ଅଦିନିଆ ବର୍ଷାରେ ନିଜ ଧାନ ଫସଲକୁ ନଷ୍ଟ ହେବାର ଦେଖି ସହିପାରିଲାନି ଚାଷୀ, ଚାଲିଗଲା ଜୀବନ

ପିପିଲି : ବାହୁନି ବାହୁନି କାନ୍ଦୁଛନ୍ତି ବୃଦ୍ଧା ଜଣଙ୍କ । ଥମିବାର ନା ଧରୁନାହାନ୍ତି । ଏପଟେ ଆଉ ଜଣେ ମହିଳା ନିସ୍ତବ୍ଧ ହୋଇ ଥରିବାକୁ ଲାଗୁଛନ୍ତି । କଣ ଘଟିଗଲା କେଇ ମୁହୂର୍ତ୍ତରେ । କିଏ କିଛି ବୁଝିପାରୁନାହାନ୍ତି । ସମସ୍ତଙ୍କ ଆଖିରେ ଲୁହ । ଖୁବ୍ ଖୁସି ମିଜାଜିଆ ମଣିଷଟିଏ ଥିଲେ । ନିଜ ବ୍ୟବହାରରେ ସମସ୍ତଙ୍କର ମନ ଜିତିଥିଲେ । କାନ୍ଧରେ କୋଦାଳ ଧରି ସକାଳ ହେଲେ କ୍ଷେତକୁ ବାହାରି ପଡନ୍ତି । କୋଦାଳରେ ମାଟି ହାଣି ଉର୍ବର କରନ୍ତି । କେତେବେଳେ ମୁଣ୍ଡ ଉପରେ ଟାଣ ଖରା ତ କେତେବେଳେ ଶୀତ କାକର । ତଥାପି ସେ ସବୁକୁ ଖାତିର ନକରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଫଳାଇଥିଲେ ସୁନାର ଫସଲ । କୁହାଯାଏ ଚାଷ ଅଛି ଯାହାର କି ଆନନ୍ଦ ତାହାର । ହେଲେ ଆଜି ସବୁ ସାରିଦେଇଛି ଅଦିନିଆ ଝଡ ।

ସହିପାରିଲେନି ଦୁଃଖ । ଧାର ଉଦ୍ଧାର କରି କେତେ କଷ୍ଟରେ ନିଜ ଜମିରେ କରିଥିଲେ ଫସଲ । ହେଲେ ଅଦିନିଆ ବର୍ଷାରେ ନିଜ ସୁନାର ଧାନ ଫସଲକୁ ନଷ୍ଟ ହେବାର ଦେଖି ସହି ପାରିଲାନି ଚାଷୀ । ଶେଷରେ ହାରିଦେଲେ ଜୀବନ । ପୁରୀ ଜିଲ୍ଲା ସତ୍ୟବାଦୀ ବିରାମଚନ୍ଦ୍ରପୁରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁର ପୂର୍ଣ୍ଣଚନ୍ଦ୍ର ଦଳାଇ । ବୟସ ୭୫ ବର୍ଷ । ଯାହାଙ୍କର ବିଲ ମୁଣ୍ଡରେ ହିଁ ଚାଲିଯାଇଛି ଜୀବନ । ଘଟଣା କଣ ବୁଝୁ ବୁଝୁ ସାମ୍ନାକୁ ଆସିଲା ହୃଦୟ ବିଦାରକ କାହାଣୀ ।

ଯାହା ସୂଚନା ମିଳିଛି, ପୂର୍ଣ୍ଣଚନ୍ଦ୍ର ନିଜ ଜମିରେ ଧାନ ଚାଷ କରିଥିଲେ । ଭଲ ଫସଲ ବି ହୋଇଥିଲା । ତେବେ ସବୁଦିନ ଭଳି ସକାଳୁ ସକାଳୁ ପୁଅକୁ ଡାକି ବିଲ ଆଡେ ବୁଲି ଯାଇଥିଲେ ପୂର୍ଣ୍ଣ । ସେଠାରେ ଯାଇ ଦେଖିଲାବେଳକୁ ଧାନ ବିଲ ବୁଡିଯାଇଛି ବର୍ଷା ପାଣିରେ । ଯାହାକୁ ଦେଖି ଦୁଃଖରେ ଭାଙ୍ଗିପଡିଥିଲେ ସେ । ନିଜ କଷ୍ଟ ଅର୍ଜିତ ଫସଲକୁ ଏଭଳି ନଷ୍ଟ ହେବାର ଦେଖି ସହିପାରିଲେନି ପୂର୍ଣ୍ଣ । ଦେଖୁ ଦେଖୁ ସେହି ବିଲ ମୁଣ୍ଡରେ ଟଳିପଡିଲେ । ସେଠାରୁ ଉପସ୍ଥିତ ଥିବା ପୂର୍ଣ୍ଣଙ୍କ ପୁଅ କିଛି ଗ୍ରମାବାସୀଙ୍କ ସହାୟତାରେ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ, ହେଲେ ସେତେବେଳକୁ ସବୁ ସରିସାରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଏଭଳି ଏକ ଖବର ଶୁଣିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଗାଁ । ଏମିତି ହଠାତ୍ ଏଭଳି ପରିସ୍ଥିତିରେ ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରାଣ ଚାଲିଯିବ କେହିବି ସହଜରେ ବିଶ୍ୱାସ କରିପାରୁନାହାନ୍ତି ।

ଏବେ ସମସ୍ତଙ୍କୁ ପର କରି ଆରପାରିରେ ପୂର୍ଣ୍ଣଚନ୍ଦ୍ର । ଏପଟେ ଧାର କରଜ କରି ଧାନ ଚାଷ କରିଥିଲେ । ଏବେ ପରିବାରର ଚିନ୍ତା କେମିତି ସୁଝିବେ ଋଣ? ପୂର୍ଣ୍ଣଚନ୍ଦ୍ରଙ୍କ ଦେହାନ୍ତ ପରେ ପୁରା ଅଞ୍ଚଳରେ ଏବେ ଖେଳିଯାଇଛି ଶୋକର ଛାୟା । ସକାଳେ ପରିବାର ସହିତ ହସ ଖୁସିରେ ବିତାଇଥିବା ମଣିଷଟି କେଇ ଘଣ୍ଟା ଭିତରେ ଆଉ ଦୁନିଆରେ ନାହିଁ । ଅଦିନିଆ ବର୍ଷା ସବୁ କିଛି ସାରିଦେଲା । ତେବେ ତୁରନ୍ତ ଏହି ପରିବାରକୁ ସରକାରଙ୍କ ପକ୍ଷରୁ କିଛି ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗାଁଲୋକେ ।