ସ୍କୁଲ ସାମ୍ନାରେ ମୃତଦେହ ରଖି ନ୍ୟାୟ ପାଇଁ ବିକ୍ଷୋଭ କଲେ ପରିବାର ଲୋକ

ପୁଅକୁ ହଷ୍ଟେଲରେ ଛାଡ଼ିଥିଲେ ପାଠ ପଢ଼ିବା ପାଇଁ । ଭଲ ପାଠ ପଢ଼ୁଥିଲା ପୁଅ । କିନ୍ତୁ ସ୍କୁଲରୁ ହଠାତ ଖବର ଆସିଲା ପୁଅ ଆଉ ନାହିଁ । ଜୀବନ ହାରି ଦେଇଛି ପୁଅ । କେତେ ଗେଲ ବସରରେ ପୁଅକୁ ବଡ଼ କରିଥିଲେ କିନ୍ତୁ ଏମିତି ଅକାଳରେ ତାର ଜୀବନ ଗଲା ବା କେମିତି ? ସନ୍ଦେହରେ ପରିବାର ଲୋକେ ପୁଅର ହତ୍ୟା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ।

ଆଉ ମୃତ ଦେହକୁ ସ୍କୁଲ ସାମ୍ନାରେ ରଖି ପରିବାର ତଥା ଗାଁ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଦେଲେ । ଛାତ୍ରର ଏମିତି ମୃତ୍ୟୁକୁ ନେଇ ଆରମ୍ଭ ହେଲା ଉତ୍ତେଜନା । ଗତ ମଙ୍ଗଳବାର ରାଉରକେଲାର ଏକ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା ହୋଇଥିବା ଅଭିଯୋଗ କରୁଛନ୍ତି ପରିବାର ଲୋକେ । ବ୍ୟବଚ୍ଛେଦ ପରେ ପରିବାର ଲୋକେ ଏବଂ ଗ୍ରାମବାସୀମାନେ ଏକାଠି ହୋଇ ମୃତଦେହକୁ ସ୍କୁଲ ସାମ୍ନାରେ ରଖି ବିକ୍ଷୋଭ କରିଥିଲେ । ଅଷ୍ଟମ ଶ୍ରେଣୀ ଛାତ୍ର ମୁକେଶ ମିଞ୍ଜଙ୍କ ଜୀବନ ଯାଇଛି । ତେବେ ସନ୍ଦେହ ଜନକ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି ।

କୁଆରମୁଣ୍ଡା ତହସିଲଦାର ଏବଂ ବିରମିତ୍ରପୁର ଏସଡିପିଓ ମଧ୍ୟ ସ୍କୁଲକୁ ଆସିଥିଲେ କିନ୍ତୁ ତାଙ୍କୁ ମଧ୍ୟ ହଟହଟା ହେବାକୁ ପଡିଥିଲା । ସ୍କୁଲରେ କେଉଁ କାରଣରୁ ଛାତ୍ର ମୃତ୍ୟୁ ଘଟିଲା ତାର ଉତ୍ତର ଏବଂ ନ୍ୟାୟ ଲାଗି  ସ୍କୁଲରେ ଚପା ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ଘଣ୍ଟାଏ ରୁ ଅଧିକ ସମୟ ପର୍ଯ୍ୟନ୍ତ ଛାତ୍ରଙ୍କ ମୃତଦେହକୁ ସ୍କୁଲ ଆଗରେ ରଖି ନ୍ୟାୟ ଭିକ୍ଷା କରିଥିଲେ ପରିବାର । ହତ୍ୟା ବା ହଷ୍ଟେଲରେ ଅତ୍ୟାଚାର ହେଉଥିବା ଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତ ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଘଟଣା ସ୍ଥଳକୁ  ପାନପୋଷ ଉପଜିଲ୍ଲାପାଳ, ପାନପୋଷ ପିଏ ଆଇଟିଡିଏ ଓ ଡିଡବ୍ଲୁଓ ପହଞି ଘଟଣାର ଅନୁସନ୍ଧାନ କରିଥିବା ବେଳେ ଛାତ୍ର ମୃତ୍ୟୁର ତଦନ୍ତ ହେବ ବୋଲି ପ୍ରତିଶୃତି ଦେଇଥିଲେ ।

ଏଠାରେ ପ୍ରଶ୍ନ ଉଠୁଛି ପିଲା ରହିବା ସହ କର୍ମଚାରୀ ବି ହଷ୍ଟେଲରେ ରୁହନ୍ତି । କିନ୍ତୁ ଛାତ୍ରଙ୍କ ମୃତ୍ୟୁକୁ ନେଇ କେହି କେମିତି ଜାଣି ପାରିଲେନି । ତେବେ ଏ ଘଟଣାର ତଦନ୍ତ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।