ପାରିବାରିକ କଳହର କରୁଣ ପରିଣତି; ଜୀବନ ହାରିଲେ ସ୍ବାମୀ, ମୁଣ୍ଡ ପିଟି କାନ୍ଦୁଛି ସ୍ତ୍ରୀ

ଏତେ ବଡ଼ ସଂସାରରେ ଏକା କରି ଚାଲିଗଲ । ଛୁଆ ଦୁଇଟିକୁ ବାପା ଛେଉଣ୍ଡ କରି କୁଆଡେ ଗଲ ମୋ ଜୀବନ l ଆଉ କଣ ଫେରିବନି ମୋ ପାଖକୁ…. କାହାକୁ ନେଇ ଏତେ ଟାଣ କରିବି କେମିତି ଏ ଛୁଆ ଦୁଇଟିକୁ ନେଇ ବଞ୍ଚିବି l କିଏ ସାହା ହେବ ଆମକୁ …..l ମୋତେ ଯେତେ ଗାଳି ଦେଇ ଵାଡ଼ାଅ ପଛେ ଫେରି ଆସ ମୋ ଧନ l ଏମିତି କହି କାନ୍ଦି କାନ୍ଦି ତଳେ ଗଡି ଯାଉଥିଲେ ମା ଝିଅ ଦୁଇ ଜଣ l ପାଖରେ ମୁଣ୍ଡରେ ହାତ ଦେଇ ବସି ଥାନ୍ତି ବାପା। ଅନେକ ସମୟ ଧରି ସେମାନଙ୍କୁ ବୁଝାଇ ସୁଝେଇ ସେମାନଙ୍କ କାନ୍ଦ ବନ୍ଦ କରିବା ପାଇଁ ।

କିଛି ସମୟ ପରେ ମା ବାପା ଦୁଇଜଣ କାନ୍ଦୁଥିବା ଝିଅକୁ ଧରି ଚାଲିଗଲେ କ୍ୟାପିଟାଲ ହସ୍ପିଟାଲ ପରିସର ବାହାରକୁ । ଏଣେ ପୁଅଟା ଟିକେ ବୁଝିଲା ବୟସର ହୋଇଯାଇଥାଏ ବୋଲି ସେ ବୁଝିପାରିଥିଲା କି ତା ବାପା ସେମାନଙ୍କୁ ଛାଡ଼ି ଚାଲିଯାଇଛି ଆରପାରିକୁ । ଦୁଃଖ ଆଉ କୋହରେ କୁନି ପୁଅ ଝିଅ ଦୁଇଟା ସିମେଣ୍ଟ ବେଞ୍ଚ ଉପରେ ବସି ଏଣେ ତେଣେ ଚାହୁଁଥିଲେ । କିଛି ବୁଝୁଥିଲେ ଆଉ କିଛି ବୁଝିପାରୁ ନଥିଲେ । ଅବୁଝା ମନ ଝିଅର ଯେତେବେଳେ ସ୍ବାମୀ ଭଳି ଆପଣାର ମଣିଷଟା ଚାଲିଯାଇଛି ବୁଝିବ ବା କେମିତି ? ଜୀବନ ସାରା ଦୁଇଟି ଛୁଆକୁ ନେଇ ସଂସାରର କଷଣକୁ ପାଥେୟ କରି ଏକୁଟିଆ ବଞ୍ଚିବାକୁ ପଡ଼ିବ ଏକଥା ଜାଣିନଥିଲା ସ୍ତ୍ରୀ ।

ତେବେ ଆମେ ଏ ଦୁଃଖଦ ଦୃଶ୍ୟ ସାଉଁଟିଥିଲୁ କ୍ୟାପିଟାଲ ହସ୍ପିଟାଲ ପରିସରରୁ । ଏ ଥିଲା ଗୋଟେ ଦିନ ମଜୁରିଆ ପରିବାରର ଘଟଣା । କିନ୍ତୁ ଥିଲା ଛାତିକୁ ବ୍ୟଥିତ କଲା ଭଳି ବ୍ୟଥାର କଥା । ଆସନ୍ତୁ ଜାଣିବା ଘଟଣା କଣ ଥିଲା ….?

