ଚଳିତ ବର୍ଷ ୪ ଦିନ ପଞ୍ଚୁକ ପାଳିବେ ବ୍ରତଧାରୀ, ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତି

ପୁରୀ : ଆସନ୍ତା ୧୨ ତାରିଖଠାରୁ ଆରମ୍ଭ ହେଉଛି ପଞ୍ଚୁକ । ଚଳିତ ବର୍ଷ ୫ ଦିନ ନୁହେଁ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ । ତିଥି କ୍ଷୟ ଯୋଗୁଁ ଚତୁର୍ଦ୍ଧଶୀରେ ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ  । ପ୍ରଥମ ଦିନ ଲକ୍ଷ୍ମୀନାରାୟଣ ବେଶ, ଦ୍ବିତୀୟ ଦିନ ବାଙ୍କଚୁଳ ବେଶ, ତୃତୀୟ ଦିନ ତ୍ରିବିକ୍ରମ ବେଶ ଏବଂ ୧୫ ତାରିଖରେ ପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କର ଦୁର୍ଲ୍ଲଭ ରାଜରାଜେଶ୍ୱର ଅର୍ଥାତ ସୁନାବେଶ ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଚୁଡାନ୍ତ କରାଯାଇଛି  ।

ତେବେ ପଞ୍ଚୁକ ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ହେବ ।  ତେଣୁ ବଡ ଏକାଦଶୀଠାରୁ ଶ୍ରୀକ୍ଷେତ୍ରରେ ପଞ୍ଚୁକ ୪ ଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମରିଚିକୋଟ ଛକ ନିକଟରୁ କରାଯାଇଛି ବ୍ୟାରିକେଡ।

ସେହିପରି ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ପଞ୍ଚୁକ ପାଇଁ ପୁରୀ ପୋଲିସର ପ୍ରସ୍ତୁତି ସମ୍ପର୍କରେ ଏସ୍‌ପି ବିନୀତ୍‌ ଅଗ୍ରୱାଲ କହିଛନ୍ତି, ପଞ୍ଚୁକ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି। ହବିଷ୍ୟାଳୀ ମା’ ଏବଂ ଅନ୍ୟ ଭକ୍ତମାନେ ଯେପରି ବାଧାମୁକ୍ତ ଏବଂ ଶୃଙ୍ଖଳିତ ଭାବେ ଦର୍ଶନ କରିବେ ତାହାକୁ ଗୁରୁତ୍ୱ ଦିଆଯାଉଛି । ପଞ୍ଚୁକ ପାଇଁ ମୋଟ ୩୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ     । ଏତଦ୍‌ବ୍ୟତୀତ ୫ଜଣ ଅତିରିକ୍ତ ଏସ୍‌ପି, ୧୪ ଜଣ ଡିଏସ୍‌ପି, ୨୬ ଇନ୍ସପେକ୍ଟର ମଧ୍ୟ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ରହିବେ।

You might also like