ଅବ୍ୟବସ୍ଥା ମଧ୍ୟରେ ସେବାଶ୍ରମ ବିଦ୍ୟାଳୟ, ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

କନ୍ଧମାଳ: ଶ୍ରେଣୀ ଗୃହ ଗୁଡିକ ସବୁ ଭାଙ୍ଗି ରୁଜି ଗଲାଣି । କେଉଁଠି ଛାତରୁ ଲୁହା ରଡ ଦେଖାଗଲାଣି ତ ଆଉ କେଉଁଠି ଆଜବେଷ୍ଟ କଣା ହୋଇ ଗଲାଣି । ଆଉ କେଉଁଠି ଶୌଚାଳୟର କବାଟ ଭାଙ୍ଗି ଗଲାଣି ।ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଉପଯୁକ୍ତ ଶ୍ରେଣୀ ଗୃହ ନଥିବାରୁ ଛାତ୍ର ଛାତ୍ରୀ ମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଫଳରେ ବର୍ଷା ଦିନରେ ପାଣି ଛିଟା ମାରୁଥିବା ବେଳେ ଛାତ ଟିଣ ଉପରୁ ପାଣି ଗଳୁଥିବାରୁ ପାଠ ପଢ଼ିପାରୁ ନାହାଁନ୍ତି ଛାତ୍ରଛାତ୍ରୀ। ଖାଲି ସେତିକି ନୁହେଁ ଖରା ଦିନ ଆସିଲେ ବିଦ୍ୟାଳୟ ପରିସର ମଧ୍ୟରେ ଥିବା କୂଅ ଓ ନଳକୂପ ଶୁଖିଗଲେ ନିକଟରେ ଥିବା ନାଳକୁ ଯାଉଥିବା କହିଛନ୍ତି ଛାତ୍ରଛାତ୍ରୀ । ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅଧିନରେ ଥିବା ଦୁର୍ଗମ ଅଞ୍ଚଳ ଗିସ୍ତିଖୋଲ ସେବାଶ୍ରମ ବିଦ୍ୟାଳୟରେ । ଯେଉଁଠିକି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସର୍ବମୋଟ ୩୨୫ଜଣ ଛାତ୍ର ଛାତ୍ରୀ ଶିକ୍ଷା ଅଧ୍ୟୟନ କରୁଛନ୍ତି ।

ଏହି ସବୁ ସମସ୍ୟା ନେଇ ଗ୍ରାମବାସୀ ମାନେ ସରକାରଙ୍କ ନିକଟରେ ନୂତନ ହଷ୍ଟେଲ୍ ଓ ଶ୍ରେଣୀ ଗୃହ ପାଇଁ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ୨୦୧୫ ମସିହାରୁ ନିକଟରେ ଏକ ନୂତନ ହଷ୍ଟେଲ୍ ଓ ଶ୍ରେଣୀ ଗୃହ କୋଠା ନିର୍ମାଣ ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ବିଦ୍ୟାଳୟକୁ ହସ୍ତାନ୍ତର ହୋଇନାହିଁ । ଛାତ୍ର ଛାତ୍ରୀ ମାନେ ନଦୀ ଓ ନାଳକୁ ଗାଧୋଇବାକୁ ଯାଉଛନ୍ତି ସେହି ସମୟରେ ଯଦି କିଛି ଅଘଟଣ ହୁଏ କିମ୍ୱା ଯଦି କାହାର ଜୀବନ ଯାଏ ସେଥିପ୍ରତି କିଏ ଦାୟୀ ରହିବେ ବୋଲି କହିଛନ୍ତି ଗ୍ରାମବାସୀ ।

କେଉଁ କାରଣରୁ ବହୁ ଦିନ ପର୍ଯ୍ୟନ୍ତ ନିର୍ମାଣଧିନ ହୋଇଥିବା ବିଦ୍ୟାଳୟ ଓ ହଷ୍ଟେଲ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟକୁ ହସ୍ତାନ୍ତର କରାଯାଇ ନାହିଁ ଏ ସମ୍ପର୍କରେ ଆମ ପ୍ରତିନିଧି କନ୍ଧମାଳ ଜିଲ୍ଲା ଡିଡବ୍ଳୁଓ ଙ୍କୁ ପଚାରିବାରୁ ସେ କ୍ୟାମେରା ସମୁଖିରେ କହିବା ପାଇଁ ମନା କରିଥିଲେ । କାମ ପ୍ରାୟ ସମ୍ପୁର୍ଣ୍ଣ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର ବିଦ୍ୟୁତ ଅନୈତିକ ଭାବେ ଚୋରି କରି ନୂତନ କୋଠା କାମ କରୁଥିବା ଦେଖି ବିଦ୍ୟୁତ ବିଭାଗ ଟିପିଏସଓଡିଏଲ୍ (TPSODL)ମାତ୍ରାଧିକ ଫାଇନ୍ ପକାଇଥିବା ହେତୁ ବିଦ୍ୟାଳୟ ହସ୍ତାନ୍ତର ବିଳମ୍ୱ ହୋଇଥିବା କହିଛନ୍ତି  ଡିଡବ୍ଳୁଓ ରବିନାରାୟଣ ମିଶ୍ର । ଏହି ଗାଁଟି ଫୁଲବାଣୀ ବିଧାୟକ ଉମାଚରଣ ମଲିକଙ୍କ ନିକଟ ଗାଁ ହୋଇଥିବାରୁ ଏହା କିପରି ଯଥା ଶିଘ୍ର ବିଦ୍ୟାଳୟକୁ ହସ୍ତାନ୍ତର ହେବ ସେନେଇ ବିଭାଗ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

Also read:ଗୋଟିଏ ଶ୍ରେଣୀ କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି ପିଲା