ସ୍କୁଲ ବାରଣ୍ଡାରେ ଜୀବନ ବିତାଉଛନ୍ତି କଅଁଳ ଦୁଇ ଶିଶୁ
ରେଢ଼ାଖୋଲ (କେନ୍ୟୁଜ) : ମୁଣ୍ଡରେ ଚାଳ ନାହିଁ, ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ। ସ୍କୁଲ ବାରଣ୍ଡାରେ ବିତୁଛି ଜୀବନ। ଆଜିକୁ ପାଞ୍ଚ ଦିନ ହେଲାଣି ସ୍କୁଲ ବାରଣ୍ଡାରେ ଜୀବନ ବିତୁଛି ଦୁଇ ନାତି ସହ ବୃଦ୍ଧ ଅଜା ଆଇଙ୍କର । ଗତ ଲଗାଣ ବର୍ଷାରେ ଘର ଭାଙ୍ଗି ଯିବାରୁ ନିରାଶ୍ରୟ ହୋଇ ଗାଁ ସ୍କୁଲ ବାରଣ୍ଡାରେ ଅତି ଦୟନୀୟ ଅବସ୍ଥାରେ ପଢ଼ିରହିଛନ୍ତି ଏମାନେ ।
ରେଢାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ, ମଧୁପୁର ଗାଁର ମିଲୁ ଜାନୀ ଓ ତାଙ୍କ ସ୍ତ୍ରୀ ଅମ୍ବୁଲ ଜାନୀ। ନିଜର ୨ବର୍ଷ ଓ ୪ବର୍ଷର ଦୁଇ ନାତିଙ୍କ ସହ ଅସହାୟ ଅବସ୍ଥାରେ ସ୍କୁଲ ବାରଣ୍ଡାରେ ପଢିରହିଛନ୍ତି I ନିଜ ଝାଟିମାଟି ଘରେ , ଝାଡୁ ବୁଣି , ବିକ୍ରି କରିବା ସହ ମୁଲ ମଜୁରୀ କରି ଚଳୁଥିଲେ । ପୁଅ ବୋହୁ ତିନି ବର୍ଷ ପୂର୍ବରୁ ଅଜଣା ରୋଗରେ ମୃତ୍ୟୁ ହେଲାପରେ କୁନି କୁନି ଦୁଇ ନାତିଙ୍କୁ ଧରି ଅତି କଷ୍ଟରେ ଚଳୁଥିଲେ ଏହି ବୃଦ୍ଧ ଦମ୍ପତି।
କିନ୍ତୁ ଦଇବ ଦାଉ ସାଜିଲା। ଲଗାଣ ବର୍ଷାରେ ଘର ଭାଙ୍ଗିଗଲା। ନା ପଞ୍ଚାୟତ, ନା ପ୍ରଶାସନ କେହିବି ପାଖ ମାଡି ନାହାନ୍ତି ଏହି ବୃଦ୍ଧ ଦମ୍ପତିଙ୍କ ଦୁଃ ଖ ବୁଝିବାକୁ। କିଏ କେତେବେଳେ କଣ ଦିଟା ଖାଇବାକୁୁ ଦେଲେ ତାକୁ ଖାଇ ବଞ୍ଚୁଛନ୍ତି ବୁଢ଼ା ଅଜା ଆଇ ଓ ଦୁଇ ନାତି।
ପିଲା ଦୁଇଟି ଏତେ ଛୋଟ ଯେ ଜାଣିପାରୁନାହାଁନ୍ତି କଣ ହେଉଛି। ଏପଟେ ଏହି ଦୁଇ ନାତିଙ୍କ ଭବିଷ୍ୟତ କଥା ଭାବି ଚିନ୍ତାରେ ଅଜା ଆଇ। ତାଙ୍କ ଅନ୍ତେ ଏମାନଙ୍କ କଥା କିଏ ବୁଝିବ, ତେଣୁ ସରକାରଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି ଏହି ବୃଦ୍ଧ ଦମ୍ପତି।