ଚାଷୀ ଜୀବନ ହାରିଥିବା ଅଭିଯୋଗ, ଫସଲ ନଷ୍ଟରୁ ଅଘଟଣ

ଜଗତସିଂହପୁର : ଫସଲ ନଷ୍ଟ ଯୋଗୁ ଜଣେ ଚାଷୀ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ତଂଅରା ଗାଁର ଅଶୋକ ପରିଡ଼ା ଫସଲ ନଷ୍ଟ ଯୋଗୁ ଜୀବନ ହାରିଥିବା ଅଭିଯୋଗ ହୋଇଛି । ନିଜର ଛଅ ଏକର ବିଲ ଓ ଭାଗ ଚାଷ ଆକାରରେ ଚାରି ଏକର ଧାନ ଚାଷ କରିଥିବା ବେଳେ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ଅଧାରୁ ଅଧିକ ଫସଲ ନଷ୍ଟ ହୋଇଯାଇଛି ।
ଅନ୍ୟପଟେ ଧାର କରଜ କରି ଚାଷ କରିଥିବା ଅଶୋକ ପରିଡ଼ା ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପରିବାର ହିସାବରେ ବୁଢ଼ୀ ମା’ ପତ୍ନୀ ଓ ସାତ ବର୍ଷର ଝିଅ ରହିଛନ୍ତି । ଅଶୋକ ପରିଡ଼ା ହିଁ ପରିବାରର ଜଣେ ରୋଜଗାର ମାଧ୍ୟମ ଥିଲେ । ଏ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।