ପବିତ୍ର ଦର୍ଶନୀୟ ସ୍ଥାନ ପାଲଟିଛି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ସୀତା କୁଣ୍ଡ, ଏଠାରେ ସ୍ନାନ କଲେ ଦୂର ହୁଏ ରୋଗ

ଦେଶର ବିଭିନ୍ନ ପ୍ରାନ୍ତରେ ରହିଛି ବିଭିନ୍ନ ପୌରାଣିକ ଓ ଐତିହାସିକ କିମ୍ବଦନ୍ତୀ । ଯାହା ଆଜି ପବିତ୍ର ଦର୍ଶନୀୟ ସ୍ଥାନ ପାଲଟିଛି । ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ସୀତା କୁଣ୍ଡ ବା ଦେବରକୁଣ୍ଡ ହେଉଛି ଅନ୍ୟତମ । କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ପିତା ଦଶରଥଙ୍କ ଆଦେଶ ଅନୁସାରେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ୧୪ ବର୍ଷ ବନବାସ ସମୟରେ ମାଆ ସୀତାଙ୍କ ସ୍ନାନ ପାଇଁ ଦେବର ଲକ୍ଷ୍ମଣ ନିଜର ଶର ମୁନରେ ସୃଷ୍ଟି କରିଥିଲେ ସେହି କୁଣ୍ଡ । ଆଉ ସେଥିପାଇଁ ସେହି କୁଣ୍ଡକୁ କୁହାଯାଏ ସୀତା କୁଣ୍ଡ ବା ଦେବରକୁଣ୍ଡ ।  ସାଳନ୍ଦୀ ନଦୀର ଗର୍ଭରେ ଥିବା ଏହି କୁଣ୍ଡରେ ସ୍ନାନ କଲେ ରୋଗ ଦୂର ହେବା ସହ ପାପ କ୍ଷୟ ହୋଇଥାଏ ବୋଲି  ବିଶ୍ବାସ ରହିଛି ।

ଭଦ୍ରକ ଜିଲ୍ଲାର କାଉପୁର ଓ ଦୈସିଂ ପଞ୍ଚାୟତ ଦେଇ ବହିଯାଇଛି ପୂଣ୍ୟତୋୟା ସାଳନ୍ଦୀ ନଦୀ । ଏହି ନଦୀର ମଧ୍ୟସ୍ଥଳୀରେ ରହିଛି ଏକ କୁଣ୍ଡ । କିଏ କହେ ଏହା ଦେବର କୁଣ୍ଡ ତ ଆଉ କିଏ କହେ ଏହା ସୀତା କୁଣ୍ଡ । ଲୋକକଥା ଅଛି ଏହି କୁଣ୍ଡରେ ସୀତା ମାତା ସ୍ନାନ କରିଥିଲେ । ସେଥିପାଇଁ ଏହି କୁଣ୍ଡର ନାମ ଦିଅର କୁଣ୍ଡ ବା ସୀତା କୁଣ୍ଡ ।  ପ୍ରତିବର୍ଷ ଭୌମ୍ୟ ଏକାଦଶୀ ଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସି ବୁଡ଼ ପକାନ୍ତି । ପରେ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା । ୭  ଦିନ ଧରି ଚାଲେ ଏହି ମେଳା । ଏଥିପାଇଁ ସମସ୍ତ ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି । ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି କୁଣ୍ଡରେ ବୁଡ ପକାଇଛନ୍ତି ।  ବିବାହ ସମୟରେ ରଖିଥିବା ଫୁଲକୁ ଏହି ପବିତ୍ର କୁଣ୍ଡ ବା ଜଳରେ ଭସାଇ ଦେଲେ ବୈବାହିକ ଜୀବନ ଖୁସିରେ ଭରିଯାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଏଠାରେ ନବ ବିବାହିତ ଲୋକମାନେ ଅଧିକ ସଂଖ୍ୟାରେ ଆସିଥାନ୍ତି । ସେହିପରି ଏଠାରେ ରାମଚନ୍ଦ୍ରଙ୍କର ମନ୍ଦିର ଅଛି । ଏଠାରେ ଶ୍ରୀରାମ, ସୀତା ଓ ଲକ୍ଷ୍ମଣ ପୂଜା ପାଇଥାନ୍ତି । ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ବୁଡ ପକାଇ ଆସି ପ୍ରଭୁ ଶ୍ରୀରାମଙ୍କ ଆଶିଷ ଲାଭ କରିଥାନ୍ତି ।

ସେହିପରି ଭଦ୍ରକ ଜିଲ୍ଲା କାଉପୁରରେ ଦେବରକୁଣ୍ଡ ନାମରେ ପ୍ରସିଦ୍ଧି ଲାଭ କରିଛି ଏହି ମେଳା । ବହୁ ଦୂର ଦୂରାନ୍ତରୁ ବ୍ୟବସାୟୀମାନେ ଧାଇଁ ଆସନ୍ତି ଏହି ମେଳାକୁ । ଭଦ୍ରକ ବ୍ୟତୀତ ବାହାର ଜିଲ୍ଲାରୁ ମଧ୍ୟ ବହୁ ଶ୍ରଦ୍ଧାଳୁମାନେ ଏଠାକୁ ଛୁଟି ଆସନ୍ତି ।  ଘର କରଣା ଜିନିଷ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ମନୋରଞ୍ଜନର ସମସ୍ତ ସୁବିଧା ଏଠାରେ ମିଳେ । ଭଳିକି ଭଳି ସୁସ୍ବାଦୁ ଖାଦ୍ୟ ଏଠାରେ ମିଳେ । ଏପରିକି ଅପେରା ସୋ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ପରିସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି । କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ।

ବାସ୍ତବିକ ଏହି ପବିତ୍ର ସୀତା କୁଣ୍ଡର ପବିତ୍ରତା ଉପରେ ବର୍ଷକୁ ବର୍ଷ ଶ୍ରଦ୍ଧାଳୁଙ୍କ ଭରସା ବଢ଼ି ଚାଲିଥିବାବେଳେ  ଦେବର କୁଣ୍ଡ ମେଳାର ପ୍ରସିଦ୍ଧି ମଧ୍ୟ ସେହିପରି ବ୍ୟାପକ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।