ରାଜଧାନୀ ଭୁବନେଶ୍ବର ତାରିଣୀ ବସ୍ତିରେ ନିଜର ଦୁଇଟି ପୁଅ ଝିଅ ଏବଂ ସ୍ତ୍ରୀକୁ ନେଇ ଭଡ଼ାରେ ରହିଆସୁଥିଲେ ମଙ୍ଗୁଳୁ ଓରଫ ସୁକାନ୍ତ ଗୌଡ଼ । କିନ୍ତୁ ଏମାନଙ୍କ ଘର ଗଞ୍ଜାମ ଜିଲ୍ଲାରେ । ସୁକାନ୍ତଙ୍କ ପାଖରେ ରହୁଥିଲେ ଶାଶୁ ଶଶୁର । ସମସ୍ତେ ଦିନ ମଜୁରିଆ ଭାବରେ କାମ କରିକି ଚଳନ୍ତି । ହେଲେ ସୁକାନ୍ତ ପେଶାରେ ଡ୍ରାଇଭର । କିନ୍ତୁ ସେଥିରେ ବି ପିଲାଛୁଆ ଚଳିବା ପାଇଁ ଅଭାବ ଅନଟନ ଲାଗିରହେ । ଯେଉଁଥିପାଇଁ ଅନେକ ସମୟରେ ସ୍ବାମୀ ସୁକାନ୍ତ ଏବଂ ତାଙ୍କ ସ୍ତ୍ରୀ ମଧ୍ୟରେ କଳିଝଗଡ଼ା ଲାଗି ରହେ । ଏଇ କିଛି ଦିନ ହେବ ସୁକାନ୍ତ ଅଳିଆ ଗାଡ଼ିର ଡ୍ରାଇଭର ଭାବରେ କାମ ପାଇଥିଲେ । ସ୍ତ୍ରୀଙ୍କର କହିବା କଥା ହେଲା ସୁକାନ୍ତ ଅନେକ ସମୟରେ ମଦ ପିଇ ଘରକୁ ଆସି ସ୍ତ୍ରୀକୁ ମାଡ଼ ମାରେ । ଏବଂ ଘଟଣା ଦିନ ମଧ୍ୟ ରାତିରେ ସୁକାନ୍ତ ନିଶାବସ୍ଥାରେ ସ୍ତ୍ରୀ ସହ ପାଟିତୁଣ୍ଡ କରିଥିଲା । ଏବଂ ଶେଷରେ ଚରମ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଜାଣି ନଥିଲେ ସୁକାନ୍ତ ସେ ଚାଲିଗଲା ପରେ ୨ଟି ଛୁଆ ବାପା ଛେଉଣ୍ଡ ହୋଇଯିବେ । ସ୍ତ୍ରୀର ମଥାରୁ ସିନ୍ଦୂର ଲିଭିଗଲା ପରେ ଏ ସମାଜର ଲୋକମାନଙ୍କର ଗଞ୍ଜଣା ସହି ବଞ୍ଚିବାକୁ ପଡ଼ିବ, ଏକଥା ଥରେ ସୁକାନ୍ତଙ୍କର ଭାବିବାର ଥିଲା ।

ଶବବ୍ୟବଚ୍ଛେଦ ପରିସରର ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା । କିନ୍ତୁ ବିଧିର ବିଧାନ ଆଗରେ ସବୁ ନିର୍ବିକାର ଭାବରେ ଦେଖିବା ଛଡ଼ା ଅନ୍ୟ ଉପାୟ ନଥିଲା । ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା କିନ୍ତୁ କାହାର କିଛି ଅଭିଯୋଗ ନଥିଲା । ହେଲେ ଏ ସମାଜରେ ସାମାନ୍ୟ କଥାକୁ ନେଇ ଯିଏ ବି ଯେତେବେଳେ ଏଭଳି ନିଷ୍ପତ୍ତି ନେଉଛନ୍ତି ସେମାନେ ଚିନ୍ତା କରିବା ଦରକାର ସେମାନଙ୍କ ପରିବାର କିଭଳି ଉଜୁଡ଼ି ଯାଉଛି । କେତେ କଷ୍ଟରେ ବଞ୍ଚିବାକୁ ପଡ଼ୁଛି ତାଙ୍କ ଆତ୍ମୀୟ ସ୍ବଜନଙ୍କୁ ।

Also Read:ପାତ୍ର ପଡ଼ାରେ ବୁଲିଲା ଖଣ୍ଡା, ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