ପରକୀୟା ପ୍ରୀତିରେ ପାଗଳ ହେଇ ସ୍ତ୍ରୀକୁ ମାରିଦେଲା ରାକ୍ଷସ ସ୍ବାମୀ
ଢ଼େଙ୍କାନାଳ : ଆଜି ସ୍ତ୍ରୀ ଶୋଇଯାଇଛି ସବୁଦିନ ପାଇଁ । ଚିରନିଦ୍ରାରେ ଶୋଇ ପଡିଛି ହସ୍ପିଟାଲ ଚଟାଣ ଉପରେ । ପାଖରେ ବାପା ଓ ଭାଇ ଛିଡା ହୋଇଛନ୍ତି ଛାତିକୁ ପଥର କରି । ଏଇ ତ ୧୧ ବର୍ଷ ତଳେ ଝିଅକୁ ବାହା ଦେଇଥିଲେ । ଝିଅର ଦୁଇଟି ଛୋଟ ଛୋଟ ପୁଅ ବି ଅଛି । ହେଲେ ଯାହା ହାତରେ ଝିଅକୁ ଟେକି ଦେଇଥିଲେ ସେହି ହାତ ଆଜି ମାରିଦେଇଛି ଝିଅକୁ । ଯାହା ନାଁରେ ସିନ୍ଦୁର ପିନ୍ଧି ଶାଶୁ ଘରକୁ ଯାଇଥିଲେ । ଯିଏ ମଥାରେ ସିନ୍ଦୁର ପିନ୍ଧାଇ ସବୁଦିନ ପାଇଁ ନିଜର କରିଥିଲା, ସାତଜନ୍ମର ସାଥି କରିଥିଲା, ଆଜି ସେହି ମଣିଷ ପାଲଟିଗଲା ରାକ୍ଷସ, ସାତ ଜନ୍ମ କଣ ୧୧ ବର୍ଷ ବି ରହିପାରିଲାନି ମାରିଦେଲା । ପୁଣି ନିଜ ହାତରେ । ଆଉ ଏସବୁ ହେଇଛି କେବଳ ସେହି ପରକୀୟା ପ୍ରେମ ପାଇଁ ।
ସ୍ବାମୀର ପରକୀୟା ପ୍ରେମ ବିଷୟରେ ଜାଣିଦେଲା ସ୍ତ୍ରୀ…
ବାସ୍ ତାପରେ ସ୍ବାମୀ ମଦ ପିଇ କଲା ସ୍ତ୍ରୀକୁ ଅତ୍ୟାଚାର…
ଶେଷରେ ନିଜ ହାତରେ ହିଁ ନେଇଗଲା ସ୍ତ୍ରୀର ଜୀବନ…
ହଁ ଆଜ୍ଞା ପରକୀୟା ପ୍ରୀତି ପାଇଁ କୀଟନାଶକ ଦେଇ ସ୍ତ୍ରୀକୁ ମାରିଦେଲା ସ୍ଵାମୀ। ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ବାଳିଆମ୍ବା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଦ୍ୟପ ସ୍ଵାମୀର ପରକୀୟା ପ୍ରୀତିକୁ ପତ୍ନୀଙ୍କ ବିରୋଧ ଯୋଗୁଁ ସ୍ତ୍ରୀର ଗଲା ଜୀବନ। ନୃଶଂସ ସ୍ଵାମୀ ସ୍ତ୍ରୀକୁ ମାଡ଼ ମାରିବା ପରେ କୀଟନାଶକ ପିଆଇ ହତ୍ୟା କରିଛି ସ୍ତ୍ରୀକୁ । କହିବାକୁ ଚାହିଁବୁ ଯେ ୧୧ ବର୍ଷ ତଳେ ବାଙ୍କୀ ବ୍ଲକ କଡ଼ାମଲ୍ ଗାଁର ଅମିତା ରଣା ଢ଼େଙ୍କାନାଳ ଭାପୁର ଫାଣ୍ଡି ଅଧୀନ ବାଲିଅମ୍ବା ଗାଁର ପ୍ରଶାନ୍ତ ରଣାକୁ ବାହା ହୋଇଥିଲେ । ସେମାନଙ୍କର ୨ଟି ପୁଅ ଅଛନ୍ତି। ଜଣେ ୭ ବର୍ଷ ଓ ଅନ୍ୟ ଜଣେ ୪ ବର୍ଷର । ତେବେ ଗତ କିଛି ବର୍ଷ ଧରି ସ୍ଵାମୀ ପ୍ରଶାନ୍ତ ଯୌତୁକ ପାଇଁ ୩ ଲକ୍ଷ ଟଙ୍କା ଦାବି କରି ସ୍ତ୍ରୀ ଅମିତାକୁ ନାନାଦି ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।
କୁହାଯାଉଛି ଯେ ପ୍ରଶାନ୍ତ ଯେଉଁ କାଜୁ ଫ୍ୟାକ୍ଟ୍ରିରେ କାମ କରୁଥିଲେ ସେଠାରେ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କରେ ଥିବା କଥା ସ୍ତ୍ରୀ ଅମିତା ଜାଣି ନେଇଥିଲେ । ଯାହାପରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେଉଥିଲା। ଏନେଇ ସ୍ଵାମୀ ପ୍ରଶାନ୍ତ ମାରପିଟ କରୁଥିଲେ ବୋଲି ଅମିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । କିନ୍ତୁ ଗତକାଲି ସକାଳେ ଅମିତାକୁ ସ୍ବାମୀ ବାଡିଆପିଟା କରିବା ପରେ ଜୋର ଜବରଦସ୍ତି ପାଟି ଖୋଲି କୀଟନାଶକ ଔଷଧ ପିଆଇଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଶଙ୍କରପୁର CHC ରେ ଭର୍ତ୍ତି କରିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।
ତେବେ ସ୍ତ୍ରୀର ବାପ ଘର ଲୋକଙ୍କୁ ସ୍ବାମୀ କିଛି ସଠିକ୍ ଭାବେ ଜଣାଇନଥିଲେ । ପ୍ରଥମେ ଶୁଣାଗଲା ଯେ ତମ ଝିଅ ନିଜେ କୀଟନାଶକ ପିଇଦେଇଛି । ତାପରେ କୁହାଗଲା ଯେ ଅମିତା ଆଉ ନାହିଁ । କିନ୍ତୁ ଘର ଲୋକ ଆସି ଦେଖିଲାବେଳକୁ ଅମିତା ମୃତ ଅବସ୍ଥାରେ ପଡିଛି ସ୍ବାମୀ ପ୍ରଶାନ୍ତର ଦେଖାଦର୍ଶନ ନାହିଁ । ଏ ସଂକ୍ରାନ୍ତରେ ଭାପୁର ଫାଣ୍ଡିରେ ହତ୍ୟା ମାମଲା ରୁଜୁ ହୋଇଛି । ଏବେବି ଫେରାର ଅଛି ସ୍ବାମୀ ପ୍ରଶାନ୍ତ । ତେବେ ଉପଯୁକ୍ତ ତଦନ୍ତ ହେଲେ ଅମିତା ମୃତ୍ୟୁର ପ୍ରକୃତ ସତ ସାମ୍ନାକୁ ଆସିବ ନିଶ୍ଚୟ ।