Farmer Awareness Program : ଘରୋଇ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଶିକ୍ଷା ’ଓ’ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଅଧୀନ କୃଷି ମହାବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ରୀ ଗୋଷ୍ଠି ଜି ୩ ର ଛାତ୍ରୀମାନେ ଗ୍ରାମୀଣ କୃଷି କାର୍ଯ୍ୟ ଅନୁଭୂତି କାର୍ଯ୍ୟକ୍ରମର ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ବାଲିଅନ୍ତା ବ୍ଲକର ପୁରୋହିତପୁର ଗ୍ରାମରେ “ସୁରକ୍ଷିତ ରାସାୟନିକ ବ୍ୟବହାର, ସୁସ୍ଥ ଫସଲ ଓ ସୁସ୍ଥ ଜୀବନର ଆଧାର” ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଥିଲେ ।

ଏହି ଅବସରରେ ଛାତ୍ରୀମାନେ ସଚେତନତାମୂଳକ ପ୍ଲାକାର୍ଡ ପ୍ରଦର୍ଶନ କରି ଗ୍ରାମ ପରିକ୍ରମା କରିଥିଲେ । ଛାତ୍ରୀମାନେ “ରାସାୟନିକ ସୁରକ୍ଷା ଆମର ସଂକଳ୍ପ; ସୁସ୍ଥ ଚାଷ ହେଉ ଆମର ବିକଳ୍ପ”, “ଲେବଲ୍ ପଢ଼, ଡୋଜ୍ ମାନ; ସୁରକ୍ଷିତ ହେବ ଚାଷୀ ପ୍ରାଣ”, “ମାସ୍କ , ହାତ ମୋଜା, ବୁଟ୍ ପିନ୍ଧନ୍ତୁ ଭାଇ; ସୁରକ୍ଷିତ ଚାଷର ସଫଳତା ପାଇଁ”, “ଆଜିର ସତର୍କତା, କାଲିର ହସ; ସୁରକ୍ଷିତ ଚାଷୀ, ସୁନ୍ଦର ଭବିଷ୍ୟତ” ପ୍ରଭୃତି ସଚେତନତାମୂଳକ ସ୍ଲୋଗାନ ଦେଇ ଗ୍ରାମବାସୀଙ୍କୁ ରାସାୟନିକ ପଦାର୍ଥର ସୁରକ୍ଷିତ ଓ ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନ କରିଥିଲେ ।

କାର୍ଯ୍ୟକ୍ରମର ଏକ ଅଭିନବ ପ୍ରୟାସ ଭାବେ ଚାରିଜଣ ଛାତ୍ରୀ ରିଷ୍ଣା, ରୋଶନୀ, ସ୍ୱାତୀ ଓ ସୁପ୍ରିୟା ଲାଲ, ହଳଦିଆ, ନୀଳ ଓ ସବୁଜ ରଙ୍ଗର ପୋଷାକ ପରିଧାନ କରି କୀଟନାଶକର ଚାରି ପ୍ରକାର ଲେବଲ୍‌ର ପ୍ରତୀକାତ୍ମକ ଉପସ୍ଥାପନା କରିଥିଲେ । ଏହି ସମୟରେ ଆଉ ଜଣେ ଛାତ୍ରୀ ଶ୍ରିପାଲି କୀଟନାଶକ ବ୍ୟବହାର ପୂର୍ବରୁ ଲେବଲ୍ ପଢ଼ିବା, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ (PPE) ବ୍ୟବହାର, ଖାଲି କୀଟନାଶକ ପାତ୍ରକୁ ତିନିଥର ଧୋଇ ସୁରକ୍ଷିତ ଭାବେ ନିଷ୍କାସନ କରିବା ଏବଂ କୀଟନାଶକର ସୁରକ୍ଷିତ ସଂରକ୍ଷଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ସହକାରୀ ପ୍ରାଧ୍ୟାପିକା ଡଃ ଦର୍ଶନା ପାତ୍ର ଓ ଡଃ ଅମ୍ରିତା ଦାସଗୁପ୍ତାଙ୍କ ତତ୍ତ୍ୱାବଧାନରେ ସଫଳତାର ସହ ସମ୍ପନ୍ନ ହୋଇଥିଲା ।

ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ମହାବିଦ୍ୟାଳୟର ଚତୁର୍ଥ ବର୍ଷର ଜି ୩ ର ଅନ୍ୟ ସମସ୍ତ ଛାତ୍ରୀମାନେ ମଧ୍ୟ ସକ୍ରିୟ ଭାବେ ସହଯୋଗ କରିଥିଲେ । ସମସ୍ତଙ୍କର ମିଳିତ ପ୍ରୟାସ ଫଳରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହେବା ସହ ଗ୍ରାମବାସୀ ଓ ଚାଷୀ ମାନଙ୍କ ମଧ୍ୟରେ ସୁରକ୍ଷିତ କୀଟନାଶକ ବ୍ୟବହାର, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ପରିବେଶ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।