ଦାଦନ ଖଟିବାକୁ ଯାଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ମୟୁରଭଞ୍ଜ: ଆଖିର ଲୁହ ବୋଲମାନୁନି । ଏମିତି ଅବେଳରେ ଭେଣ୍ଡିଆ ପୁଅକୁ ହରାଇ ଏ ବାପାର ଛାତି ଫାଟିପଡୁଛି । କେମିତି ବା ଧୈର୍ଯ୍ୟ ଧରିବ ଘରର ରୋଜଗାରିଆ ବଡ଼ ପୁଅ ଆଉ ଏ ଦୁନିଆରେ ନାହିଁ । ନିଜ କାନରେ ପୁଅର ମୃତ୍ୟୁ ଖବର ଶୁଣି ଧର୍ଯ୍ୟହରା ହୋଇପଡ଼ିଛି ବାପା ଜଣକ । ଏ କଥାକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏପଟେ ସାନ ଭାଇ ବି ଚିନ୍ତାରେ ଏମିତି ଅଚାନକ କ’ଣ ସବୁ ଘଟିଗଲା । ନିକଟରେ ଭାଇ କହିଥିଲା ମୁଁ ଓଡିଶା ଗଲେ ଆମେ ଗାଡି କିଣିବାକୁ ଯିବା । ହେଲେ ସବୁ ସ୍ବପ୍ନ ଅଧୁରା ରହିଯାଇଛି । କାରଣ ଆଉ ଫେରିବନି ବଡ଼ ଭାଇ ।
ଏବେ କାକୁତି ମିନତୀ ହୋଇ ପୁଅ ମୃତ୍ୟୁ ପାଇଁ ନ୍ୟାୟ ମାଗୁଛନ୍ତି । ବାପା ଜଣକ ଅଭିଯୋଗ ଆଣିଛନ୍ତି ମୋ ପୁଅର ମୃତ୍ୟୁ ହୋଇନାହିଁ ତାକୁ କିଏ ମାରି ଦେଇଛି । ପୁଅ ବାହାର ରାଜ୍ୟକୁ ଯାଇଥିଲା ଦାଦନ ଖଟିବାକୁ ହେଲେ ଆଉ ଫେରିଲାନି । ସବୁ ଦିନ ପାଇଁ ଚାଲିଗଲା ଆରପାରିକୁ । ହେଲେ ଦୁଃଖର କଥା ଏବେ ତାଙ୍କ ମରଶରୀର ଆଣିବାକୁ ବି ଘର ଲୋକେ ଅସମର୍ଥ । ମୃତଦେହ ଓଡିଶା ଆଣିବାକୁ ଏବେ ଜିଲ୍ଲା ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ । ଏମିତି ଏକ ଦୁଃଖଦାୟୀ ଘଟଣା ଦେଖିବା ମିଳିଛି ବାରିପଦାର ଏକ ଗାଁରେ ।
ଦାଦନ ଖଟିବାକୁ ଯାଇ ବାଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବାରିପଦା ସଦର ଥାନା ଅଧିନ ରଙ୍ଗାମାଟିଆ ଗ୍ରମାର ପ୍ରକାଶ ବେହେରା । ତାଙ୍କ ବାପା ଟୁନା ବେହେରା । ପରିବାର କହିଲେ ଦୁଇ ପୁଅ ଆଉ ବାପା । ମା’ ଆଉ ଏ ଦୁନିଆରେ ନାହାନ୍ତି । ପ୍ରକାଶ ହେଉଛନ୍ତି ଘରର ବଡ଼ ପୁଅ । ତେବେ କିଛି ବର୍ଷ ପୂର୍ବେ ପ୍ରକାଶ ଜଣେ ବିଧବା ମହିଳାଙ୍କ ପ୍ରେମରେ ପଡିଯାଇଥିଲେ । ଯାହାପରେ ସେ ଆଉ ଘରଲୋକଙ୍କୁ ପଚାରିନଥିଲା । ପରିବାର ସହ ସମ୍ପର୍କ ଭଲ ନ ରହିବାରୁ ଉକ୍ତ ମହିଳା ଜଣକ ପ୍ରକାଶଙ୍କୁ ନେଇ ବାଙ୍ଗାଲୁରୁ ଚାଲିଯାଇଥିଲେ ।
ସେଠାରେ ଏକ ଗାରମେଣ୍ଟ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିଲେ ପ୍ରକାଶ । ତେବେ ବାଙ୍ଗାଲୁରୁ ଯିବା ପରେ ପ୍ରକାଶ ମଝିରେ ମଝିରେ ଘରକୁ ଫୋନ କରନ୍ତି । କିନ୍ତୁ ଗତକାଲି ହଠାତ ଖବର ଆସିଲା ଆଉ ତମ ପୁଅ ନାହିଁ । ଗତକାଲି ବାଙ୍ଗାଲୁରୁର ଏକ ଚିକିତ୍ସାଳୟରେ ପ୍ରକାଶର ମୃତ୍ୟୁ ହୋଇଛି । ହେଲେ ବାପା ମୃତ୍ୟୁର କାରଣ ପଚାରିବାରୁ ପ୍ରତ୍ୟକ ଥର ମୃତ୍ୟୁର ଭିନ୍ନ ଭିନ୍ନ କାରଣ କହିଥିଲେ । ଯାହାପରେ ପରିବାର ଲୋକେ ସ୍ତବ୍ଧ ହୋଇଯାଇଥିଲେ । କଣ କରିବେ କଣ ନାହିଁ କିଛି ବୁଦ୍ଧି ବାଟ ଦିଶିନଥିଲା ବାପା ଭାଇଙ୍କୁ । ଯାହାକୁ ନେଇ ପ୍ରକାଶକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ ।
ଏପଟେ ପାଖରେ ଟଙ୍କା ନଥିବାରୁ ଚାହିଁକି ବି ପୁଅ ପାଖକୁ ଯାଇପାରୁନାହାନ୍ତି । ତେଣୁ ତୁରନ୍ତ ପ୍ରକାଶଙ୍କ ମୃତଦେହ ଫେରାଇ ଆଣିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ପରିବାର ଲୋକେ । ଏ ନେଇ ବାରିପଦା ସଦର ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ପ୍ରକାଶଙ୍କ ବାପା । ପ୍ରକାଶଙ୍କ ଜନ୍ମ ଗରିବ ପରିବାରରେ । ପରିବାର କହିଲେ ଦୁଇ ଭାଇ ଓ ବାପା । ମା’ ଆଉ ଏ ଦୁନିଆରେ ନାହାନ୍ତି । ନିଜ ପେଟ ପାଟଣା ପାଇଁ ଯାଇଥିଲେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ହେଲେ ବିଧାତାର ନିୟମ କିଛି ଅଲଗା ଥିଲା । ତେବେ ପ୍ରକୃତରେ ପ୍ରକାଶଙ୍କ ଜୀବନ କିପରି ଯାଇଛି ତାହା ପୋଲିସ ତଦନ୍ତ ପରେ ସାମ୍ନାକୁ ଆସିବ ।
Also read: ଜଙ୍ଗଲ ମଧ୍ୟରୁ ମିଳିଲା ଛାତ୍ରଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର