ପାଠଘର ଶୂନ, କିନ୍ତୁ ଦୀର୍ଘ ୧୫ ବର୍ଷ ଧରି ସାଜିଥିଲେ ଡାକ୍ତର

ଟିଟଲାଗଡ : ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ । ଦୀର୍ଘ ୧୫ ବର୍ଷ ଧରି ଡାକ୍ତର ସାଜିଥିଲେ ଏହି ବ୍ୟକ୍ତି । ହଁ ଆଜ୍ଞା ଆଦୌ ପଢ଼ି ନଥିଲେ ଡାକ୍ତରୀ ପାଠ, ଏମିତିକି ଏମବିବିଏସ ଡିଗ୍ରୀ ବି ନଥିଲା ହେଲେ ଦୀର୍ଘ ୧୫ ବର୍ଷ ଧରି ଦେଖୁଥିଲେ ରୋଗୀ । ନକଲୀ ଡାକ୍ତର ଅସଲି ସାଜି କରୁଥିଲେ ରୋଗୀଙ୍କ ଚିକିତ୍ସା । ଦେଖୁନାହାଁନ୍ତି କେମିତି ବ୍ୟବହୃତ ହୋଇସାରିଥିବା ସିରିଞ୍ଜ ଇଞ୍ଜେକସନ୍ ଓ ଔଷଧ ସବୁ ପଡିଛି । ଯେମିତି ଲାଗୁଛି ୧୫ ବର୍ଷ ହେଲା କ୍ଲିନିକ ଖୋଲି ପୂରା ଆସ୍ଥାନ ଜମାଇ ରଖିଥିଲେ ।
ହେଲେ କଣ ହେବ, ମିଛ ତ ସବୁବେଳେ ମିଛ ନା, ମିଛକୁ ଯେତେ ଘୋଡାଇ ରଖିଲେ ସେ କଣ ରହିବ । ରହି ରହି କେତେ ଦିନ ବା ଆଉ ରହିବ । ଶେଷରେ ଦିନେ ନା ଦିନେ ପଦାକୁ ଆସିବ ନିଶ୍ଚୟ । ଯେମିତି ଏ ନକଲି ଡାକ୍ତର ବାବୁଙ୍କ ସହ ହୋଇଛି । ନକଲି ଡାକ୍ତର କିନ୍ତୁ ଦେଖୁଥିଲେ ସତସତିକା ରୋଗୀ । ଯାହା ଏବେ ଆସିଯାଇଛି ସମ୍ନାକୁ । ଚାଲିଥିବା ଏକ ବେଆଇନ କ୍ଲିନିକ୍ ଉପରେ ଆଜି ପ୍ରଶାସନ ପକ୍ଷରୁ କରାଯାଇଛି ଚଢ଼ାଉ । ତା’ସହିତ ଜଣେ ନକଲି ଡାକ୍ତରଙ୍କୁ କରାଯାଇଛି ଗିରଫ। ଘଟଣାଟି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଟିକ୍ରାପଡ଼ାର। ଗିରଫ ନକଲି ଡାକ୍ତରଙ୍କ ନାଁ ବିଦ୍ୟୁତ୍ କୁମାର ବିଶ୍ୱାସ। ତାଙ୍କୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଇଛି ।
କହିବାକୁ ଚାହିଁବୁ ଯେ ବିଦ୍ୟୁତ୍ କୁମାର ବିଶ୍ୱାସଙ୍କ ଘର ପଶ୍ଚିମବଙ୍ଗରେ। ସେ ମାତ୍ର ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଜଣାପଡ଼ିଛି। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥାଇ କିମ୍ବା କୌଣସି ପ୍ରକାର ଲାଇସେନ୍ସ ନ ଥାଇ ୧୫ ବର୍ଷ ହେବ ବିଦ୍ୟୁତ୍ କୁମାର ବିଶ୍ୱାସ ଟିକ୍ରାପଡ଼ାରେ କ୍ଲିନିକ୍ ଖୋଲି ଲୋକଙ୍କୁ ଚିକିତ୍ସା କରୁଥିଲେ । ଯାହାକୁ ନେଇ ଅଭିଯୋଗ ହୋଇଥିଲା। ଫଳରେ ଆଜି ସଇଁତଳା ପୁଲିସ ଓ ଡ୍ରଗ୍ସ ଇନ୍ସପେକ୍ଟର ମିଳିତ ଭାବେ ଉକ୍ତ କ୍ଲିନିକ୍ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ତାଙ୍କ କ୍ଲିନିକ୍ରୁ ବହୁ ଔଷଧ ଜବତ କରାଯାଇଥିଲା ।
ତେବେ ବିନା ଲାଇସେନ୍ସ ତଥା ଡିଗ୍ରୀରେ ଡାକ୍ତର ସାଜି ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଦାବି ହେବା ବି କଥା, ଏମିତି କିଏ କଣ କାହା ଜୀବନ ସହ ଖେଳିପାରେ । ନିଜ ପକେଟ ଗରମ କରିବାକୁ ଯାଇ ମଣିଷା ଜୀବନ ସହ ଖେଳ ଖେଳିବା ନିଶ୍ଚୟ ଭାବେ ଏକ ବଡ ଅପରାଧ ।