ଦ୍ରୁତଗତିରେ ଗାଡ଼ି ଚାଳନାକୁ ବିରୋଧ କରିବାରୁ ଡ୍ରାଇଭରର ଉନ୍ମତ୍ତକାଣ୍ଡ

ଜଳେଶ୍ଵର: ସତ କହିବାରୁ ଭାରି ବାଧିଲା । ତେଣୁ ଭଲ ମନ୍ଦ ବିଚାର ନକରି ଜୀବନରୁ ମାରିଦେବାକୁ କଲା ଉଦ୍ୟମ । ଗାଳିଗୁଲଜ ସହ ମାରିଲା ଭୁଜାଲିରେ ଚୋଟ । ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ।

ଆଜିକାଲି ଭଲ କହିଲେ ବି ଖରାପ । କିଛି ଲୋକ ନିଜର ଭୁଲ୍ ପାଇଁ କେବେବି ପଶ୍ଚାତାପ କରନ୍ତି ନାହିଁ । ଓଲଟି ବାହାଦୂରିଆ ମାରି ଏମିତି କାଣ୍ଡ ଭିଆଇଥାନ୍ତି, ଯାହା ଏ ସଭ୍ୟ ସମାଜ ପାଇଁ ଜମାରୁ ଗ୍ରହଣୀୟ ନୁହେଁ । ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଦ୍ରୁତଗତିରେ ଗାଡ଼ି ଚାଳନାକୁ ବିରୋଧ କରିବାରୁ ଖାଇବାକୁ ପଡିଲା ଭୁଜାଲି ଚୋଟ । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନଳବହାର ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।

ଖବର ମୁତାବକ, ଦ୍ରୁତ ଗାଡ଼ି ଚାଳନାକୁ ବିରୋଧ କରିବାରୁ ଟାଟା ଏସି ଗାଡ଼ି ଡ୍ରାଇଭରର ଉନ୍ମତ୍ତକାଣ୍ଡ ଏବେ ସମସ୍ତଙ୍କୁ କରିଛି ଆତଙ୍କ । ସାମାନ୍ୟ କଥାକୁ ନେଇ ଡ୍ରାଇଭରର ଭୁଜାଲି ଚୋଟରେ ଦୁଇ ଜଣ ଗୁରୁତର ହୋଇଥିବାବେଳେ, ତିନ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ମୁତାବକ, ଗତକାଲି ରାତିରେ ନାଳବାହାର ଗ୍ରାମର ସୁଶାନ୍ତ ବାରିକ ନଳବାହାର ଛକ ଠାରେ ଥିବା ନିଜର ସେଲୁନ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ସେହି ସମୟରେ ଗ୍ରାମର ଅଣ ଓସାରିଆ ରାସ୍ତାରେ ଏକ ଟାଟା ଏସି ଗାଡ଼ି ଦ୍ରୁତଗତିରେ ତାଙ୍କ ଉପରକୁ ମାଡି ଆସିବାରୁ ସେ ଜୀବନ ବିକଳରେ ବିଲକୁ ଡେଇଁ ପଡିଥିଲେ ।

ଏନେଇ ସୁଶାନ୍ତ ଉକ୍ତ ଟାଟା ଏସି ଗାଡିର ଡ୍ରାଇଭର ରୁଦ୍ର ଦାସକୁ ତାଗିଦ କରିବାରୁ ଡ୍ରାଇଭର ଜଣକ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରି ସେଠାରୁ ପଳାଇ ଯାଇଥିଲା । ତେବେ ଏତିକିରେ କଥା ସରିନଥିଲା ଆଜ୍ଞା । କିଛି ସମୟ ପରେ ଡ୍ରାଇଭର ରୁଦ୍ର ସୁଶାନ୍ତଙ୍କ ଘରକୁ ଆସି ତାଙ୍କ ପରିବାର ଲୋକଙ୍କୁ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲା । ଆକ୍ରମଣରେ ସୁଶାନ୍ତଙ୍କ ପରିବାରର ୫ଜଣ ସଦସ୍ୟ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ବସ୍ତା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏପଟେ ଖବର ପାଇ ବସ୍ତା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତ ରୁଦ୍ରକୁ ଥାନାକୁ ଆଣି ଅଟକ ରଖିବା ସହ ପଚରାଉଚରା କରୁଛି ।

ଆଜିକାଲି ସବୁଠି ଦ୍ରୁତଗତିରେ ଗାଡି ଚଳାଇବା ଦ୍ୱାରା ଅନେକ ଅଘଟଣ ଘଟୁଛି । ହେଲେ ଆଜିର ଏହି ଘଟଣାରେ ଦ୍ରୁତଗତିରେ ଗାଡି ଚଳାଇବାକୁ ବାରଣ କରିବାରୁ ଘଟିଛି ଅଘଟଣ । ଏଭଳି ବେପରୁଆ ଡ୍ରାଇଭର ମନ ଇଚ୍ଛା ଗାଡି ଚଳାଇବେ ଆଉ ଏମାନଙ୍କୁ କିଛି କହିବନି । ନା କଣ ଦର୍ଶକବନ୍ଧୁ । ତେବେ ଏଭଳି ଏକ ଘଟଣାକୁ ସଭିଏଁ ନିନ୍ଦା କରିବା ସହ, ଦୋଷୀ ବିରୋଧରେ ଦଣ୍ଡ ବିଧାନ ହେବା ସହ ପୀଡିତ ପରିବାରଙ୍କୁ ନ୍ୟାୟ ମିଳିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Also read: ଗଂଜାମ ବଲାଡି ଗାଁ ନିକଟ ରାସ୍ତା କଡ଼ରେ ଅଗ୍ନିକାଣ୍ଡ, ବଡ଼ ଧରଣର ଅଘଟଣରୁ ବର୍ତିଯାଇଥିଲେ ଗାଁ ଲୋକେ