ବ୍ଲାକମେଲ କରିବା ପଡ଼ିଲା ମହଙ୍ଗା: FIR କପିରେ ରହିଛି ଅର୍ଚ୍ଚନାଙ୍କ କଳା କାରନାମା, ଯୁବତୀଙ୍କ ଖାଦ୍ୟରେ ନିଶା ଦ୍ରବ୍ୟ ଦେଇ କରୁଥିଲେ ନଗ୍ନ ଭିଡିଓ

ଭୁବନେଶ୍ୱର (କେନ୍ୟୁଜ): ବ୍ଲାକମେଲ କରିବା ପଡ଼ିଲା ମହଙ୍ଗା। ଯେଉଁ ଯୁବତୀଙ୍କୁ ଧରି ବଡ଼ବଡ଼ିଆଙ୍କୁ ନିଜ ନାଗଫାଶରେ ଫସାଉଥିଲେ, ସେହି ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ ହୋଇଛନ୍ତି ଅର୍ଚ୍ଚନା। ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ କରିଥିବା ଯୁବତୀଙ୍କ ଏଫଆଇଆର କପି ସାମନାକୁ ଆସିଛି। ୨୦୧୮ରେ ୨୫ବର୍ଷିଆ ଯୁବତୀ ଜଣକ ଚାକିରି ପାଇଁ ଆସିଥିଲେ ଭୁବନେଶ୍ୱର। ସେତେବେଳେ ଭୁବନେଶ୍ୱର ଜାଗମରାର ପ୍ରମୋଦ ସ୍ୱାଇଁଙ୍କ ଘରେ ଭଡ଼ାରେ ରହିଥିଲେ ଯୁବତୀ।

ଏହାସହ ଏକ୍ସାଇଡ ଇନସୁରାନ୍‌ସ କଂପାନୀରେ କାର୍ଯ୍ୟ କରୁଥିଲେ। ପ୍ରମୋଦ ସ୍ୱାଇଁଙ୍କ ଘରର ତଳମହଲାରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଭଡ଼ାରେ ରହୁଥିଲେ। ଏକାଠି ରହୁଥିବାରୁ ଅଭିଯୋଗକାରୀ ଯୁବତୀ ଓ ଅର୍ଚ୍ଚନାଙ୍କ ମଧ୍ୟରେ ପରିଚୟ ହୋଇଥିଲା। ସେହି ସମୟରେ ଅର୍ଚ୍ଚନାଙ୍କ ଘରକୁ ବହୁ ବଡ଼ବଡ଼ିଆ ଆସୁଥିଲେ। ସେମାନଙ୍କୁ ନିଜର ସଂପର୍କୀୟ ବୋଲି ଯୁବତୀଙ୍କୁ ଜଣାଇଥିଲେ ଅର୍ଚ୍ଚନା।

୨୦୧୯ରେ ଅର୍ଚ୍ଚନା ଅଭିଯୋଗକାରୀ ଯୁବତୀଙ୍କୁ ଚାକିରି ପ୍ରସ୍ତାବ ଦେଇଥିଲେ। ବଡ଼ବଡ଼ିଆ ଓ ଧନୀବ୍ୟକ୍ତିଙ୍କ ସେକ୍ସ ଭିଡ଼ିଓ କରିବା ସହ ସେମାନଙ୍କୁ ବ୍ଲାକମେଲ କରି ପ୍ରଚୁର ଟଙ୍କା ରୋଜଗାର କରିବାର ଲୋଭ ଦେଖାଇଥିଲେ ଅର୍ଚ୍ଚନା। ଏଥିରେ ସେ ପ୍ରଥମେ ଡରିଯାଇଥିଲେ। କିଛିଦିନ ପରେ ଏକ ରବିବାର ରାତିରେ ଅର୍ଚ୍ଚନା, ଜଗବନ୍ଧୁ ଓ ଅର୍ଚ୍ଚନାଙ୍କ ସଂପର୍କୀୟ ଭାଇ ଆସି ତାଙ୍କୁ ଛାତ ଉପରେ ଭୋଜି କରିବାକୁ ଡାକିଥିଲେ। ସେମାନେ ସାଥିରେ ଖାଦ୍ୟ ଓ ପାନୀୟ ଆଣିଥିଲେ। ଖାଦ୍ୟରେ କିଛି ନିଶାଜାତୀୟ ଦ୍ରବ୍ୟ ମିଶିଥିବାରୁ ଏହାକୁ ଖାଇବା ପରେ ସେ ଅଚେତ ହୋଇଯାଇଥିଲେ। ଚେତା ଫେରିବା ବେଳକୁ ସେ ନିଜକୁ ଉଲଗ୍ନ ଅବସ୍ଥାରେ ପାଇଥିଲେ। ସେହିଦିନ ଅର୍ଚ୍ଚନା, ଜଗବନ୍ଧୁ ଓ ତାଙ୍କ ସଂପର୍କୀୟ ଭାଇ ମୋବାଇଲରେ ଯୁବତୀଙ୍କ ନଗ୍ନ ଫଟୋ ଓ ଭିଡିଓ ଉଠାଇ ଥିଲେ।

