ଗଜାନନଙ୍କ ଆଜ୍ଞା ଲଡ଼ୁ ପାଇବା ପାଇଁ ଏଠାରେ ପ୍ରତିବର୍ଷ ଚାଲେ ପ୍ରତିଯୋଗିତା, ଜାଣନ୍ତୁ ଏହି ଲଡ଼ୁର ମହତ୍ୱ

କୁହାଯାଏ ଠାକୁରଙ୍କ ଦର୍ଶନରେ ଯେମିତି ଆତ୍ମତୃପ୍ତି ମିଳେ ସେହିଭଳି ଠାକୁରଙ୍କ ପ୍ରସାଦ ସେବନରେ ମଧ୍ୟ ମାହାତ୍ମ୍ୟ ଥାଏ। ତାଳଚେରରେ ପ୍ରଭୁ ଗଜାନନଙ୍କ ଭସାଣି ରେ ଆଜ୍ଞା ଲଡୁର ନିଲାମ ପ୍ରାଚୀନ ପ୍ରଥା ରହିଆସିଛି।ସେଥିପାଇଁ ତ ପ୍ରତିବର୍ଷ ଏହି ଆଜ୍ଞା ଲଡୁକୁ ଲକ୍ଷ ଲକ୍ଷ ଟଙ୍କାରେ କିଣି ନିଅନ୍ତି ଭକ୍ତ। ଏହି ଆଜ୍ଞା ଲଡୁ ପଛରେ ରହିଛି ଅନେକ ବିଶେଷତ୍ଵ ,ଆସନ୍ତୁ ଜାଣିବା ଏହା ବିଷୟରେ।
ତାଳଚେରର ଗଣପର୍ବ ଗଣେଶ ପୂଜା । ଏହା ଅଞ୍ଚଳ ପାଇଁ ଯେତିକି ମହତ୍ୱ ରଖେ ସେହିପରି ଗଣେଶଙ୍କର ଆଜ୍ଞା ଲଡୁ ଓ ଆଜ୍ଞାମାଳ ଶ୍ରଦ୍ଧାଳୁଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ସେତିକି ମହତ୍ତ୍ୱ ରଖିଥାଏ । ତେଣୁ ପ୍ରଭୁ ଗଜାନନଙ୍କ ଲଡୁ ଭୋଗ ପାଇବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥାଏ ।
ତାଳଚେରରେ ରାଜା ରାଜୁଡା ସମୟରୁ ଆରମ୍ଭ ହୋଇଥିବା ଏହି ଗଣପର୍ବରେ ପ୍ରତ୍ୟକ ପୂଜା ମଣ୍ଡପ ଗୁଡିକୁ ଉତ୍ସାହିତ କରିବା ପାଇଁ ତତ୍କାଳୀନ ରାଜା ହୃଦୟ ଚନ୍ଦ୍ର ଦେବ ବିରବର ହରିଚନ୍ଦନ ପୁରସ୍କାର ବ୍ୟବସ୍ଥା କରିଥିଲେ । ସେହିପରି ଆଜ୍ଞା ଲଡୁ ଓ ଆଜ୍ଞାମାଳର ନିଲାମ ଡାକରା ପ୍ରଚଳନ ତାଳଚେର ପୌରପାଳିକାରେ ସେ ସମୟର ନଗରପାଳ ସ୍ବର୍ଗତ ରବି ନାହାକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବର୍ଗତ ରବି ପାଣି ପ୍ରଚଳନ କରିଥିଲା । ବର୍ତ୍ତମାନ ଯାହାକି ଏହା ଗଣପର୍ବର ପରମ୍ପରାରେ ପରିଣତ ହୋଇଛି ।
କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ୨୦୦୪ ଓ ୨୦୦୫ ମସିହା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏହା ଆହୁରି ଆକର୍ଷଣୀୟ ହେବାରେ ଲାଗିଛି ।ତେବେ ବିଶ୍ୱାସ ରହିଛି ପ୍ରଭୁ ଗଜାନନଙ୍କ ଏହି ଆଜ୍ଞା ଲଡୁ ଓ ଆଜ୍ଞାମାଳ ଯିଏ ବି ପ୍ରାପ୍ତି କରିଛି ତାର ଉତ୍ତରାତ୍ତର ଉନ୍ନତି ହୋଇଥିବା ଦେଖିବାକୁ ମିଳିଛି । ସେଥିପାଇଁ ଏହି ଲଡ଼କୁ ହାତେଇବା ପାଇଁ ବିଭିନ୍ନ ସଂଗଠନ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିରହିଥାଏ ।
ଚଳିତବର୍ଷ ପ୍ରଭୁ ଗଜାନନଙ୍କ ଦେଢ଼ ଟନ ବିଶିଷ୍ଟ ଆଜ୍ଞା ଲଡୁ ଓ ଆଜ୍ଞା ମାଳକୁ ହାତେଇବା ପାଇଁ ବିଭିନ୍ନ ସଂଗଠନ ମାନଙ୍କ ମଧ୍ୟରେ ବେଶ ପ୍ରତିଯୋଗିତା ଲାଗି ରହିଥିଲା । ନିଲାମ ଧରିବା ପାଇଁ ବେଶ କିଛି ସମୟ ମେଳଣ ପଡିଆ ଠାରେ ଛକା ପଞ୍ଝା ଦେଖିବାକୁ ମିଳିଥିଲା । ଶେଷରେ ତାଳଚେର କଣିହାଁ ଅଞ୍ଚଳର ଲାଲବାଗ ରାଜା 8 ଲକ୍ଷ 70 ହଜାର ଟଙ୍କାରେ ନିଲାମ ଧରିଥିଲେ । ପରେ ପରମ୍ପରା ଅନୁଯାୟୀ ତାଳଚେର ଜଗନ୍ନାଥ ମନ୍ଦିରରୁ କଣିହାଁ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରି ଏହି ଲଡୁକୁ ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରିଥିଲେ । ପ୍ରଭୁ ଗଜାନନଙ୍କ ପ୍ରସାଦ ସ୍ୱରୂପ ଏହି ଲଡୁକୁ ପାଇବାକୁ ରାସ୍ତାରେ ଶ୍ରଦ୍ଧାଳୁ ମାନଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା ।