ବାଲିଯାତ୍ରାରେ ଅପ୍ରୀତିକର ପରିସ୍ଥିତି: କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା ପୋଲିସ

କଟକ : କଟକ ବାଲିଯାତ୍ରାରେ ଅପ୍ରୀତିକର ପରିସ୍ଥିତି । ବନ୍ଦ୍ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା ପୋଲିସ । ସମୟ କଟକଣାକୁ ନେଇ କଟକ ବାଲିଯାତ୍ରାରେ ଏଭଳି ସ୍ଥିତି ଉପୁଜିଛି । ରାତି ୧୦ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ପାଇଁ ନିର୍ଦ୍ଦେଶ ଥିବାରୁ କମିଶନରେଟ ପୋଲିସ ପକ୍ଷରୁ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଇଥିଲା ।

ସୂଚନା ଅନୁସାରେ ଶନିବାର ବୈଷ୍ଣବ ପାଣି ମଞ୍ଚ ନିକଟରେ ଥିବା ଷ୍ଟେଜ୍‌ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା ।  ଏହି କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରୁଥିଲେ ଅସୀମା ପଣ୍ଡା ।  ତେବେ ୧୦ଟା ପରେବି ସାଉଣ୍ଡ ବନ୍ଦ ହୋଇ ନଥିବାରୁ କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ ।   ଅପରପକ୍ଷରେ ଅତିରିକ୍ତ ଜିଲାପାଳ ଶିବା ଟପ୍ପୋ କହିଛନ୍ତି ଯେ କଟକ ବାଲିଯାତ୍ରାରେ ନିୟମାନୁସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଛି । ପୋଲିସ ପକ୍ଷରୁ ନିୟମାନୁସାରେ ପଦକ୍ଷେପ ନିଆଯାଇଛି ।

ତେବେ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଏକ ଘଣ୍ଟାର କାର୍ଯ୍ୟକ୍ରମ ଥିଲା ଏବଂ ଏହା ବିଳମ୍ବରେ ଆରମ୍ଭ ହୋଇଥିଲା ।  ଅଧାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଯିବାରୁ ଦର୍ଶକ ନିରାଶ ହୋଇ ଫେରିଯାଇଥିଲେ । କିଛି ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାତି ୧୨ଟା ପର୍ଯ୍ୟନ୍ତ ସମୟ ବୃଦ୍ଧି କରିବାକୁ ରାଜ୍ୟ ସରକାର ଅନୁମତି ଦେବା ଉଚିତ ବୋଲି ପ୍ରକାଶ କରିଥିଲେ ।  ଏ ଦିଗରେ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।

 

 

 

You might also like