ପୁଅ ଡ୍ରଗ୍ସ ମାମଲାରେ ଧରାପଡିଥିବା କହି ବାପାଙ୍କ ଠାରୁ ୫୦ହଜାର ଟଙ୍କା ଲୁଟିନେଲେ ନକଲି CBI ଅଫିସର

ଆଳି: ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସୁଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍ ଭାବେ କାମ କଲେ ମଧ୍ୟ ସବୁବେଳେ ଚୋର ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରି ନେଉଛି । ଏପଟେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସାଇବର ଠକଙ୍କ ଅପରାଧ ବଢ଼ି ବଢି ଚାଲିଛି । ଜନସାଧାରଣଙ୍କୁ ମିଛ ପ୍ରଲୋଭନ, ମିଛ ଧମକ ଓ କିଛି ଲୋଭନୀୟ ଅର୍ଥ ରାଶି କହି ସାଇବର ଠକ ଠକିନେଉଛି ଲକ୍ଷ ଲକ୍ଷ ଟଙ୍କା ।
ପୁଅ ଡ୍ରଗ୍ସମାମଲାରେ ଧରାପଡିଥିବା କହି ଶିକ୍ଷକ ବାପାଙ୍କ ଠାରୁ ୫୦ହଜାର ଟଙ୍କା ଠକିନେଲେ ନକଲି CBI ଅଫିସର । ଏଭଳି ଅଭିନବ ଠକେଇର ଶିକାର ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁର ଶିକ୍ଷକ ଯଶୋବନ୍ତ ପଲାଇ । ଗତ ୨୭ ତାରିଖ ଦିନ ୧୦ଟା ୪୫ମିନିଟ ସମୟରେ ଏକ ଅଜଣା ନମ୍ବରରୁ ତାଙ୍କ ମୋବାଇକୁ ଫୋନ କଲ ଆସିଥିଲା । ଠକ ଜଣଙ୍କ ନିଜକୁ CBI ଅଫିସର ପରିଚୟ ଦେଇଥିଲେ କଥା ହୋଇଥିଲା । ତେବେ କଥା ହେବା ସମୟରେ ଏହି ନକଲି CBI ଅଫିସର ପୁଅ ଜୟପ୍ରକାଶ ପଲାଇ କେଉଁଠାରେ ପାଠ ପଢୁଛି ତାହା ମଧ୍ୟ କହିଥିଲେ ।
ତମ ପୁଅ ଓ ତାର ୩ଜଣ ସାଙ୍ଗ ଡ୍ରଗ୍ସ ନେବା ସହ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବାରୁ ଆମେ ତାଙ୍କୁ CBI କଷ୍ଟେଡିକୁ ଆଣିଛୁ । ଆଉ ତାକୁ କୋର୍ଟ ଫରୱାଡ଼ କରିବୁ ବୋଲି କହିଥିଲେ । ଶିକ୍ଷକ ନକଲି CBI ଅଫିସରଙ୍କ ଠାରୁ ଏସବୁ ଶୁଣିବା ପରେ ପୁଅକୁ ଫୋନ ଦେବାକୁ କହିବାରୁ ପୁଅକୁ ମାଡ଼ ମାରୁଥିବାର ଚିତ୍କାର ବାରମ୍ବାର ଶୁଣାଇ ମାନସିକ ନିର୍ଯ୍ୟାତନା ଦେଇଥିଲେ । ପରେ ପୁଅକୁ ଛାଡିବା ପାଇଁ ନକଲି CBI ଅଫିସର ୫୦ହଜାର ଟଙ୍କା ଦାବିକରିଥିଲେ । ସେ ଜଣେ ମେଧାବୀ ଛାତ୍ର ଏବଂ ଟଙ୍କା ନଦେଲେ ତାଙ୍କ ଜୀବନ ବର୍ବାଦ ହୋଇଯିବ ।
ଏସବୁ ଶୁଣିବା ପରେ ବ୍ୟତିବ୍ୟସ୍ତ ହୋଇ ଶେଷରେ ଶିକ୍ଷକ ଜଣଙ୍କ ଦୁଇଟି କିସ୍ତିରେ ୨୫/୨୫ ହଜାର ଟଙ୍କା ଦେଇଥିଲେ । କିନ୍ତୁ ଏତିକିରେ ଶାନ୍ତି ହୋଇନଥିଲା ଲୁଟେରାର ମନ । ନକଲି CBI ଅଫିସର ଆହୁରି ୨ଲକ୍ଷ ଟଙ୍କା ଦାବି କରିଥିଲେ । କିନ୍ତୁ ପରେ ପୁଅ ଜୟ ପ୍ରକାଶଙ୍କ ସହ କଥାହେବା ପରେ ଶିକ୍ଷକ ଯଶୋବନ୍ତ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ରାଜକନିକା ଥାନାରେ ସେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।