ରାଜ୍ୟର ବିଭିନ୍ନ ସ୍ଥାନରେ ନିଆରା ଢ଼ଙ୍ଗରେ ପାଳିତ ହେଉଛି ରଥଯାତ୍ରା

ନିଆରା ଢଙ୍ଗରେ ରଥଯାତ୍ରା । ରଥ ନଥିଲା କି ରଥଟଣା ବି ନଥିଲା । ଏକ ଅଟୋକୁ ସଜାଇ ସେଥିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିଜେ କରାଇ, ଘଣ୍ଟ-ମୃଦଙ୍ଗ ଓ ହରିବୋଲ ଧ୍ୱନିରେ ଗାଁ ପରିକ୍ରମା କରି ରଥଯାତ୍ରା ଆୟୋଜନ କରିଥିଲେ ଗ୍ରାମବାସୀ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ , ମାଧବରିଡା ଗାଁ ରେ ଆୟୋଜିତ ହେଇଥିଲା ଏଭଳି ରଥଯାତ୍ରା । ସଂଧ୍ୟାରେ ମହାପ୍ରଭୁଙ୍କଙ୍କ ପହଣ୍ଡି ବିଜେ ପରେ ବିଳମ୍ବିତ ରାତି ପର୍ଯ୍ଯନ୍ତ ଶ୍ରୀଜଗନ୍ନାଥଙ୍କୁ ପରିକ୍ରମା କରାଯାଇଥିଲା ।

ମାଧବରିଡା ଗାଁ ସ୍ଥିତ ବଡନଦୀ ଆନିକଟ୍‌ ନିକଟରେ ରହିଛି ତ୍ରିବେଣୀ ଆଶ୍ରମ । ଗତ ୨୮ ବର୍ଷ ତଳେ ଜଣେ ଭକ୍ତ ବଡନଦୀରୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହକୁ ପାଇଥିଲେ । ଭକ୍ତ ଜଣକ କିଛିଦିନ ନିଜ ଘରେ ପୂଜା କରିବା ପରେ ପରବର୍ତ୍ତୀ ସମୟରେ ତ୍ରିବେଣୀ ଆଶ୍ରମ ରେ ସ୍ଥାପନ କରିଥିଲେ । କିଛି ଭକ୍ତଙ୍କ ସହଯୋଗରେ ସେଠାରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା । କିଛି ସାଧୁସନ୍ଥ ଏଠାରେ ରହି ମନ୍ଦିର ପରିଚାଳନା କଲେ । ପ୍ରତିଦିନ ରୀତିନୀତି ଅନୁସାରେ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା ମଧ୍ୟ କରାଯାଉଛି । ତେବେ କାଠ ଓ ଅର୍ଥାଭାବ ଯୋଗୁଁ ରଥ ଟିଏ ର୍ନିମାଣ ନହୋଇପାରିବା ଯୋଗୁଁ ପ୍ରଥମେ ଶଗଡ଼ରେ ରଥଯାତ୍ରା ଆୟୋଜନ ହେଉଥିଲା । ଏବେ କାଠ ଓ ଅର୍ଥାଭାବ ଯୋଗୁଁ ତିଆରି ହୋଇପାରିନି କାଠ ରଥ, ପୁଣି ଶଗଡ଼ ନଥିବାରୁ ବାଧ୍ୟହୋଇ ଅଟୋରେ ରଥଯାତ୍ରା କରାଯାଉଥିବା କହିଛନ୍ତି ମନ୍ଦିର ପରିଚାଳନା କରୁଥିବା ସନ୍ଯାସୀ ଓ ଭକ୍ତ ମାନେ ।

ଏମିତିରେ ଭକ୍ତଙ୍କ ବିଶ୍ୱାସ ଓ ଭକ୍ତିର ନିଆରା ପରମ୍ପରା ଦେଖିବାକୁ ମିଳିଛି ମାଧବରିଡା ଗ୍ରାମବାସୀଙ୍କ କ୍ଷେତ୍ରରେ । ଶ୍ରୀଜଗନ୍ନାଥଙ୍କ ପରିକ୍ରମା ସହ , ଗ୍ରାମରେ ପ୍ରତିଷ୍ଠା ହୋଇଥିବା ଠାକୁରଙ୍କ ପ୍ରତିମା କୁ ବିମାନ ରେ ବିଜେ କରାଯାଇ ,ରାତି ପର୍ଯ୍ଯନ୍ତ ଗାଁ ପରିକ୍ରମା କରିଥିଲେ ଭକ୍ତ ମାନେ ।

