ମିଲର ଧାନ ରଖିବାକୁ ମନାକରିବାରୁ ହୃଦଘାତରେ ଚାଷୀଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର

ମିଲକୁ ଧାନ ବିକ୍ରି ପାଇଁ ନେଇଥିବା ବେଳେ ଚାଷୀ ଗଣେଶ ହଠାତ ଅସୁସ୍ଥ ହୋଇପଡ଼ିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ନିଆଗଲା କିନ୍ତୁ ସେଠାରେ ସବୁଦିନ ପାଇଁ ଆଖି ବୁଝିଦେଲେ ଗଣେଶ । ଗଣେଶ ନିଜ ଦୁଃଖକୁ କାହା ପାଖରେ କହିବା ଆଗରୁ ହିଁ ସମସ୍ତଙ୍କୁ ପର କରି ଚାଲିଗଲେ । ଧାର ଉଧାର କରି କେତେ କଷ୍ଟରେ ନିଜ ଜମିରେ ଫସଲ ଫଳାଇଥିଲେ । ହେଲେ ସବୁ ଧାନ ଉଜୁଡ଼ିଗଲା । ବର୍ଷକର ପୁଞ୍ଜି ଯେମିତି ନଷ୍ଟ ହୋଇଗଲା । ଧାନ ଗମି ଯାଇଥିବାରୁ ମିଲର ନେବା ପାଇଁ ମନା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।  ଏନେଇ ଗଣେଶଙ୍କୁ ଖୁବ୍ ଧକ୍କା ଲାଗିଥିଲା । ଆଉ ଧାନ ମିଲରେ ହିଁ ଗଣେଶଙ୍କ ଜୀବନ ଚାଲିଗଲା ।

ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଲେମ୍ଭାକୁମ୍ପା ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା। ମିଲକୁ ଧାନ ବିକ୍ରି ପାଇଁ ନେଇଥିବା ବେଳେ ଚାଷୀ ଗଣେଶ ଅସୁସ୍ଥ ହୋଇଥିଲେ । ଆଉ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ଚାକୁଣ୍ଡା ଗାଁର ଗଣେଶ ବିଷୋୟୀ ଗତକାଲି ସନ୍ଧ୍ୟା ସମୟରେ ନିଜର ଧାନବସ୍ତା ଗୁଡ଼ିକୁ ବିକ୍ରି କରିବା ପାଇଁ ଲେମ୍ଭାକୁମ୍ପା ଗାଁ ନିକଟ ଭବାନୀ ଶଙ୍କର ରାଇସ ମିଲକୁ ଯାଇଥିଲେ । ଧାନବସ୍ତାକୁ ଗାଡ଼ିରୁ ଓଲ୍ହାଇ ଓଜନ କରାଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଗଣେଶ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଗଣେଶଙ୍କୁ ଉଦ୍ଧାର କରି ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ।  ହେଲେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ଗଣେଶଙ୍କର ମୃତ୍ୟୁ ଘଟିଛି । ଗଣେଶଙ୍କ ଗମି ଧାନ ହୋଇଥିବାରୁ ମିଲର ନେବା ପାଇଁ ମନା କରିଥିଲେ। ଫଳରେ ଗଣେଶଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ମେଡିକାଲରେ ଉତ୍ତେଜନା କରିଥିଲେ । ପୋଲିସ ଓ ପ୍ରସାଶନ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ଏବେ କାହା ଭରସାରେ ଓ କେମିତି ଚଳିବ ଗଣେଶଙ୍କ ପରିବାର । ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । କିନ୍ତୁ ଗଣେଶଙ୍କ ଏଭଳି ମୃତ୍ୟୁରେ ସ୍ତବ୍ଧ ହୋଇପଡ଼ିଛି ପୂରା ଅଞ୍ଚଳ ।