ଧରାପଡିଲା ୧୭ବର୍ଷିୟ ନକଲି ଡାକ୍ତର, ରୋଗୀ ଦେଖୁଥିଲା ହେଲେ ମେଡ଼ିସିନ୍ ଲେଖୁନଥିଲା
ପୁରୀ : ବେକରେ ଷ୍ଟେଥୋ, ମୁହଁରେ ମାସ୍କ, ଡାକ୍ତରୀ ପୋଷାକ ପିନ୍ଧି ଡାକ୍ତରଖାନାରେ କରୁଥିଲା ରୋଗୀଙ୍କୁ ଚିକିତ୍ସା । ହେଲେ କେହି ଜାଣିପାରୁନଥିଲେ ଇଏ ଅସଲି ନୁହେଁ ନକଲି ଡାକ୍ତର ବୋଲି । ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତରକୁ ଗିରଫ କରିଛି ପୋଲିସ୍ । ଦେଖନ୍ତୁ ପିଲାଟିକୁ ପୁରା ଗର୍ବର ସହ ଠିଆ ହୋଇଛି । ପକେଟରୁ ହାତ ବାହାରୁନି ।
ଯାହା ଖବର ମିଳିଛି କି, ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ପୁରୁଷ ବିଭାଗରେ ଜଣେ ନାବାଳକ ପ୍ରାୟ ସାତ ଦିନ ହେବ ବେକରେ ଷ୍ଟେଥୋ ସ୍କୋପ ପକାଇବା ସହ ଆପ୍ରନ ପିନ୍ଧି ରୋଗୀ ମାନଙ୍କ ସେବା କରୁଥିଲା । ଜଣେ କମ୍ ବୟସ୍କ ଡାକ୍ତର ଭଳି ଦେଖାଯାଉଥିବା ପିଲାଟି କିଭଳି ଡାକ୍ତର ହୋଇ ପାରେ ବୋଲି ଉକ୍ତ ୱାର୍ଡରେ କାର୍ଯ୍ୟ କରୁଥିବା ନର୍ସ ମାନଙ୍କ ସନ୍ଦେହ ହୋଇଥିଲା । ତଥାପି ସତରେ କାଳେ ଡାକ୍ତର ହୋଇଥିବେ ଭାବି ପଚାରିବାକୁ ସାହାସ କରୁନଥିଲେ । ତେଣୁ ଏହାର ସୁଯୋଗ ନେଇ ପିଲାଟି ପ୍ରତିଦିନ ମେଡିକାଲ ଆସି ରୋଗୀ ମାନଙ୍କୁ ଚିକିତ୍ସା କରୁଥିଲେ । ହେଲେ କାହାକୁ କୌଣସି ମେଡିସିନ ଲେଖୁ ନଥିଲେ ।
ତେବେ ଏହାପରେ ନର୍ସ ମାନଙ୍କ ମଧ୍ୟରେ ସନ୍ଦେହ ବଢିଥିଲା । ଶେଷରେ ନର୍ସ ମାନେ ଏକାଠି ହୋଇ ଉକ୍ତ ବାଳକଟିକୁ ତାର ପରିଚୟ ପଚାରିଥିଲେ । ସେ ତାର ପରିଚୟରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ର ଅମିତ ଆରୁଶ ପରିଡା ବୟସ ୧୭ ବର୍ଷ ବୋଲି କହିଥିଲା । ଏହାସହ ତା ଘର ସମୁଦ୍ରକୂଳ ଥାନା ଅନ୍ତର୍ଗତ ଗୋରା କବର ଲେନ୍ ବୋଲି କହିଥିଲା ।
ସେ ଏହି ଡାକ୍ତରୀ ପାଠ ଶିଖିବା ପାଇଁ ମେଡିକାଲକୁ ଆସୁଥିବା କଥା ସ୍ୱୀକାର କରିଛି । ଏହାପରେ ନର୍ସ ମାନେ ସଙ୍ଗେ ସଙ୍ଗେ ମେଡିକାଲ ଫାଣ୍ଡି ପୋଲିସଙ୍କୁ ଡାକି ଉକ୍ତ ପିଲାଟିକୁ ହସ୍ତାନ୍ତର କରିଥିଲେ । ପୋଲିସ୍ ପକ୍ଷରୁ ଉକ୍ତ ପିଲାଟିର ପରିବାର ଲୋକଙ୍କୁ ଯୋଗାଯୋଗ କରିଛି ।
ମୁହଁରେ ସରଳତା । ନା କାହାକୁ ଡର ନା ଭୟ । ହେଲେ ଏଇ ସରଳ ଚେହେରା ତଳେ ଲୁଚି ରହିଛି ଭୟଙ୍କର ବୁଦ୍ଧି । ଏତେ ଛୋଟ ବୟସରୁ ଏଭଳି କାରନାମା ପୁଣି ଜନଗହଳୀପୂର୍ଣ୍ଣ ପୁରୀ ସରକାରୀ ଡାକ୍ତରଖାନାରେ । ତେବେ ପିଲାଟିକୁ ନିଜ ହେପାଜତରେ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ତଦନ୍ତ ପରେ ଘଟଣାକୁ ଅଧିକ ତଥ୍ୟ ସାମ୍ନାକୁ ଆସିବ ।