ଉତ୍ତର ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ଘରଦ୍ବାର, ଉପାଡିଲା ଗଛ

ଭୁବନେଶ୍ୱର : ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । କାଳବୈଶାଖୀ ପ୍ରଭାବରେ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି ବିଭିନ୍ନ ଅଞ୍ଚଳର ଲୋକ । ନୂଆପଡ଼ା, ବଣାଇ, କେନ୍ଦୁଝର, ବାଲେଶ୍ବର ଆଦି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କେଉଁଠି ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି, ତ ଆଉ କେଉଁଠି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । ପୁଣି କେଉଁଠି ଗଛ ପଡ଼ି ଲାଇନ୍‌ କଟି ଯାଇଛି । ଅନେକ ସ୍ଥାନରେ ଲୋକଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ସେହିପରି ବାଲେଶ୍ବରରେ ତାଣ୍ଡବ ରଚିଛି କାଳବୈଶାଖୀ । ବସ୍ତା, ଜଳେଶ୍ବର, ନୀଳଗିରି, ସୋରରେ ବର୍ଷା ହୋଇଛି ।  କିଛି ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷା ଦେଖିବାକୁ ମିଳିଛି । ଗୋଟେ ପଟେ ଗରମରୁ ଆଶ୍ବସ୍ତି ମିଳିଥିଲେ ବି ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିବାରୁ ଅନ୍ଧାରରେ ଅଛନ୍ତି ଲୋକେ । ସେପଟେ କେନ୍ଦୁଝର ଯୋଡ଼ା, ଚମ୍ପୁଆ ଅଞ୍ଚଳରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇଛି । କୁଆପଥର ମାଡ଼ ଯୋଗୁଁ ଅନେକ ଅଞ୍ଚଳରେ ଚାଷ ନଷ୍ଟ ହୋଇଛି । ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଚାଷୀ ।

ସେପଟେ ଗୁରୁବାର ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲାରେ ଘଟିଥିବା ଝଡ଼ରେ କ୍ଷୟକ୍ଷତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ଭାବେ ବିଶୋଇ ଖଡମବେଡା ପଞ୍ଚାୟତ ଆକଳନ କରାଯାଇଛି । ବାଙ୍ଗିରିପୋଷି ବ୍ଲକ ଅଧୀନରେ ୩୯ଟି ଗାଁ କ୍ଷତିଗ୍ରସ୍ତ ହୋଇଛି ।  ଆହତ ଲୋକଙ୍କ ଚିକିତ୍ସା ପାଇଁ ୫ଟି ମେଡିକାଲ ଟିମ ମଧ୍ୟ ନିୟୋଜିତ କରାଯାଇଛି ।  ୪୭ଟି ଗାଁର ୪୭୭୫ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।

 

ଆହୁରି ପଢ଼ନ୍ତୁ : କାଳବୈଶାଖୀ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