦିନ ଠାରୁ ସେ ଶଯ୍ୟାଶାୟୀ ହୋଇ ପଡ଼ିରହି ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ସେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକୁରିଟୀ ଫୋର୍ସ (CISF) ରେ ଚାକିରି କରି ପରିବାର ପ୍ରତିପୋଷଣ କରୁଥିଲେ । ତେବେ ଚାକିରି ଜୀବନ ରୁ ଅବସର ନେବା ପରେ ଯାହା ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଥିଲା ସେଥିରେ ସେ ନିଜଗାଁ ମଇତମା ଅଞ୍ଚଳରେ ଏକ ଘର କରିଦେଇଥିବା ବେଳେ ବାକି ଅର୍ଥ ନିଜ ଚିକିତ୍ସାରେ ସାରି ଦେଇଥିଲେ । ତେବେ ପାରିବାରିକ ସମସ୍ୟା ଯୋଗୁଁ ସେ ଦଶପଲ୍ଲାରେ ଆସି ଘର ଭଡ଼ା ନେଇ ରହୁଛନ୍ତି ।

ଶଙ୍କର୍ଷଣଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ବର୍ତ୍ତମାନ ମିଳୁଥିବା ପେନସନ ଟଙ୍କା ନିଜର ଘରଭଡ଼ା ,ମେଡିସିନ ଓ କରିଥିବା ଋଣ ବାବଦକୁ କଟିଯାଉଥିବା ଶଙ୍କର୍ଷଣ ଙ୍କ ପରିବାର ଲୋକେ କହିଥିବାବେଳେ ବଳକା ଟଙ୍କାରେ ସେ ଚଳିବା ପାଇଁ ଅସମ୍ଭବ ହୋଇପଡିଥିବା କହିଛନ୍ତି । ମାତ୍ର ସ୍ବାମୀଙ୍କୁ ଭଲ କରିଦେବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସହଯୋଗ ଲୋଡ଼ିଛନ୍ତି ନିରୁପମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like