ସରକାରୀ ଡାକ୍ତରଖାନାରେ ରୋଗୀ ସେବା କରୁଥିଲେ ନକଲି ଡାକ୍ତର, ବାନ୍ଧିନେଲା ପୋଲିସ
ରାଉରକେଲା : ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର । ହଁ ଆଜ୍ଞା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ଆଜି ଜଣେ ନକଲି ଡାକ୍ତର ରୋଗୀ ସେବା କରୁଥିଲେ । ସେହି ସମୟରେ ଡାକ୍ତରଖାନାରେ ହଠାତ୍ ପହଞ୍ଚିଥିଲେ ପୋଲିସ । ଅଧାରେ ଅଟକିଥିଲା ରୋଗୀ ସେବା । ପୁଲିସ ତାଙ୍କୁ ଗିରଫ କରି ବର୍ତ୍ତମାନ କୋର୍ଟ ଚାଲାଣ କରିଛି । ଆର୍ଜିଏଚ୍ର ଏହି ଘଟଣା ବର୍ତ୍ତମାନ ସମ୍ପୂର୍ଣ୍ଣ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗିରଫ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଟିଆସରାର ପଦ୍ମନାଭନ୍ ମୁଖି କାରୁଆ। ଝାଡ଼ଖଣ୍ଡର ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ସାର୍ଟିଫିକେଟ୍କୁ ନକଲି କରି ମାସେ କି ଦୁଇ ମାସ ନୁହେଁ ପ୍ରାୟ ୭ ମାସରୁ ଅଧିକ ସମୟ ଧରି ଆଉଟ୍ସୋସିଂ ସଂସ୍ଥା (ରାହି କେୟାର ପ୍ରାଇଭେଟ୍ ଲିମିଟେଡ୍) ଜରିଆରେ ଆର୍ଜିଏଚ୍ର ଡାଏଲିସିସ୍ ବିଭାଗରେ କାମ କରୁଥିଲେ ପଦ୍ମନାଭନ୍ । ତେବେ ଅଭିଯୁକ୍ତଙ୍କ ପାଠ ପଢା ହେଉଛି ପ୍ଲସ ଟୁ । କେବଳ ପ୍ଲସ ଟୁ ପାଠ ପଢି ବର୍ତ୍ତମାନ ଲୋକଙ୍କୁ ଭୁଆଁ ବୁଲାଇବାରେ ମାଷ୍ଟର ହୋଇଛି ଏହି ବ୍ୟକ୍ତି ।
ଝାଡ଼ଖଣ୍ଡର ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ଅସଲି ସାର୍ଟିଫିକେଟ୍ର ନିଜ ଫଟୋ ଲଗାଇ ଆର୍ଜିଏଚ୍ରେ ନିଯୁକ୍ତି ପାଇଥିଲେ । ଆର୍ଜିଏଚ୍ରେ ବିଭାଗୀୟ ଅଧିକାରୀ ବି ପଦ୍ମନାଭନ୍ଙ୍କୁ ଓଡ଼ିଶା ମେଡ଼ିକାଲ କାଉନସିଲ୍ରେ ପଞ୍ଜୀକରଣ କରିବାକୁ କହିଥିଲେ । ପଦ୍ମନାଭନ୍ ଓଡ଼ିଶା କାଉନ୍ସିଲ୍ ଅଫ୍ ମେଡ଼ିକାଲରେ ପଞ୍ଜୀକରଣ ମଧ୍ୟ କରିଥିଲେ । ସେହି ପଞ୍ଜୀକରଣ ସାର୍ଟିଫିକେଟ୍କୁ ଆର୍ଜିଏଚ୍ର ବିଭାଗୀୟ ଅଧିକାରୀଙ୍କ ନିକଟରେ ଜମା କରିଥିଲେ । ଏତେ ଚତୁରତାର ସହ ନକଲି କାମ କରିଥିଲେ ଅସଲ କି ନକଲି ବିଭାଗୀୟ ଅଧିକାରୀ ଆଦୌ ଜାଣି ପାରି ନଥିଲେ ।