କେବଳ ସେତିକି ନୁହେଁ ବରଂ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ଖୁବ ଆନନ୍ଦରେ ପାଳନ କରାଯାଇଛି। । ଏ ମିତିରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ବ୍ରାହ୍ମଣ ଶାସନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି ଏକ ନିଆରା ଢଙ୍ଗରେ।

ପୁରୀ ଜିଲ୍ଲା ନିମାପଡା ବ୍ଳକ ତୁଳସୀପୁର ଗ୍ରାମ ରଥଯାତ୍ରା ଆସିଲେ ଗାଁ ହୋଇପଡେ ଚଳଚଞ୍ଚଳ। ଆଜକୁ ୧୦୦ ବର୍ଷ ରୁ ଉର୍ଦ୍ଧ ହେବ ପାଳିତ ହୋଇ ଆସୁଛି ରଥଯାତ୍ରା। ତେବେ ଉକ୍ତ ଗ୍ରାମର ଗ୍ରାମବାସୀ ମାନେ ରଥ ନିର୍ମାଣ କରି ସାରିବା ପରେ ଯାଇ ପହଞ୍ଚନ୍ତି ଗ୍ରାମ ଠାରୁ ୩/୪ କିଲୋମିଟର ଦୂର ପ୍ରାଚୀନଦୀ କୂଳ ବନ୍ଦେଶ୍ୱର ଗ୍ରାମ ରେ। ସେଠାରେ ପୂଜାପାଇ ଆସୁଥିବା ପ୍ରଭୁ ଶ୍ରୀ ଗୁରୁଦେବ ଠାକୁରଙ୍କୁ ନବ ବସ୍ତ୍ର ପିନ୍ଧାଇ, ପୁଷ୍ପ, ଅଳଙ୍କାରରେ ଭୂଷିତ କରାଇ ତାଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗି କରାଇ ଏକ ସୁସଜ୍ଜିତ ପାଲିଙ୍କିରେ ବାଣ ଫୁଟାଇ, ବାଜା ବଜାଇ ଏକ ଶୋଭାଯାତ୍ରା ରେ ନିଜ ଗାଁ କୁ ଆଣି ସ୍ୱତନ୍ତ୍ର ପୂଜା କରାଯାଏ।

ଶେଷରେ ଛେରା ପହଁରା ନୀତି ସରିଲା ପରେ ରଥ ଟଣା ଆରମ୍ଭ ହୁଏ। ଠାକୁର ଘର ଘର ଭୋଗ ଖାଇ ଶେଷରେ ପହଞ୍ଚିଥିଲେ ଗାଁ ର ଆରାଧ୍ୟା ଦେବୀ ମା କନକ ଦୂର୍ଗା ଙ୍କ ମନ୍ଦିର ରେ। ସେହି ଦେବୀ ପୀଠ ୯ ଦିନ ପାଇଁ ପାଲଟିଯାଏ ଶ୍ରୀ ଗୁଣ୍ଡିଚା ମନ୍ଦିର ଭାବେ। ମା କନକ ଦୂର୍ଗା ଙ୍କ ମନ୍ଦିର ରେ ଅବସ୍ଥାନ କରୁଥିବା ଶ୍ରୀ ଗୁରୁଦେବ ଠାକୁର ଙ୍କ ନିକଟରେ ଗ୍ରାମବାସୀ ମାନେ ପାଳି କରି ଅନ୍ନ ପ୍ରସାଦ, ଖିରି ଭୋଗ ଲାଗି କରିବେ। ରଥ ଉପରେ ସୁନାବେଶ,ଅଧରପଣା ନୀତି ପାଳନ ହେବା ପରେ ନିଳାଦ୍ରୀ ବିଜେ ଦିନ ଠାକୁର ଙ୍କୁ ପାଲିଙ୍କି ରେ ବସାଇ ଏକ ଶୋଭାଯାତ୍ରା ରେ ତାଙ୍କ ବନ୍ଦେଶ୍ୱର ସ୍ଥିତ ମନ୍ଦିରକୁ ନେଇ ଗ୍ରାମବାସୀ ମାନେ ଛାଡି ଆସିବେ। ୯ଦିନ ପାଇଁ ତୁଳସୀପୁର ବ୍ରାହ୍ମଣ ଶାସନ ପାଲଟିଯାଏ ଦ୍ୱିତୀୟ ଶ୍ରୀ କ୍ଷେତ୍ର। ରଥଯାତ୍ରା ପାଇଁ ଗାଁ ଟି ଉତ୍ସବ ମୁଖର ହୋଇପଡେ।

You might also like