କେନ୍ଦ୍ରାପଡ଼ା : ଏଇ କିଛି ଦିନ ହେଲା ଘରକୁ ଆସିଥିଲା ପୁଅ । କାଲି ରାତିରେ ମଧ୍ୟ ମୋ ପୁଅ ମୋ ସହ କଥା ହୋଇଥିଲେ । ଖାଲି ମୋ ସହ ନୁହେଁ ସମସ୍ତଙ୍କ ସହ ବହୁତ ଭଲରେ କଥା ହୋଇଥିଲା । ଆଉ ତା ପରେ ସେ ରାତିରେ ଭଲରେ ଖାଇ ପିଇ ଶୋଇଥିଲା । ହେଲେ ରାତି ପାହିଲା ବେଳକୁ ଗୋଟିଏ ନମ୍ବରରେ କଲ୍ ଆସିଥିଲା । ସେ କଲ୍ ଥିଲା ଗୋଟିଏ ଝିଅର । ସେ ହିନ୍ଦିରେ ମୋ ସହ କଥା ବାର୍ତ୍ତା ହୋଇଥିଲା ଆଉ ମୁଁ ତା କଥା ବୁଝିକି ଠିକ୍ ରେ ଉତ୍ତର ଦେଇପାରିନଥିଲି ବୋଲି ସେ ପରିବାରର ଅନ୍ୟ ସଦସ୍ୟଙ୍କ ସହ କଥା ହେବେ ବୋଲି କହିଥିଲେ । ମୁଁ ମଧ୍ୟ କିଛି ନ ଭାବି ତୁରନ୍ତ ଫୋନ୍ ଦେଇଥିଲି । ଆଉ ସେହି ଫୋନ୍ କଲ୍ ରେ ସେ ଯାହା କହିଥିଲା ତାକୁ ଶୁଣି ମୋ ପାଦ ତଳୁ ମାଟି ଖସି ଯାଇଥିଲା । ସେ ଝିଅ କହିଥିଲାକି ମୋ ପୁଅର କୁଆଡ଼େ ଡେଥ୍ ହେଇଯାଇଛି ।
ନିଜ କାନରେ ପୁଅର ମୃତ୍ୟୁ ଖବର ଶୁଣି ଧର୍ଯ୍ୟହରା ହୋଇପଡ଼ିଥିଲେ ଏଇ ବାପା ଜଣକ । ଏକଥାକୁ ସେ ସହଜରେ ଗ୍ରହଣ କରିପାରିନଥିଲେ । ଏବେ କାକୁତି ମିନତୀ ହୋଇ ପୁଅ ମୃତ୍ୟୁ ପାଇଁ ନାୟ ମାଗୁଛନ୍ତି । ବାପା ଜଣକ ଅଭିଯୋଗ ଆଣିଛନ୍ତି ମୋ ପୁଅର ମୃତ୍ୟୁ ହୋଇନାହିଁ ତାକୁ କିଏ ମାରି ଦେଇଛି । ଏଭଳି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଅଞ୍ଚଳରେ ଘଟିଯାଇଛି ।
ତେବେ ସମ୍ପୂର୍ଣ୍ଣ ଘଟଣା କଣ ଆସନ୍ତୁ ଜାଣିବା… ଗୋଆରେ କାର୍ଯ୍ୟରତ ଜଣେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି l ମୃତ ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଜମଧର ପଞ୍ଚାୟତ କଷୋଟି ଗାଁର ସିଦ୍ଧାର୍ଥ ନାଥ l ତାଙ୍କ ବାପା କୁଞ୍ଜବିହାରୀ ନାଥ । କୁଞ୍ଜବିହାରୀ ସୋମବାର ରାତିରେ ତାଙ୍କ ପୁଅ ସହିତ ଫୋନ୍ ଯୋଗେ କଥା ହୋଇଥିଲେ l କିନ୍ତୁ ଆଜି ସକାଳୁ କେହି ଜଣେ ମହିଳା ତାଙ୍କ ପୁଅ ମରିଯାଇଥିବା ନେଇ ସୂଚନା ଦେଇଥିଲେ l ସେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ସିଦ୍ଧାର୍ଥ କୁଆଡ଼େ ଜୀବନ ହାରିଛନ୍ତି । ଏହି ଖବର ପାଇବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି l
ତେବେ ଗତ ୩ ବର୍ଷ ହେବ ସିଦ୍ଧାର୍ଥ ଗୋଆରେ ରହି ଏକ ହୋଟେଲରେ କାମ କରୁଥିଲେ l ଗତ ମାର୍ଚ୍ଚ ମାସରେ ସେ ଘରକୁ ଆସିଥିଲେ ଓ ଏପ୍ରିଲ ୧ ତାରିଖରେ ଗୋଆ ଫେରି ଯାଇଥିଲେ l ନିଜର ଏକମାତ୍ର ପୁଅକୁ ହରାଇ ସିଦ୍ଧାର୍ଥଙ୍କ ବାପାମାଆ ପାଗଳ ପ୍ରାୟ ହୋଇ ପଡ଼ିଛନ୍ତି l ସିଦ୍ଧାର୍ଥ ଜୀବନ ହାରି ନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି l ତେବେ ପୁଅର ଶବ ଫେରାଇ ଆଣିବା ପାଇଁ ପରିବାର ଲୋକେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି l