ବାହାଘରକୁ ମାତ୍ର ୧୧ମାସ, ଉଠିଲା ଗର୍ଭବତୀଙ୍କ କୋକେଇ
ଅସ୍ତରଙ୍ଗ: ହାତରେ ମେହେନ୍ଦୀ ପାଦରେ ଅଳତା ପିନ୍ଧି କିଛି ଦିନ ତଳେ ସାଜିଥିଲେ ନବବଧୂ । ମନରେ ଥିଲା ଅସୁମାରୀ ସ୍ୱପ୍ନ । ହାତରେ ହାତଗଣ୍ଠି, ମଥାରେ ସିନ୍ଦୂର, ନାଲି ଶାଢ଼ୀ ପିନ୍ଧି ନୂଆ ବୋହୂ ସାଜି ଯାଇଥିଲେ ଶାଶୁଘର । କେଡେ ସୁନ୍ଦର ଦେଖାଯାଉଥିଲା ସେଦିନ ତାଙ୍କର ବଧୂ ବେଶ । ସ୍ୱାମୀଙ୍କ ହାତ ଧରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ । କିନ୍ତୁ ବାହାଘରର ମାତ୍ର ୧୧ମାସରେ ଉଠିଲା ତାଙ୍କ କୋକେଇ । ଏଭଳି ହୃଦୟବିଦାରକ ଘଟଣା ଘଟିଛି ଅସ୍ତରଙ୍ଗ ଥାନା ଅନ୍ତର୍ଗତ କଣ୍ଟପଡା ଗ୍ରାମରେ । ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ନେଇ ବାପଘର ପରିବାର ପକ୍ଷରୁ ଅସ୍ତରଙ୍ଗ ଥାନାରେ ହୋଇଛି ଏକ ହତ୍ୟା ଅଭିଯୋଗ ।
ସୂଚନା ଅନୁଯାୟୀ ଅସ୍ତରଙ୍ଗ ନିକଟ ଆଙ୍କୁଅ ଗ୍ରାମର ପ୍ରତାପ ମହାରଣାଙ୍କ ଝିଅ ଦୀପଶିଖା ମହାରଣା । କଣ୍ଟାପଡା ଗ୍ରାମର ନବଘନ ଓଝାଙ୍କ ପୁଅ ରାଜେଶ ଓଝାଙ୍କୁ ଗତ ୧୧ ମାସ ତଳେ ବିବାହ କରିଥିଲେ । ମୃତା ମହିଳା ଜଣଙ୍କର ଗତ ଫେବୃଆରୀ ମାସରେ ବାହାଘର ହୋଇଥିବାବେଳେ ସେ ବର୍ତ୍ତମାନ ୯ ମାସର ଗର୍ଭବତୀ ଥିବା ଜାଣିବାକୁ ମିଳିଛି । ମାଆ ହେବା ଖୁସିରେ ତାଙ୍କ ପାଦ ତଳେ ଲାଗୁନଥିଲା । ନୂଆ ନୂଆ ବାହାଘର ସାଙ୍ଗକୁ ମାଆ ହେବାର ଖୁସି ଗୋଟେ ନାରୀ ପାଇଁ କେତେ ସୌଭାଗ୍ୟର କଥା ସେ ନାରୀ ହିଁ ଅନୁଭବ କରିପାରିବ । ହେଲେ କଣ ହେଲା କେଜାଣି ହଠାତ୍ ଖୁସିରେ ଲାଗିଗଲା କାହା ନଜର ।
ଗତକାଲି ବ୍ଳକ୍ ରେ କିଛି ଜରୁରୀ କାର୍ଯ୍ୟ ପାଇଁ ସ୍ୱାମୀ ରାଜେଶ ବାହାରକୁ ଯାଇଥିବାବେଳେ, ମଧ୍ୟାହ୍ନ ସମୟରେ ସ୍ତ୍ରୀଙ୍କୁ ବାରମ୍ବାର ଫୋନ୍ କରିଥିଲେ । କିନ୍ତୁ ସେ ଫୋନ୍ ଉଠାଇନଥିଲେ । ହେଲେ କିଛି ସମୟ ପରେ ରାଜେଶ ଘରେ ପହଁଚି ଦେଖନ୍ତି ତ ଶୋଇବା ଘର ଭିତରେ ସ୍ତ୍ରୀଙ୍କ ମୃତଶରୀର । ତାପରେ ଚାରିଆଡେ ପ୍ରଘଟ ହୋଇଗଲା ଏହି ଖବର ।
ଏହି ଘଟଣାପରେ ଦୀପଶିଖାଙ୍କ ପରିବାର ପକ୍ଷରୁ ଯୌତୁକଜନିତ ହତ୍ୟା ବୋଲି ଅଭିଯୋଗ କରି ଦୀପଶିଖାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପଟେ ଶାଶୁ ଘର ଲୋକେ ବୋହୂ ନିଜର ଜୀବନ ନିଜେ ନେଇଥିବା କହିଛନ୍ତି । ଘଟଣାସ୍ଥଳରେ ଅସ୍ତରଙ୍ଗ ପୋଲିସ୍ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବା ସହ ସ୍ୱାମୀ ରାଜେଶଙ୍କୁ ଥାନାରେ ଅଟକ ରଖାଯାଇ ଅଧିକ ତଦନ୍ତ କରାଯାଉଛି ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।
ଦୀପଶିଖା ଭାବିଥିଲେ ଶାଶୁଘରକୁ ନିଜର କରି ବାକି ଜୀବନ ସେଇଠି ହିଁ କାଟିଦେବେ । ହେଲେ ତାଙ୍କର ଏହି ଖୁସିର ସ୍ୱପ୍ନରେ ସତେ ଯେମିତି ଲାଗିଗଲା କାହାର କଳା ନଜର । କ୍ଷଣକ ମଧ୍ୟରେ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର୍ ହୋଇଗଲା । ସୁଖର ସଂସାର ଗଢ଼ି ହେଉ ହେଉ ଉଜୁଡ଼ିଗଲା ।