କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରର ଦୁଃଖ, ନିୟମ ପାଳି ଥିଲେ ବି ମିଳୁନି ଡେଥ ସାର୍ଟିଫିକେଟ

କେନ୍ଦ୍ରାପଡା (କେ ନ୍ୟୁଜ):  କରୋନାରେ ସ୍ବାମୀଙ୍କର ମୃତ୍ୟୁ ହେଲା । ଗାଇଡ଼ ଲାଇନ ଅନୁଯାୟୀ ସ୍ବାମୀଙ୍କ ମୃତଦେହକୁ ପରିବାରକୁ ଦିଆନଯାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶବ ସତ୍କାର କରା ଯାଇଥିଲା । ସ୍ବାମୀଙ୍କ ଠାରୁ ସଂକ୍ରମିତ ହୋଇ ପତ୍ନୀଙ୍କ ସମେତ ପରିବାରର ପୁଅ,ଝିଅଙ୍କୁ ମିଶାଇ ପରିବାରର ୫ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ ।ଏତେ ସବୁ ସତ୍ତ୍ୱେ ପତ୍ନୀ ଅଭିଯୋଗ କରିଛନ୍ତିକି ତାଙ୍କୁ ଏଯାବତ ସ୍ବାମୀଙ୍କ କରୋନା ମୃତ୍ୟୁର ସାର୍ଟିଫିକେଟ ମିଳିନାହିଁ । ଏଭଳି ଏକ ଅଭାବନୀୟ ତଥା ଦୁଃଖଦାୟକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି କୁମାରଟଙ୍କା ଗ୍ରାମରେ । ୩୪ ବର୍ଷିୟ ଆନନ୍ଦ ମହାରଣା । ଚାକିରୀ କରନ୍ତି ବାଙ୍ଗଲୋରର ଏକ ଘରୋଇ ବ୍ୟାଙ୍କରେ । ଗତ ମାସରେ ବାଙ୍ଗାଲୋରରୁ ଘରକୁ ଆସି ହୋମ କ୍ବାରେଣ୍ଟିନରେ ରହୁଥିବା ସମୟରେ ହଟାତ ଅସୁସ୍ଥ ହୋଇ ପଡିଥିଲେ ।

ଆଳି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯିବାରୁ ସ୍ବାବକୁ ଟେଷ୍ଟ ପାଇଁ ନିଆ ଯାଇଥିଲା । ସ୍ବାବଟେଷ୍ଟ ରିପୋର୍ଟ ଅସ୍ପଷ୍ଟ ଆସିଲା, ମାତ୍ର ଆନନ୍ଦ ଗୁରୁତର ଅସୁସ୍ଥ ହୋଇପଡିବାରୁ ଜୁଲାଇ ୧୯ ତାରିଖରେ ତାଙ୍କୁ ଛତା ସ୍ଥିତ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଗଲା । ସେଠାରେ ଚିକିତ୍ସା ପୂର୍ବରୁ ହିଁ ଆନନ୍ଦଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ପରିବାରକୁ ମୃତ ଶରୀର ହସ୍ତାନ୍ତର ନକରି ନିଜ ଦାୟିତ୍ବରେ କେନ୍ଦ୍ରାପଡାର କଜଳାରେ ଆନନ୍ଦଙ୍କ ଶବଦାହ କରିଦେଲେ । ଏହା ସହ କୁମାରଟଙ୍କା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଥିଲେ ।ଗ୍ରାମରୁ ୧୩୦ ଜଣଙ୍କର ସମୁହ ସ୍ବାବ ସଂଗ୍ରହ କଲେ ।

ପରିବାରର ୫ ଜଣଙ୍କ ସମେତ ସମୁଦାୟ ୧୪ ଗ୍ରାମବାସୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏତେ ସବୁ ଘଟଣା ପରେ କିନ୍ତୁ ପତ୍ନୀ କଳ୍ପନା ପାଇ ପାରୁନାହାନ୍ତି ସ୍ବାମୀ ଆନନ୍ଦଙ୍କ କରୋନା ମୃତ୍ୟୁର ସାର୍ଟିଫିକେଟ । ଫଳରେ ଆନନ୍ଦ ଚାକିରୀ କରୁଥିବା ବ୍ୟାଙ୍କକୁ ସାର୍ଟିଫିକେଟ ଦେଇ ପାରୁ ନାହାନ୍ତି କି ବ୍ୟାଙ୍କରୁ ସହାୟତା ପାଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ଆନନ୍ଦଙ୍କ ପତ୍ନୀ କଳ୍ପନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.