ଦର୍ଶକଙ୍କୁ ଆକର୍ଷିତ କରୁଛି କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଆକର୍ଷଣ ପାଲଟିଛି ଚାନ୍ଦି ମେଢ

କେନ୍ଦ୍ରାପଡା: ଜମୁଛି କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଦିନକୁ ଦିନ ପୂଜା ବଜାରରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ । ତେବେ ପୂଜାର ଆକର୍ଷଣ ପାଲଟିଛି  ଚାନ୍ଦି ମେଢ । ବିଭିନ୍ନ ପୂଜାମଣ୍ଡପରେ ଶୋଭା ପାଉଛି ଭଳିକି ଭଳି ଡିଜାଇନ୍‌ର ଆକର୍ଷଣୀୟ ଚାନ୍ଦିମେଢ ଓ ମୁକୁଟ । କେନ୍ଦ୍ରାପଡା ସହରର ପ୍ରାୟ ୬ ଗୋଟି ପୂଜା ମଣ୍ଡପରେ ମା’ଙ୍କର ସମ୍ପୂର୍ଣ୍ଣ ଚାନ୍ଦି ଗହଣା ସମେତ ମେଢ ପ୍ରସ୍ତୁତ କରାଯାଉଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ମେଢ ଏବେ ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି ।

କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଚାନ୍ଦିମେଢ । ବିଭିନ୍ନ ମଣ୍ଡପରେ ଚମକୁଛି ଭଳିକି ଭଳି ଡିଜାଇନର ଚାନ୍ଦିମେଢ଼ । ରୁପା।ଚାନ୍ଦିରେ  ସୂକ୍ଷ୍ମ ତାରକସୀ କାରୁକାର୍ଯ୍ୟ ଦେଖିବା ପାଇଁ ମଣ୍ଡପ ନିକଟରେ ପ୍ରବଳ ଭିଡ ଜମୁଛି । କଟକୀ କାରିଗରଙ୍କ ହାତ ତିଆରି ତାରକସି ମେଢ ଏବେ କେନ୍ଦ୍ରାପଡାର ପୂଜା ବଜାରକୁ ବେଶ ଆକର୍ଷଣୀୟ କରିଛି । ବିଭିନ୍ନ ପୂଜାମଣ୍ଡପ ବୁଲି ଶ୍ରଦ୍ଧାଳୁ ଏହି ଚାନ୍ଦିମେଢକୁ ଭରପୁର ଉପଭୋଗ କରୁଛନ୍ତି । ଚଳିତ ବର୍ଷ ୬ ଗୋଟି ପୂଜା ମଣ୍ଡରେ ସମ୍ପୂର୍ଣ୍ଣ ଚାନ୍ଦିମେଢ ଶୋଭା ପାଉଛି । ସହରର ଖଡିଅଙ୍ଗ ପୂଜା ମଣ୍ଡପ ସମେତ କାକଟ ମଙ୍ଗଳା କ୍ଲବ୍, ବିମଳାଇ ପୂଜା ସମିତି, ମଢିଆଳ ଗଙ୍ଗା ଭାଗିରଥୀ, ସାନମଙ୍ଗଳା ସ୍ଥିତ ଓମ୍ ରାଧାକୃଷ୍ଣ ଓ ବାସୁଳାଇ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ସମ୍ପୂର୍ଣ୍ଣ ଚାନ୍ଦିମେଢ କରାଯାଇଛି । ସୂକ୍ଷ୍ମ ତାରକସି କାରୁକାର୍ଯ୍ୟରେ ଚିକ୍ ମିକ୍ ରଂଗୀନ ପଥର ଦର୍ଶକଙ୍କୁ ବିମୋହିତ କରି ଦେଉଛି । ଦୂରଦୂରାନ୍ତରୁ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମେଢ ଦେଖିବା ପାଇଁ ଧାଇଁ ଆସୁଛନ୍ତି । ମେଢ ବ୍ୟତୀତ ମା’ ଲକ୍ଷ୍ମୀଙ୍କର ବିଭିନ୍ନ ଗହଣା ସମେତ ମୟୁର, ପ୍ରଜାପତି, ମୁକୁଟ, ହାର, ନୋଥ ପ୍ରଭୃତି ଚାନ୍ଦିରେ ନିର୍ମାଣ କରାଯାଇଛି । କେତେକ ମଣ୍ଡପରେ ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ୟ ଚାନ୍ଦିର ଗହଣା ତିଆରି କରାଯାଇଛି । ଚାନ୍ଦିମେଢ ଦେଖିବା ପାଇଁ ଅଧିକ ଭିଡ ଜମୁଥିବାରୁ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପ୍ରାୟ ୧ କୁଇଣ୍ଟାରୁ ଉର୍ଦ୍ଧ୍ବ ଚାନ୍ଦିରେ ନିର୍ମାଣ କରାଯାଇଛି ଖଡିଅଙ୍ଗ ପୂଜା ମଣ୍ଡପର ମେଢ, ସେହିପରି କାକଟ ମଙ୍ଗଳା ମେଢରେ ପ୍ରାୟ ୧ କୁଇଣ୍ଟାଲ ୪୭ କିଲୋଗ୍ରାମ ଚାନ୍ଦି ବ୍ୟବହାର ହୋଇଛି । ବିମ୍ବଳାଇ ପୂଜା କମିଟିର ଚାନ୍ଦିମେଢରେ ପ୍ରାୟ ୧ କୁଇଣ୍ଟାଲ ୧୦ କିଲୋ ଚାନ୍ଦିରେ କରାଯାଇଛି । ବିଭିନ୍ନ ଚାନ୍ଦିମେଢର ନିର୍ମାଣ ବାବଦକୁ ୭୦ ଲକ୍ଷରୁ ଦେଢ଼ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି । ତେବେ ଯେଉଁ ପୂଜା ସମିତି ଗୁଡିକ ଚାନ୍ଦୀମେଢ ସମ୍ପୂର୍ଣ୍ଣ କରିଛନ୍ତି ସେମାନଙ୍କୁ ଦେଖି ଏବେ ଅନ୍ୟମାନେ ମନ ବଳାଇଲେଣି ଚାନ୍ଦିରେ ମେଢ ପ୍ରସ୍ତୁତ ପାଇଁ । ମଢିଆଳର ଗଙ୍ଗା ଭାଗିରଥୀ ପୂଜା ମଣ୍ଡପରେ ଦେବୀଙ୍କର ସୁନା ମୁକୁଟ ଶୋଭା ପାଉଛି ।

ସୁନା ଚାନ୍ଦିର ମେଢ ହେବା ପରେ ଏହାର ସୁରକ୍ଷା କଡାକଡି କରାଯାଇଛି । ଏହି ମେଢକୁ ଦେଖିବା ପାଇଁ ଦିନକୁ ଦିନ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଆୟୋଜକଙ୍କ ପାଇଁ ଆହ୍ବାନ ପାଲଟି ଯାଇଛି । ଏଥି ପାଇଁ ପୂଜା ମଣ୍ଡପରେ ସିସି କ୍ୟାମେରା ଲଗାଯାଉଛି ।

Also Read: ଚାଲିଛି ଧନଦାତ୍ରୀଙ୍କ ପୂଜା, ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଢେଙ୍କାନାଳ