ବାତ୍ୟା ମୁକାବିଲା: ୨୬ ତାରିଖ ପର୍ଯ୍ୟନ୍ତ ଗଞ୍ଜାମରେ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ

ଗଞ୍ଜାମ: ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ଓ ମହାନଗର ନିଗମ ପ୍ରଶାସନ ପ୍ରସ୍ତୁତ । ଜିଲ୍ଲାପାଳ ସମସ୍ତଙ୍କ ଛୁଟି ବାତିଲ କରିଛନ୍ତି । ମହାନଗର ନିଗମ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯିବା ସହ ୨୧ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି । ସହରର ୧୦ଟି ତଳିଆ ଅଞ୍ଚଳ, ବସ୍ତିରୁ ୮ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବାର ଯୋଜନା ରଖିଛି ବିଏମସି । ଓଡ଼୍ରାଫ୍, ଅଗ୍ନିଶମ, ପୋଲିସ ଓ ଉଦ୍ଧାରକାରୀ ଦଳ ସଜାଗ ରହିଛନ୍ତି। ସେପଟେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ଯିବାକୁ ବାରଣ କରାଯାଇଛି ।
ସେହିପରି ଜିଲ୍ଲାପାଳ କହିଛନ୍ତି ଯେ ‘ବାତ୍ୟାର ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ତିତିଲି ବାତ୍ୟା ସମୟରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା । ତେଣୁ ଏଥର ଯେଭଳି ଏଭଳି ପରସ୍ଥିତି ନହେବ ସେଥିପାଇଁ ପ୍ରଶାସନ ସଜାଗ ରହିଛି । ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକୁ ପ୍ରସ୍ତୁତ ରଖାଯାଇଛି । ତଳିଆ ଅଞ୍ଚଳ ପ୍ରତି ଦୃଷ୍ଟି ଦିଆଯାଇଛି । ବିଭିନ୍ନ ବିଭାଗକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ୨୧ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି ।