ଦାହ ସଂସ୍କାର ପାଇଁ କାଠ ଅଭାବ, ଡିଏଫଓଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଲେ ପରିବାରବର୍ଗ

କୁହାଯାଏ ମୃତ୍ୟୁ ପରେ ଦାହ ସଂସ୍କାର କରାଗଲେ ହିଁ ଆତ୍ମାକୁ ମୋକ୍ଷ ମିଳେ । କିନ୍ତୁ ଦାହ ସଂସ୍କାର ପାଇଁ ଯଦି କାଠ ମିଳିବନି ତେବେ କାହା ପାଖକୁ ଯିବେ ମୃତକଙ୍କ ସମ୍ପର୍କୀୟ । ଏମିତି କିଛି ପ୍ରଶ୍ନକୁ ନେଇ ଧାରଣା ଦେଇଛନ୍ତି ଶହ ଶହ ଲୋକେ । ପଡ଼ି ରହିଥିଲା ଦୁଇ ଦୁଇଟି ମୃତଶରୀର । କାନ୍ଧ ଦେବା ପାଇଁ ସାହି ଭାଇ ସବୁ ଥିଲେ । କିନ୍ତୁ ଅନ୍ତିମ ସଂସ୍କାର କରାଯିବା ପାଇଁ କାଠ ନଥିଲା । ଆଉ ଶେଷରେ ବାଧ୍ୟ ହୋଇ ମୃତକଙ୍କ ପରିବାର ଲୋକଙ୍କ ସହ ସ୍ଥାନୀୟ ବାସିନ୍ଦା ଡିଏଫଓଙ୍କ ବାସବଭନ ସମ୍ମୁଖରେ ଧାରଣା ଦେଇଥିଲେ । ଦୀର୍ଘ ସମୟ ଧରି ରାସ୍ତାରେ ପଡ଼ି ରହିଥିଲା ମୃତଶରୀର ।

ଗତ ଶନିବାର ସୁନ୍ଦରଗଡ଼ ହେମଗିରି ଗଡ଼ ତୁମୁଳିଆ ଅଞ୍ଚଳରେ ଘଟି ଯାଇଥିଲା ନାରକୀୟ କାଣ୍ଡ । ଯେଉଁଥିରେ ଦୁଇଜଣ ମୃତ୍ୟୁ ବରଣ କରିଥିଲେ । ପାରବାରିକ ଗଣ୍ଡଗୋଳକୁ ନେଇ ଜଣେ ଯୁବକ ନିଜ ଖୁଡ଼ି ଓ ଖୁଡ଼ିର ମା’ଙ୍କ ଜୀବନ ନେଇଥିଲା । ଘରେ ଦୁଃଖର କଳା ବାଦଲ ଖେଳି ଯାଇଥିଲାବେଳେ ଦୁଇ ଜଣଙ୍କ ମୃତଶରୀରର ଦାହ ସଂସ୍କାର ପାଇଁ ମିଳିନଥିଲା କାଠ ।

ମୃତଦେହକୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିଲା । କିନ୍ତୁ ପରେ କାଠ ନମିଳିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଦାହ ସଂସ୍କାର କରାଯାଇନଥିଲା । ଦୁଃଖର ବିଷୟ ଦାହ ସଂସ୍କାର ପାଇଁ କାଠ ନମିଳିବାରୁ ପ୍ରସାସନକୁ ଅବଗତ କରାଯାଇଥିଲା କିନ୍ତୁ ବନ ବିଭାଗ ପକ୍ଷରୁ କାଠ ଦିଆଯିବା ନେଇ କୌଣସି ପଦକ୍ଷେପ ନିଆଯାଇ ନଥିଲା । ତେଣୁ ଜିଳ୍ଲାର ଶହ ଶହ ଲୋକ ଓ ପରିବାର ଲୋକେ ଦୁଇ ମୃତଦେହକୁ ଧରି ସୁନ୍ଦରଗଡ଼ ଡିଏଫଓ ବାସଭବନ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ଶେଷରେ ନିରାଶ ହୋଇ ଦୁଇ ମୃତଶରୀରର ଅନ୍ତିମ ସଂସ୍କାର କରାଯାଇଥିଲା ।

ଏଠାରେ ପ୍ରଶ୍ନ ଉଠୁଛି ସୁନ୍ଦରଗଡ଼ରେ ଏପରି କାଠର ଅଭାବ କାହିଁକି ଦେଖାଯାଇଛି । ଏଭଳି ସମସ୍ୟା ପ୍ରତି ପ୍ରଶାସନ କାହିଁକି ଦ୍ରୁଷ୍ଟି ଦେଉ ନାହିଁ । ଯଦି ଏଭଳି ସମସ୍ୟା ଲାଗି ରୁହେ ତେବେ ଦାହ ସଂସ୍କାର କରିବା ମୁସ୍କିଲ ହୋଇପଡ଼ିବ । ତେଣୁ ତୁରନ୍ତ ଏ ସମସ୍ୟାର ସମାଧାନ କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Also Read: ତାମିଲନାଡୁ : ବିଜେପି ଅଧ୍ୟକ୍ଷଙ୍କୁ ଉଠାଇନେଲା ପୋଲିସ, ୧୦୦୦ କୋଟି ଟଙ୍କାର ଅନିୟମିତତା ବିରୋଧରେ ଦେଇଥିଲେ ଧାରଣା