ଅଭାବୀ ବିକ୍ରୀର ସମ୍ମୁଖୀନ ଚାଷୀ !

ଭୁବନେଶ୍ବର : ବର୍ଷା ଆରମ୍ଭ ହେଲାଣି, ଖରିଫ ଚାଷ ଲାଗି କିଛି ସ୍ଥାନରେ ବିହନ ବି ବୁଣା ହେଲାଣି। କିନ୍ତୁ ଏ ଯାଏଁ ଘୋଷଣା ହୋଇନି ଖରିଫ ଫସଲ ଲାଗି ସର୍ବନିମ୍ନ ସଂଗ୍ରହ ମୂଲ୍ୟ ବା ଏମଏସପି। ଏମ୍‌ଏସ୍‌ପିକୁ ଦେଖି ଚାଷୀ ନିଷ୍ପତ୍ତି ନିଅନ୍ତି, ଏଥର ଖରିଫରେ କଣ ଚାଷ କରିବେ। ଯାହାର ଏମ୍‌ଏସ୍‌ପି ଅଧିକ ସେହି ଚାଷ ପ୍ରତି ଆଗ୍ରହ ଅଧିକ ରହେ। ସାଧାରଣତଃ ଜୁନ ଦ୍ୱିତୀୟ ସପ୍ତାହ ସୁଦ୍ଧା ୨୩ଟି ଖାଦ୍ୟଶସ୍ୟ ଲାଗି ଏମ୍‌ଏସ୍‌ପି ଘୋଷଣା ହୁଏ। କିନ୍ତୁ ଏବେ ଜୁନ୍ ତୃତୀୟ ସପ୍ତାହ ଯାଇ ଚତୁର୍ଥ ସପ୍ତାହ ଆରମ୍ଭ ହେଲାଣି । ଏ ଯାଏ ଏମ୍‌ଏସ୍‌ପି ସଂପର୍କରେ କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇ ପାରିନି।ଏହାକୁ ନେଇ ଚାଷୀ ଦ୍ୱନ୍ଦରେ ପଡିଛନ୍ତି। ୨୦୧୭-୧୮ରେ ଜୁନ୍ ୭, ୨୦୧୬-୧୭ରେ ଜୁନ ୧ରେ ଏମଏସପି ଘୋଷଣା ହୋଇଥିଲା।

ଦୁଇ ବର୍ଷ ହେବ ଦେଶରେ ଭଲ ଉତ୍ପାଦନ ହୋଇଥିଲା। କିନ୍ତୁ ବହୁ ଚାଷୀ ଉଚିତ ମୂଲ୍ୟ ପାଇ ନଥିଲେ । ଅଭାବୀ ବିକ୍ରୀର ସମ୍ମୁଖୀନ ହୋଇଥିଲେ । ଚାଷୀଙ୍କୁ ପ୍ରଲୋଭିତ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି, ଚାଷୀଙ୍କୁ ଉଚିତ ପ୍ରାପ୍ୟ ମିଳିବ । ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ଏମ୍‌ଏସ୍‌ପି ଦିଆଯିବ। ଚର୍ଚ୍ଚା ହେଉଛି ଏବେ ଦ୍ୱନ୍ଦ୍ୱରେ ସରକାର। ଏମ୍‌ଏସ୍‌ପି ବଢିଲେ, ମୁଦ୍ରାସ୍ଫୀତି ବଢିବାର ଭୟ ରହିଛି। ତେଣୁ ସରକାର ବର୍ତ୍ତମାନ ଠୋସ୍ ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ରାଜ୍ୟ ରାଜନୀତି ମଧ୍ୟ ବହୁ ସମୟରେ ସରଗରମ ହୋଇଛି। ବିଧାନସଭାରେ ହଟ୍ଟଗୋଳ ହୋଇଛି।

ଏମ୍‌ଏସ୍‌ପିକୁ କ୍ୱିଣ୍ଟାଲ ପିଛା ୨ହଜାର ୯୩୦ ଟଙ୍କା କରିବାକୁ ଦାବି କରି ଗତବର୍ଷ ବିଧାନସଭାରେ ସର୍ବସମ୍ମତିରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏ ପ୍ରସଙ୍ଗରେ ଆଲୋଚନା ଲାଗି, ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କଠାରୁ ସମୟ ମାଗିଥିଲା। କିନ୍ତୁ ମୋଦି ସମୟ ଦେଲେ ନାହିଁ। ପରେ କେନ୍ଦ୍ର କୃଷିମନ୍ତ୍ରୀ ଓଡ଼ିଶା ପ୍ରସ୍ତାବ ଗ୍ରହଣୀୟ ନୁହଁ ବୋଲି କହିଥିଲେ। ଚାଷୀଙ୍କ ଖର୍ଚ୍ଚ ସହ ସେମାନଙ୍କ ପରିବାରର ଶ୍ରମ ଖର୍ଚ୍ଚକୁ ହିସାବକୁ ନେଇ ଏମ୍‌ଏସ୍‌ପି ନିର୍ଦ୍ଧାରିତ ହୁଏ। ଯଦି କେନ୍ଦ୍ର ସରକାର ପ୍ରତିଶ୍ରୁତି ମୁତାବକ ଏମ୍‌ଏସ୍‌ପି ଧାର୍ୟ୍ୟ କରନ୍ତି ଏଥର ଧାନ କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି ହୋଇପାରେ । ୨୦୧୭-୧୮ରେ ଏମ୍‌ଏସ୍ପି ୧୫୫୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.