ଏଘଟଣା ନେଇ ଯୁବତୀଙ୍କ ତାଙ୍କୁ ପଚାରିବାରୁ ସେମାନଙ୍କ କଥା ଅନୁସାରେ କାର୍ଯ୍ୟ ନକଲେ ଯୁବତୀଙ୍କ ନଗ୍ନ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକାଇଥିଲେ। ୨୦୨୦ ଲକ୍‌ଡାଉନ ସମୟରେ ଯୁବତୀ ଜଣକ ନିଜ ଗାଁରେ ଥିଲେ। ଲକ୍‌ଡାଉନ ବେଳେ ଏପ୍ରିଲ ମାସରେ ଅର୍ଚ୍ଚନା ଯୁବତୀଙ୍କୁ ଭୁବନେଶ୍ୱର ଡାକି ଏକ ନୂଆ ମୋବାଇଲ ଫୋନ ଦେଇଥିଲେ। ନୟାଗଡ଼ର ଜଣେ ବ୍ୟକ୍ତିଙ୍କ ସହ ହ୍ଵାଟ୍‌ସଆପରେ ଚାଟିଂ କରିବାକୁ ଯୁବତୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅର୍ଚ୍ଚନା। କଥାବାର୍ତ୍ତା ସମୟରେ ଅର୍ଚ୍ଚନା ନିଜର ଓ ଅନ୍ୟ ବ୍ୟକ୍ତିଙ୍କର ନଗ୍ନ ଭିଡିଓକୁ ରେକର୍ଡିଂ କରି ନେଇଥିଲେ। ଏହାକୁ ନେଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବାର ଧମକ ଦେଇ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ହାତେଇଥିଲା ଅର୍ଚ୍ଚନା। ସେଥିରୁ ଯୁବତୀଙ୍କୁ ୫୦ହଜାର ଟଙ୍କା ଦେଇଥିଲା। ଅଭିଯୋଗକାରୀ ଯୁବତୀ ଟଙ୍କା ମାଗିବାରୁ ଅର୍ଚ୍ଚନା ତାଙ୍କ ନଗ୍ନ ଫଟୋ ଓ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲା।

ଏହାପରେ ଭୟଭୀତ ହୋଇ ଯୁବତୀ ଜଣକ ନିଜ ଗାଁକୁ ପଳାଇଯାଇଥିଲେ। ପରେ ଆଉ ଥରେ ଯୁବତୀଙ୍କୁ ଅର୍ଚ୍ଚନା ଜାଗମରା ଘରକୁ ଡାକି ଫିଲ୍‌ମ ପ୍ରଯୋଜନ ଅକ୍ଷୟ ପରିଜାଙ୍କ ମୋବାଇଲ ନମ୍ବର ଦେଇ ଚାଟିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। ଦିନରେ ଅର୍ଚ୍ଚନା ଅକ୍ଷୟ ପରିଜାଙ୍କୁ ଜାଗମରାସ୍ଥିତ ଘରକୁ ଆଣି ଯୁବତୀଙ୍କ ମିଶାଇବା ସହ ଚତୁରତାର ସହ ଭିଡିଓ ରେକର୍ଡିଂ କରିଥିଲା। ଏହା ପରେ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବାକୁ ଧମକାଇଥିଲା ଅର୍ଚ୍ଚନା। କିନ୍ତୁ ଏହି ଭିଡିଓ ମର୍ଫ କରାଯାଇଥିବା କହିଥିଲେ ଅକ୍ଷୟ ପରିଜା। ପରେ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ ଯୁବତୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.