ମୋଟର ସାଇକେଲରୁ ତଳେପଡି ମେରୁଦଣ୍ଡ ଭାଙ୍ଗିଯାଇଛି, ସହାୟତା ପାଇଁ ଗୁହାରୀ କରିଛନ୍ତି ପରିବାର

ନୂଆପଡା: ଖଟରେ ହିଁ ଖାଉଛି, ପିଉଛି ଏବଂ ସମସ୍ତ ନିତ୍ୟକର୍ମ ମଧ୍ୟ ଖଟରେ ହିଁ ସମ୍ପାଦନ କରୁଛି । ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ପୁଅ ଜୀବନ ମରଣ ସହ ସଂଘର୍ଷ କରୁଛି । ମୋଟର ସାଇକେଲ ଦୁର୍ଘଟଣାରେ ମେରୁଦଣ୍ଡ ଭାଂଗିଯିବାରୁ ଆଜି ତାଙ୍କର ଏ ଅବସ୍ଥା । ଆମେ କହୁଛୁ ନୂଆପଡା ଜିଲ୍ଲା କୋମନା ବ୍ଲକ ଛିନ୍ଦପାଣି ଗାଁର ଦିନମଜୁରିଆ ହରିସିଂ ମାଝିଙ୍କ ପୁଅ ଜୁଗସାଏ ମାଝିଙ୍କ କଥା ।

ଗତ ବର୍ଷ ମୋଟର ସାଇକେଲରୁ ତଳେପଡି ମେରୁଦଣ୍ଡ ଭାଙ୍ଗିଯାଇଥିଲା। ବାପା ହରିସିଂ ଗୁରୁତର ଅବସ୍ଥାରେ ପୁଅ ଜୁଗସାଏ ମାଝିକୁ ଉଦ୍ଧାର କରି ତୁରନ୍ତ ରାୟପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ କିଛିଦିନ ଚିକିତ୍ସା ହେବା ପରେ ବିଜୁସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିଥିବା କାର୍ଡରେ ଥିବା ଟଙ୍କା ମଧ୍ୟ ସରିଗଲା । ହେଲେ ଜୁଗସାଏଙ୍କ ମେରୁଦଣ୍ଡ ଭଲ ହୋଇନଥିଲା । ପରିଶେଷରେ ହରିସିଂ ଅର୍ଥାଭାବ ଯୋଗୁଁ ନିଜ ପୁଅ ଜୁଗସାଏକୁ ଡାକ୍ତରଖାନାରୁ ନିଜ ଘରକୁ ଫେରାଇ ଆଣିଥିଲେ । ସେହିଦିନଠାରୁ ପୁଅ ଜୁଗସାଏ ଚିକିତ୍ସା ଅଭାବରୁ ବିଛଣାରେ ପଡିରହି ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛି । ଏବେ ହରିସିଂଙ୍କ ପରିବାର ଲୋକେ ଦି ଓଳି ଖାଇବାକୁ ତାଙ୍କ ପକ୍ଷରେ କଷ୍ଟକର ହେଉଥିବା ବେଳେ ପୁଅଟିର ଉପଯୁକ୍ତ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟତା ପଡୁଛି । ଏତେ ଟଙ୍କା ଜୁଟେଇବା ତାଙ୍କ ପାଇଁ ବହୁ କଷ୍ଟସାଧ୍ୟ ହୋଇପଡିଛି । ରୋଗାଗ୍ରସ୍ତ ପୁଅର ଚିକିତ୍ସା ପାଇଁ ପରିବାର ଲୋକେ ଧାରଉଧାର କରି ଅନେକ ଛୋଟ ବଡ ଡାକ୍ତରଖାନାକୁ ଯାଇ ବହୁ ଖର୍ଚ୍ଚାନ୍ତ ହୋଇ ଏବେ ସର୍ବଶ୍ବାନ୍ତ ହୋଇ ପଡିଛନ୍ତି । ପୁଅକୁ ଉପଯୁକ୍ତ ଚିକିତ୍ସା ଯୋଗେଇ ଦେବା ପାଇଁ ହରିସିଂ ଓ ତାଙ୍କ ପରିବାର ଲୋକେ ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ଦୁର୍ଘଟଣା ହେବାପରେ ଜୁଗସାଏଙ୍କ ପାଠପଢାରେ ଡୋରି ବନ୍ଧା ହୋଇଯାଇଛି । ଦୁର୍ଘଟଣା ଯୋଗୁଁ ଛାତ୍ର ଜୁଗସାଏ ଗତବର୍ଷ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ବେଳେ ଏବର୍ଷ ମଧ୍ୟ ସେ ମାଟ୍ରିକ ପରିକ୍ଷା ଦେବା ପାଇଁ ଆଶଙ୍କା ଦେଖାଦେଇଛି । ଚିକିତ୍ସା ଅଭାବରୁ ଛାତ୍ର ଜୁଗସାଏଙ୍କ ସ୍ଵାସ୍ଥ୍ୟବସ୍ଥା ଦିନକୁ ଦିନ ଅତି ଶୋଚନୀୟ ହେବାରେ ଲାଗିଛି । ଏନେଇ କୋମନା ବିଡିଓ ଏବଂ ଜିଲାପ୍ରଶାସନ ନିକଟରେ ଲିଖିତ ଜଣେଇବା ସହ ତାଙ୍କ ପୁଅ ଜୁଗସାଏ ମାଝିଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗେଇ ଦେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି । ସେହିଭଳି ଜୁଗସାଏଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗେଇଦେବା ପାଇଁ ସହୃଦୟ ବ୍ୟକ୍ତି ମାନଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।