ନକଲି ଡାକ୍ତର ସାଜି କରୁଥିଲେ ରୋଗୀଙ୍କ ଚିକିତ୍ସା, ମେଡ଼ିସିନ ଦୋକାନରୁ ହେଲେ ଗିରଫ

ଯାଜପୁର ଟାଉନ: ନକଲି ଡାକ୍ତର ସାଜି କରୁଥିଲେ ରୋଗୀଙ୍କ ଚିକିତ୍ସା । ମେଡ଼ିସିନର ମ ଅକ୍ଷର ବି ଜଣାନାହିଁ କିନ୍ତୁ ନିଜେ ଔଷଧ ଠାରୁ ଆରମ୍ଭ କରି ଇଞ୍ଜେକ୍ସନ ସବୁ ଦେଉଥିଲେ । ହଁ ଆଜ୍ଞା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଲୋକଙ୍କ ଜୀବନକୁ ବାଜି ଲଗାଇ ସାଜିଥିଲେ ଡାକ୍ତର, ହେଲେ ଧରାପଡ଼ି ସିଧା ଗଲେ ଜେଲ । ଏଭଳି ଘଟଣା ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ଶ୍ରୀଧରପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଔଷଧ ଦୋକାନରୁ ଗିରଫ ହୋଇଛନ୍ତି ଜଣେ ନକଲି ଡାକ୍ତର ।
ଏକ ଔଷଧ ଦୋକାନରେ ଗତ କିଛି ଦିନ ହେବ ଜଣେ ଫାର୍ମାସିଷ୍ଟ ନିଜକୁ ଡାକ୍ତର ଭାବେ ପରିଚୟ ଦେଇ ରୋଗୀ ଦେଖି ଆସୁଥିବା ଅଭିଯୋଗ ହୋଇଥିଲା । ଏହା ଜଣାପଡିବା ପରେ ଏହାକୁ କେନ୍ଦ୍ର କରି ଔଷଧ ଦୋକାନରେ ଗଣ୍ଡଗୋଳ ଘଟିଥିଲା । ଖବର ପାଇ ଚିତାଳୋ ବିଟ ହାଉସ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ନକଲି ଡାକ୍ତର ଭଦ୍ରକ ବାରିକପୁର ଅଞ୍ଚଳର ସୋହମ ମହାପାତ୍ରଙ୍କୁ ଘଟଣାସ୍ଥଳରୁ ଉଠାଇ ଆଣିଥିଲା । ସୋହମ ଜଣେ ନକଲି ଡାକ୍ତର ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।
ସୋହମଙ୍କୁ ଟାଉନ ଥାନାରେ ଅଟକ ରଖି ପୋଲିସ ପଚରାଉଚୁର କରିଥିଲା । ଏହାପରେ ସମ୍ପୁକ୍ତ ନକଲି ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେପଟେ ଜିଲ୍ଲାରେ କ୍ଲିନିକଲ୍ ଆକ୍ଟ ଅନୁଯାୟୀ ଘରୋଇ ଚିକିତ୍ସାରେ ନିୟୋଜିତ ସମସ୍ତ ଡାକ୍ତରଙ୍କ ନିୟମ ପଞ୍ଜିକରଣ କରାଯାଉଛି ବୋଲି ଯାଜପୁର ସିଡିଏମଓ ସୂଚନା ଦେଇଛନ୍ତି । ଏହା ଉପରେ ଅଧିକ ଯାଞ୍ଚ କରାଯିବାକୁ ଟିମ୍ ମଧ୍ୟ ଗଠନ ହୋଇଛି । ଖୁବ୍ ଶୀଘ୍ର ନକଲି ଡାକ୍ତରଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।
ଦର୍ଶକବନ୍ଧୁ ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ । ହେଲେ କିଛି ଲୋକ ନକଲି ଡାକ୍ତର ସାଜି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଭଳି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁମାନେ ବି ଏଭଳି ନିଜକୁ ଡାକ୍ତର ବୋଲି କହି ରୋଗୀ ଦେଖା କାମ କରୁଛନ୍ତି ସେମାନଙ୍କର ଉପଯୁକ୍ତ ଯାଞ୍ଚ୍ କରିବା ବହୁତ ଆବଶ୍ୟକ । ନହେଲେ ଅସଲି ମୁଖା ପିନ୍ଧିଥିବା ଏଭଳି ନକଲି ଡାକ୍ତରଙ୍କ ପାଇଁ ଅନେକଙ୍କ ମୂଲ୍ୟବାନ ଜୀବନ ଚାଲିଯାଇପାରେ । ତେଣୁ ଏଥିପ୍ରତି ଯଥାସମ୍ଭବ ସତର୍କ ରୁହନ୍ତୁ ।