କଣ୍ଟାବାଞ୍ଜି : ଡାକ୍ତରୀ ପାଠ ପଢ଼ି ନ ଥିଲେ। ଡାକ୍ତରୀ ପାଠର ଡ ଅକ୍ଷର ବି ଜଣାନଥିଲା, ହେଲେ ସାଜିଥିଲେ ଡାକ୍ତର । ଡାକ୍ତର ସିନା ସାଜିଥିଲେ, ହେଲେ ଦେଖୁଥିଲେ ସତସତିକା ଡାକ୍ତର । MBBS ଡିଗ୍ରୀ ନ ଥାଇ ବି କରୁଥିଲେ ରୋଗୀ ଚିକିତ୍ସା। ବେଆଇନ ଭାବରେ କ୍ଲିନିକ ଖୋଲି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ଏପରି ଜଣେ ନକଲି ଡାକ୍ତରଙ୍କୁ ବାନ୍ଧିଛି ପୁଲିସ୍।
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସିନ୍ଧେକେଲା ଗାଁରୁ ଆସିଛି ଏପରି ଏକ ଚାଞ୍ଚଲ୍ୟ କରିଦେବା ଭଳି ଖବର । ଦୀର୍ଘ ଦିନ ହେଲା ୱେଷ୍ଟ ବେଙ୍ଗଲ ରାମେଶ୍ୱରପୁରରୁ ଆସିଥିବା ନକଲି ଡାକ୍ତର ପଳାସା ବିଶ୍ୱାସ ସ୍ଥାନୀୟ ଜଗନ୍ନାଥ କ୍ଲିନିକ ପାଖରେ ଭଡା ନେଇ ରହୁଥିଲେ । ଆଉ ନିଜକୁ ଜଣେ ଅଭିଜ୍ଞ ଡାକ୍ତରର ପରିଚୟ ଦେଇଥିଲେ ।
ତେବେ ଅନେକ ରୋଗୀ ଙ୍କ ଚିକିତ୍ସା ଏବଂ ଔଷଧ ଲେଖି ଦେଉଥିଲେ । ପରେ ଜଗନ୍ନାଥ କ୍ଲିନିକ ସହ ଅନ୍ୟ ଔଷଧ ଦୋକାନରେ ରହି ଔଷଧ କିଣୁଥିଲେ । ତେବେ ଡାକ୍ତର ଜଣକ ନକଲି ବୋଲି କିଛି ଲୋକ ଜାଣିବା ପରେ ପୋଲିସ ମଧ୍ୟ ତଦନ୍ତ କରିଥିଲା । ତଦନ୍ତ ସମୟରେ ପଲାସା ଏମବିବିଏସ୍ ଡିଗ୍ରୀ ତଥା କ୍ଲିନିକ୍ର ଲାଇସେନ୍ସ କିଛି ବି ଦେଖାଇ ପାରି ନଥିଲେ। ତେଣୁ ତାଙ୍କୁ ତୁରନ୍ତ ବାନ୍ଧିଛି ସିନ୍ଧେକେଲା ଥାନା ପୁଲିସ।
ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ଉପସ୍ଥିତରେ ସିନ୍ଧେକେଲା ଥାନାଅଧିକାରି ଙ୍କ ସହ ପୋଲିସ ଟିମ ନକଲି ଡାକ୍ତର କୁ ଗିରଫ କରିଥିବା ଜଣାପଡିଛି । ଓଡିଶା କ୍ଲିନିକାଲ ନିୟମ ଓ ଜାତୀୟ ଔଷଧ କମିଶନ ନିୟମ ଅନୁସାରେ ଦଫା ଲଗାଇ ମାମଲାର ତଦନ୍ତ କରୁଛି ସିନ୍ଧେକେଲା ପୋଲିସ ।
ବିନା ଲାଇସେନ୍ସ ତଥା ଡିଗ୍ରୀରେ ଡାକ୍ତର ସାଜି ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଦାବି ହେବା ବି କଥା, ଏମିତି କିଏ କଣ କାହା ଜୀବନ ସହ ଖେଳିପାରେ । ନିଜ ପକେଟ ଗରମ କରିବାକୁ ଯାଇ ମଣିଷା ଜୀବନ ସହ ଖେଳ ଖେଳିବା ନିଶ୍ଚୟ ଭାବେ ଏକ ବଡ ଅପରାଧ ।