ତେବେ ବଜାଜ୍ ଫାଇନାନ୍ସରୁ ବ୍ୟକ୍ତିଗତ ଋଣ ତାଙ୍କୁ ମହଙ୍ଗା ପଡ଼ିଥିଲା । ଏ ସଂକ୍ରାନ୍ତରେ ରଘୁନାଥପାଲ୍ଲୀ ଥାନାରେ ଲିଖିତ ଏତଲା ଦେଇଥିଲେ । ପୁଲିସ ପଦ୍ମନାଭନ୍କୁ ଥାନାକୁ ଉଠାଇ ଆଣିବା ପରେ ସମସ୍ତ କଥା ଜଣାପଡ଼ିଥିଲା । ବଜାଜ୍ ଫାଇନାନ୍ସର ଏରିଆ ମ୍ୟାନେଜରଙ୍କ ଲିଖିତ ଏତଲା ଆଧାରରେ ରଘୁନାଥପାଲ୍ଲୀ ପୁଲିସ ଘଟଣାର ତଦନ୍ତ ଚଳାଇବା ସହିତ ନକଲି ଡାକ୍ତରଙ୍କୁ ଗିରଫ କରିଛି । ଏହି ଘଟଣା ଜଣାପଡ଼ିବା ପରେ ରାଉରକେଲା ସରକାରୀ ଡାକ୍ତରଖାନା ପକ୍ଷରୁ ମଧ୍ୟ ରଘୁନାଥ ପାଲି ଥାନାରେ ଅଭିଯୋଗ କରିବା ସହ ସର୍ଭିସ୍ ପ୍ରୋଭାଇଡର ରାହୀ କେୟାର ପ୍ରାଇଭେଟ୍ ଲିମିଟେଡ଼କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ସରକାରୀ ଡାକ୍ତରଖାନା ଡାଇରେକ୍ଟର ଗଣେଶ ପ୍ରସାଦ ଦାଶ କହିଛନ୍ତି।
ସବୁଠୁ ବଡ଼ କଥା ହେଉଛି, ନକଲି ଡାକ୍ତର ଭାବେ ପଦ୍ମନାଭନ୍ ମୁଖି କାରୁଆ ପ୍ରଥମଥର ପାଇଁ ଧରାପଡ଼ି ନାହାନ୍ତି । ସେ ଜଣେ ଅଭ୍ୟାସଗତ ଠକ ଏହାପୂର୍ବରୁ ୨୦୧୯ରେ ମଧ୍ୟ ସେ ଏହିଭଳି ଭାବେ ଧରାପଡ଼ି ଜେଲ୍ ଯାଇଥିଲେ । ଏଥର ବେସରକାରୀ ସଂସ୍ଥା ଜରିଆରେ ଆର୍ଜିଏଚ୍ ଭଳି ସରକାରୀ ଡାକ୍ତରଖାନାରେ ପଶିଥିବା ବେଳେ ପୂର୍ବରୁ ସରକାରୀ ସଂସ୍ଥା ଜରିଆରେ ନିଯୁକ୍ତି ପାଇଥିଲେ । ୫ ବର୍ଷ ପୂର୍ବେ ସେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ବେଳେ ଥରେ ଧରାପଡ଼ିଥିଲେ । ଭିମ୍ସାର୍ ବୁର୍ଲାରୁ ୨୦୦୨ ମସିହାରେ ଡାକ୍ତରୀ ପାସ୍ କରିବା ନେଇ ସେ ଦେଇଥିବା ସାର୍ଟିଫିକେଟ୍ ଯାଞ୍ଚ ପରେ ନକଲି ବୋଲି ଜଣାପଡ଼ିଥିଲା ଏବଂ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲା ଏବଂ ପୁଣି ବାହାରି ଏହି କାଣ୍ଡ ଭିଆଇଛି । କେବଳ ସୁନ୍ଦରଗଡ଼ ଜିଲ୍ଲାରେ ବାରମ୍ବାର ଏହି ଜଣେ ଲୋକ କେବେ ଡାକ୍ତର ତ କେବେ ରେଳବାଇ ଅଧିକାରୀ ତ କେବେ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ଏଭଳି ଭାବରେ ବାରମ୍ବାର ମିଛ ସାର୍ଟିଫିକେଟ ଦେଇ କାର୍ଯ୍ୟ କରୁଥିବା ସୂଚନା ରହିଛି ।