ଭୁବନେଶ୍ବର (କେନ୍ଯୁଜ୍ ) : ପ୍ରଧାନବିଚାପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ଆଜି ସୁପ୍ରିମକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଯୁବ ଆଇନଜୀବୀଙ୍କ ଉଦ୍ଦେଶ୍ୟରେ ସେ ବାର୍ତ୍ତା ଦେଇଛନ୍ତି । କହିଛନ୍ତି ଆଇନର ସମୟ ଅନୁଯାୟୀ ପରିବର୍ତ୍ତନ ହେବା ଦରକାର । ଏଥିସହ ଆଇନ ଆଖିରେ ସମସ୍ତେ ସମାନ । ଗରିବର ଲୁହ ଯେତିକି ପୀଡ଼ାଦାୟକ, ଧନୀର ଲୁହ ମଧ୍ୟ ସେତିକି କଷ୍ଟଦାୟକ । ତେଣୁ ସେହି ଅନୁସାରେ ସମସ୍ତଙ୍କୁ ସମାନ ନ୍ୟାୟ ମିଳିବା ଦରକାର ବୋଲି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି ।
ସୁପ୍ରିମକୋର୍ଟର ୪୫ ତମ ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଆଜି ଶେଷ କାର୍ଯ୍ୟ ଦିବସରେ ସେ ପରବର୍ତ୍ତୀ ପ୍ରଧାନବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ସହ ୨୫ ମିନଟ୍ ଧରି କୋର୍ଟରେ ଶେଷ ଶୁଣାଣି କରିଛନ୍ତି । ଗତ କିଛି ଦିନ ମଧ୍ୟରେ ଆଧାର, ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ଜଷ୍ଟିସ ଦୀପକ ମିଶ୍ର ।
ସୁପ୍ରିମକୋର୍ଟର ୪୫ ତମ ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ର । ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଭାବେ ଏକ ବର୍ଷ ଏକ ମାସର କାର୍ଯ୍ୟକାଳ । ଏହି କାର୍ଯ୍ୟକାଳ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଦେଇ ସେ ସାରା ଦେଶରେ ବେଶ୍ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଗତ ୨୮ ତାରିଖରେ ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ହଟାଇବାଠାରୁ ଆରମ୍ଭ କରି ପରକୀୟା ପ୍ରୀତି ବା ଆଇପିସିର ଦଫା ୪୯୭କୁ ଅପରାଧ ଶ୍ରେଣୀରୁ ବାଦ୍ ଦେବା ହେଉଛି ସବୁଠାରୁ ତାଙ୍କର ବଡ଼ ରାୟ। ସେହିପରି ଗତ ମାସ ୨୬ ତାରିଖରେ ଆଧାରକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ଓ କୋର୍ଟ ରୁମରୁ ସିଧା ପ୍ରସାରଣ ଉପରେ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। ସେହିପରି ସରକାରୀ ଚାକିରୀ ସଂରକ୍ଷଣରେ ଅନୁସୂଚିତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ମଧ୍ୟ କ୍ରିମି ଲେୟାର ବ୍ୟବସ୍ଥା ସଂପର୍କରେ ଦେଇଛନ୍ତି ରାୟ । ଏଥିସହ ଗତ ମାସ ୬ ତାରିଖରେ ସମଲିଙ୍ଗୀ ଯୌନ ସଂପର୍କକୁ ନେଇ ଆଇପିସିର ଦଫା ୩୭୭କୁ ଅପରାଧ ଶ୍ରେଣୀରୁ ବାଦ୍ ଦେବା ସଂପର୍କରେ ଦେଇଛନ୍ତି ରାୟ।
ସେହିପରି ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ମୃତ୍ୟୁଦଣ୍ଡାଦେଶ ନେଇ ତଳକୋର୍ଟର ରାୟକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ। ଏହା ସହ ପଦ୍ମାବତ ଫିଲ୍ମ ଉପରେ ପ୍ରତିବନ୍ଧକ ହଟାଇବା ସଂପର୍କରେ ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସହ ରାଜ୍ୟ ସରକାରଙ୍କୁ ଫିଲ୍ମ ରିଲିଜ ପାଇଁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଇସ୍ଲାମରେ ମସ୍ଜିଦରେ ନମାଜ ପାଠ ଅନିର୍ବାଯ୍ୟ ନୁହେଁ । ଏ ସଂପର୍କିତ ରାୟକୁ କାଏମ ରଖିବା ସହ ଆଯୋଧ୍ୟା ଜମି ବିବାଦ ମାମଲାର ତରନ୍ତ ଶୁଣାଣି ପାଇଁ ନିକଟରେ ପ୍ରଧାନବିଚାରପତିଙ୍କ ନେତୃତ୍ୱାଧୀନ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦେଇଛନ୍ତି ନିର୍ଦ୍ଦେଶ।
୧୯୭୭ ଫେବ୍ରୁଆରୀରେ ଓଡ଼ିଶା ହାଇକୋର୍ଟରୁ ଜଷ୍ଟିସ ଦୀପକ ମିଶ୍ର ଓକିଲାତି କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୬ ମସିହାରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ଜଜ୍ ହୋଇଥିଲେ ଦୀପକ ମିଶ୍ର । ୧୯୯୭ ମସିହା ଡିସେମ୍ବରରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ଜଜ୍ ହୋଇଥିଲେ। ୨୦୦୯ ଡିସେମ୍ବରରେ ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ ଜଷ୍ଟିସ ଦୀପକ ମିଶ୍ର । ତାପରେ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୧ ଅକ୍ଟୋବର ୧୦ରେ ସୁପ୍ରିମକୋର୍ଟର ଜଜ୍ ହୋଇଥିଲେ ସେ । ୨୦୧୭ ଅଗଷ୍ଟ ୨୮ ତାରଖରେ ଜଷ୍ଟିସ ଦୀପକ ମିଶ୍ର ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୧୩ ମାସ ଧରି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଭାବେ ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ବେଶ ଘଟଣା ବହୁଳ ଥିଲା। ସେ ହେଉଛନ୍ତି ସୁପ୍ରିମକୋର୍ଟର ତୃତୀୟ ଓଡ଼ିଆ ପ୍ରଧାନବିଚାରପତି । ଏଥିସହ ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ର ପୁତୁରା ।