ଦୁର୍ଘଟଣାରେ ମୃତ୍ୟୁକୁ ୧୮ ବର୍ଷ ବିତିଲାଣି କିନ୍ତୁ ମିଳୁନି କ୍ଷତିପୂରଣ, ଜିଲ୍ଲାପାଳଙ୍କୁ ଗୁହାରି କଲେ ମୃତକଙ୍କ ପରିବାର

କେନ୍ୟୁଜ୍(ବ୍ୟୁରୋ): ଆମ୍ବୁଲାନ୍ସ ଗାଡ଼ି ଚାଳକଙ୍କ ଅସାବଧାନତାରୁ ଦୁର୍ଘଟଣାରେ ମୃତ୍ୟୁକୁ ୧୮ ବର୍ଷ ବିତିଲାଣି । ହେଲେ ଏଯାଏଁ କ୍ଷତିପୂରଣ ମିଳିନଥିବାରୁ ପୁଣି ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି ମୃତକଙ୍କ ପରିବାର । ଅଭିଯୋଗ ଅନୁଯାୟୀ, କଟକ ଅବକାରୀ ବିଭାଗରେ କାମ କରୁଥିବା ସାକ୍ଷୀଗୋପାଳ ହାଟସାହିର ପର୍ଶୁରାମ ମହାନ୍ତି ଘର କାମ କରୁଥିବା ବେଳେ କାନ୍ଥପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ବାଟରେ ଆମ୍ବୁଲାନ୍ସ ଗାଡ଼ି ଚାଳକଙ୍କ ଅସାବଧାନତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ଆମ୍ବୁଲାନ୍ସ ଗାଡ଼ିର କାଗଜପତ୍ର ମଧ୍ୟ ଠିକ୍‌ ନଥିଲା ।

ଦୁର୍ଘଟଣାଜନିତ କ୍ଷତିପୂରଣ ବାବଦ ୯ ଲକ୍ଷ ୭୭ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯେତେଦିନ ଯାଏ ଏହି କ୍ଷତିପୂରଣ ରାଶି ଦିଆଯାଇନଥିବ ସେତେବେଳେ ଯାଏ ୭ ପ୍ରତିଶତ ସୁଧ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ରହିଥିଲା । ହେଲେ ଏଭିତରେ ୧୮ ବର୍ଷ ବିତିଯାଇଥିଲେ ହେଁ ସୁଧ ରାଶି ତ ଦୂରର କଥା ମୂଳ ଟଙ୍କା ବି ମିଳିନାହିଁ । ଅଭାବ ଅନଟନରେ ଥିବା ମୃତ ପର୍ଶୁରାମ ମହାନ୍ତଙ୍କ ପରିବାର ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି । ୨୪ ତାରିଖ ମଧ୍ୟରେ ଅଦାଲତ ନିର୍ଦ୍ଦେଶ ଦେଇଥିବା ଅନୁଦାନ ରାଶି ପ୍ରଦାନ କରାନଗଲେ ପରିବାର ସହ ଅନଶନରେ ବସିବେ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.