ଛତିଶଗଡ଼ରେ ନୟାଗଡ଼ର ଓଡିଆ RPF ଯବାନ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ମୃତ ଯବାନଙ୍କ ପରିବାର, କହିଲେ ମାରିଦିଆଯାଇଛି

ନୟାଗଡ଼(କେନ୍ୟୁଜ୍): ନ୍ୟାୟ ଦାବିରେ ମୃତ ଯବାନଙ୍କ ପରିବାର । ତାଙ୍କ ପୁଅକୁ ହତ୍ୟା କରାଯାଇଛି ଓ ଏହା ଆତ୍ମହତ୍ୟା ନୁହେଁ ବୋଲି ଦାବି କରିଛନ୍ତି, ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ହରିପୁର ଗାଁର ଆଲୋକ ସାହୁଙ୍କ ପରିବାର। ଛତିଶଗଡ଼ରେ ରେଳ ସୁରକ୍ଷା କର୍ମଚାରୀ ଭାବେ ଦେଢ ବର୍ଷ ହେବ ଚାକିରି କରିଆସୁଥିଲେ ଆଲୋକ । ଗତ ୧୮ ତାରିଖ ଦିନ ତାଙ୍କ ଦେହ ଖରାପ ଥିବା ଓ ଶୀଘ୍ର ପରିବାର ଲୋକ ପହଞ୍ଚିବା ନେଇ ଘରକୁ ଖବର ଆସିଥିଲା । ହେଲେ ଆଲୋକଙ୍କ ଭିଣୋଇ ଏବଂ ଦାଦା ଯାଇ ଛତିଶଗଡ଼ରେ ପହଞ୍ଚିଲା ବେଳକୁ ଆଲୋକଙ୍କ ମୃତଦେହ ଘର ଭିତରେ ଫ୍ୟାନରେ ଝୁଲୁଛି । ତେବେ ଆଲୋକଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଥିଲା ଏବଂ ଘର ସାରା ବ୍ଲଡ୍‌ର ଛିଟା ପଡିଥିଲା । ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ସନ୍ଦେହ କରି ଅଭିଯୋଗ କରିଥିଲେ ମଧ୍ୟ ଛତିଶଗଡ ପୋଲିସ ଏହାକୁ ଆତ୍ମହତ୍ୟା କରିଥିବା କହିଥିଲା ।

nayagarh1

ଛତିଶଗଡ ପୋଲିସ ସହଯୋଗ ନକରିବାରୁ ଆଲୋକଙ୍କ ପରିବାର ସ୍ଥାନୀୟ ବିଧାୟକଙ୍କୁ ସାଙ୍ଗରେ ଧରି ନୟାଗଡ ଜିଲ୍ଲାପାଳ ଏବ୍ନ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି । ପରିବାରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ଫାମିଲି ପେନସନ ସହ ଅନ୍ୟାନ୍ୟ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି । ସେପଟେ କିଭଳି ସରକାରୀ ସହାୟତା ଶୀଘ୍ର ତାଙ୍କୁ ମିଳିବ ସେନେଇ ପଦକ୍ଷେପ ନେବାକୁ ବିଧାୟକ କହିଛନ୍ତି । ରେଳ ବିଭାଗକୁ ଚିଠି କରି ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ଦାବି କରିବେ ଏବଂ ପରିବାରକୁ ସହାୟତା କିଭଳି ଶୀଘ୍ର ମିଳିପାରିବ, ସେନେଇ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଛନ୍ତି ।  ଆଲୋକଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ, ଗ୍ରାମବାସୀଙ୍କ ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.