ଅନୁଗୁଳ : ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ନକଲି ପୁଲିସର ପରିଚୟ ଦେଇ ଟଙ୍କା ଠକିନେବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଅନୁଗୁଳ ସଦର ଥାନା ପୋଲିସ । ଗିରଫ ଯୁବକ ଜଣଙ୍କ ହେଲେ ଖମାର ଥାନା କୁଞ୍ଜାମ ଗାଁର ବିରଞ୍ଚି ନାରାୟଣ ନାଏକ ବୋଲି ପୋଲିସ ସୂଚନା ଦେଇଛି । ତାଙ୍କ ଠାରୁ ୫୦ ହଜାର ଟଙ୍କା , ଏକ ମୋଟରସାଇକେଲ , ନକଲି ପୋଲିସ ପୋଷାକ , ଷ୍ଟାମ୍ପ , ନକଲି ଆଇ କାର୍ଡ ଆଦି ଜବତ ହୋଇଛି ।
ସୂଚନା ଅନୁସାରେ କଙ୍କରେଇ ଗାଁର ମଣ୍ଟୁ ସାହୁ ନାମକ ଜଣେ ଯୁବକ ପଞ୍ଚମହଲାର ଜଣେ ଠିକାଦାରଙ୍କ ପାଖରେ କାମ କରୁଥିଲେ । ସେଠାରେ କାମ କରୁଥିବା ସମୟରେ ବିରଞ୍ଚି ସହ ତାଙ୍କ ପରିଚୟ ହୋଇଥିଲା । ବିରଞ୍ଚି ନିଜକୁ ଜଣେ ପୋଲିସ ଏସଆଇ କହିବା ସହ ପୋଲିସ ପୋଷାକରେ ଥିବା ତାଙ୍କର ଏକ ଫଟୋ ଦେଖାଇଥିଲେ । ଆଉ ଟଙ୍କା ଦେଲେ ମଣ୍ଟୁଙ୍କୁ ସେ ତାଳଚେର ଅଞ୍ଚଳର ଏକ ଖଣିରେ ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇଥିଲେ । ମଣ୍ଟୁ ତାଙ୍କ କଥାରେ ଭଳି ଯାଇ ତିନୋଟି କିସ୍ତିରେ ବିରଞ୍ଚିଙ୍କୁ ୨୪ ହଜାର ଟଙ୍କା ଦେଇଥିଲେ । ହେଲେ ପରେ ବିରଞ୍ଚି ଆଉ ସହଜରେ ଧରାଛୁଆଁ ଦେଇ ନଥିଲେ । ପରେ ମଣ୍ଟୁ ମଧ୍ୟ ବିରଞ୍ଚି ନକଲି ପୋଲିସ ଜାଣି ଏ ନେଇ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ବିରଞ୍ଚିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଆହୁରି ପଢ଼ନ୍ତୁ : ବିଜେଡିର ସାଲେପୁର ବନ୍ଦ ପାଳନ,NAC ଘୋଷଣାରୁ ବାଦ ଦେବା ପ୍ରତିବାଦ