ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ, ଜୀବନ ନିଆଯାଇଥିବା ଅଭିଯୋଗ

ସୁଦୂର ଝାଡ଼ଖଣ୍ଡରୁ ଭୁବନେଶ୍ୱରକୁ ପାଠ ପଢ଼ିବା ପାଇଁ ଆସିଥିଲେ। ସର୍ଜନ ହେବାର ଦେଖିଥିଲେ ସ୍ୱପ୍ନ । କିନ୍ତୁ ସବୁ ସ୍ୱପ୍ନ ଭାଙ୍ଗିଗଲା । ଏ ଦୁନିଆ ଛାଡ଼ି ଚାଲିଗଲେ ଅର୍ଣ୍ଣବ୍ । ଅର୍ଣ୍ଣବଙ୍କ ସ୍ୱପ୍ନରେ ସବୁଦିନ ପାଇଁ ପୂର୍ଣ୍ଣଛେଦ ପଡ଼ିଗଲା । ପରିବାର ଲୋକେ ପୁଅକୁ ନେଇ କେତେ କଣ ସ୍ୱପ୍ନ ଦେଖିଥିଲେ । କିନ୍ତୁ ପୁଅ ଯେ ଏମିତି ସମସ୍ତଙ୍କୁ ଏକାକରି ଚାଲିଯିବ କେହି କେବେ କଳ୍ପନା ବି କରିନଥିଲେ । ଝାଡ଼ଖଣ୍ଡ ଧାନବାଦର ବାସିନ୍ଦା ଅର୍ଣ୍ଣବ୍ କ୍ରିଷ୍ଣା ପାଠ ପଢ଼ିବା ପାଇଁ ଭୁବନେଶ୍ୱର ଆସିଥିଲେ । କିନ୍ତୁ ହଠାତ ଘର ଲୋକଙ୍କୁ ଖବର ଆସିଲା ପୁଅ ଜୀବନ ହାରିଛି । ଏଭଳି ଖବର ଶୁଣିବା ପରେ ଘର ଲୋକଙ୍କ ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା । ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ପରିବାର ଲୋକେ । ପୁଅର ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଘରୋଇ କୋଚିଙ୍ଗ ସେଣ୍ଟରରେ ଅର୍ଣ୍ଣବ୍ କ୍ରିଷ୍ଣାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅର୍ଣ୍ଣବକୁ କୋଚିଙ୍ଗ ସେଣ୍ଟରର ର୍କତ୍ତୃପକ୍ଷ ହଇରାଣ ହରକତ କରୁଥିଲେ। ଗତ ୨୮ ତାରିଖରେ ଅର୍ଣ୍ଣବ୍ କ୍ରିଷ୍ଣାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁକୁ ନେଇ ଏଯାଏଁ କିଛି ସ୍ପଷ୍ଟ ସୂଚନା ନାହିଁ । ଅନ୍ୟପଟେ ଏହି ଘଟଣାକୁ ଚାପିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ହଷ୍ଟେଲ କର୍ତ୍ତୃପକ୍ଷ ତରବରିଆ ଭାବେ ସବୁ କାମ କରୁଛନ୍ତି ନିଜ ଦୋଷ ଲୁଚାଇବାକୁ ବୋଲି ମୃତ ଅର୍ଣ୍ଣବଙ୍କ ଭଉଣୀ ଦିବ୍ୟା କୃଷ୍ଣା ଅଭିଯୋଗ କରିଛନ୍ତି । ଏହା ସହ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଜାତୀୟ ସ୍ତରର କୋଚିଙ୍ଗ ସେଣ୍ଟରରେ ଅଙ୍ଗ ଚାଲାଣ ହେଉଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ ଆସିଛି ।

ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ଜୋନ ୬ର ଏସିପି କହିଛନ୍ତି । ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ପ୍ରକାଶ ମାଝୀ ଏହି ମାମଲା ବୁଝୁଛନ୍ତି । ପରିବାର ଅଭିଯୋଗ କ୍ରମେ ତଦନ୍ତ ହେବ । ମୃତଦେହ ବ୍ୟବଚ୍ଛେଦକୁ ର୍ତଜମା କରାଯିବ ବୋଲି ସୂଚନା ମିଳିଛି । ଅର୍ଣ୍ଣବଙ୍କ ଏଭଳି ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ଏପଟେ କୋଚିଂ ସେଣ୍ଟରରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣା ନେଇ କେହିବି ମୁହଁ ଖୋଲୁ ନାହାନ୍ତି । ସେହିପରି କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କର ମଧ୍ୟ ପ୍ରତିକ୍ରିୟା ମିଳି ନାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like