ଜଳେଶ୍ୱର: ଗାଁଟା ଯାକ ଲୋକ ଏକାଠି ହୋଇଛନ୍ତି । ପୋଲିସ୍ ଭ୍ୟାନ୍ ବି ଠିଆ ହେଇଛି । କଣ ଗୋଟେ ଘଟଣା ଘଟିଛି ନିହାତୀ । ଆରେ ଆରେ ଭ୍ୟାନ୍ ଭିତରେ ଜଣେ ଯୁବକ ଏମିତି କଣ ମୁହଁକୁ ତଳକୁ କରି ବସିଛନ୍ତି । ଯାହା ଲାଗୁଛି କ୍ୟାମେରା ଦେଖି ତାଙ୍କୁ ଭାରି ଲାଗୁଛି । ହେଲେ ଏହି ଲାଜ କରୁଥିବା ବ୍ୟକ୍ତି ଜଣକ ଏମିତି କଣ କରି ଦେଇଛନ୍ତି କି ତାଙ୍କୁ ଏଭଳି ଭାବେ ପୋଲିସ୍ ଗାଡିରେ ବସାଯାଇଛି ଥାନାକୁ ନେବା ପାଇଁ । ଘଟଣା କଣ ବୁଝୁ ବୁଝୁ ଯାହା ସାମ୍ନାକୁ ଆସିଲା ଆପଣ ଶୁଣିଲେ ମୁଣ୍ଡରେ ହାତ ଦେବେ ଆଜ୍ଞା ।
ଏହି ଯୁବକ ଜଣଙ୍କୁ ପାଗଳ କରିଛି ପ୍ରେମ । ତାପୁଣି ଏକ ତରଫା ପ୍ରେମ । ପୁଣି ଗାଁର ଜଣେ ବିବାହିତା ମହିଳାଙ୍କୁ । ହଁ ଆଜ୍ଞା ବିବାହିତା ମହିଳାଙ୍କୁ ପ୍ରେମ କରିବା ଏବେ ମହଙ୍ଗା ପଡିଛି ଏଇ ଯୁବକଙ୍କୁ । ଏକ ତରଫା ପ୍ରେମର ପରିଣତି ଏବେ ଆପଣ ଦେଉଛନ୍ତି । ରାତି ଅଧରେ ପ୍ରେମିକା ଘରେ ପଶିଥିଲେ ଏହି ଯୁବକ । ଆଉ ଶେଷରେ ଧରାପଡିଗଲେ । ତାପରେ ନିର୍ଧୁମ ଛେଚା ଖାଇଲେ । ଆଉ ଏହି ଘଟଣାପରେ ରସିକିଆ ପ୍ରେମିକକୁ ଏବେ ବାନ୍ଧିଛି ପୋଲିସ୍ ।
ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଇଡଦା ଗ୍ରାମର ପରମେଶ୍ୱର ଜେନାଙ୍କ ସ୍ତ୍ରୀଙ୍କୁ ସେହି ଗ୍ରାମର ବିକାଶ ମଣ୍ଡଳ ନାମକ ଯୁବକ ଏକ ତରଫା ପ୍ରେମ କରି ଆସୁଥିଲେ । ଏମିତିକି ବିକାଶ ପରମେଶ୍ୱରଙ୍କ ସ୍ତ୍ରୀକୁ ରାସ୍ତା ଘାଟ ଦେଖିଲେ ପ୍ରେମ ନିବେଦନ କରି ଆସୁଥିଲେ । ଏକଥା ପରମେଶ୍ୱର ଜାଣିବା ପରେ ପଞ୍ଚାୟତର ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିବା ପରେ ଉଭୟ ପକ୍ଷକୁ ଡାକି ସମସ୍ୟାର ସମାଧାନ କରାଯାଇଥିଲା ।
ମାତ୍ର ଗତ ସୋମବାର ରାତିରେ ପରମେଶ୍ୱର ଏବଂ ତାଙ୍କ ସ୍ତ୍ରୀ ଘରେ ଶୋଇଥିବା ବେଳେ ବିକାଶ ଏକ ମାରଣାସ୍ତ୍ର ଧରି ବିଳମ୍ବିତ ରାତିରେ ଘରେ ପଶିଥିଲା । ଉଭୟ ସ୍ୱାମୀ ସ୍ତ୍ରୀକୁ ମରଣାନ୍ତକ ଅକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ । ତେବେ କୌଶଳ କ୍ରମେ ସେମାନେ ଘର ଭିତରୁ ବାହାରି ଆସି ଘର ବାହାର ପଟୁ ତାଲା ପକାଇ ଦେଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ବିକାଶକୁ ଉତ୍ତମ ମଧ୍ୟମ ଦେଇଥିଲେ । ଖବର ପାଇ ସିଂଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବିକାଶକୁ ଥାନାକୁ ଆଣି ପଚରା ଉଚରା କରୁଛି ।
କି ଯୁଗ ହେଲା ନାରଣ । ବିବାହିତା ମହିଳାଙ୍କ ପ୍ରେମରେ ଉବୁଟୁବୁ ଯୁବକ । ଭଲ ପାଇବା ପାଇଁ ଆଉ କିଏ ମିଳିଲେନି ଶେଷରେ ବାହା ହୋଇଥିବା ମହିଳାଙ୍କୁ ପ୍ରେମ କରିବସିଲେ । ଆଉ ଏବେ ମହିଳାଙ୍କ ସ୍ୱାମୀ ଆଉ ଗାଁ ଲୋକଙ୍କ ଠାରୁ ମାଡ ଖାଇ ହେଲେ ଲୋକ ହସା ।