ପରିବା ଚାଷ କରି ଗଞ୍ଜାମ ଜିଲ୍ଲା ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଜିଲ୍ଲାର ସୋରଡା ଅଞ୍ଚଳ ଅନ୍ୟତମ । କାରଣ ଏହି ଅଞ୍ଚଳର ୮୦ ଭାଗ ଲୋକ ପନିପରିବା ଚାଷ କରନ୍ତି । ଏହି ଅଞ୍ଚଳରେ ବାଇଗଣ, ଟମାଟୋ, ବନ୍ଧାକୋବି, ଫୁଲକୋବି, କଖାରୁ, କଟିକିପୋଟଳ, ବୀନ୍ସ, ଜହ୍ନି, ଭେଣ୍ଡି ଓ କାଙ୍କଡ ଚାଷ କରାଯାଏ । ସବୁ ପରିବାକୁ ଚାଷୀ ସାର, ଖତ ଦେଇ କରିଥାନ୍ତି କିନ୍ତୁ କାଙ୍କଡ଼ ଉତ୍ପାଦନ କରିବା ପଦ୍ଧତି ଅଲଗା । ଆଧୁନିକ ଯୁଗରେ କାଙ୍କଡରେ ପ୍ରଜନନ କରିବା ଦ୍ଵାରା ହିଁ କାଙ୍କଡ ଆଦାୟ ହୋଇଥାଏ । ବିନା ପ୍ରଜନନରେ ଗଛରେ କାଙ୍କଡ ହୁଏ ନାହିଁ ।
ସୋରଡା ଅଞ୍ଚଳରେ ଅନେକ ପରିବାର ଅଛନ୍ତି ଯେଉଁମାନେ ପରିବା ଚାଷ କରି ବେଶ ଲାଭବାନ ହେଉଛନ୍ତି । ଲୋକଙ୍କ ଚାହିଦା ଦେଖି ଚାଷୀ ନୂଆ ପଦ୍ଧତିରେ ପରିବା ଚାଷ କରେ । କମ ସମୟରେ ପରିବା ଆଦାୟ କରି ଖାଉଟିଙ୍କୁ ସନ୍ତୁଷ୍ଟ କରିଥାଏ । କିନ୍ତୁ କାଙ୍କଡ ଚାଷରେ ସାର ଦେଲେ ମଧ୍ୟ ବିନା ପ୍ରଜନନରେ କାଙ୍କଡ ଆଦାୟ ହୁଏ ନାହିଁ । ସବୁ ପରିବା କ୍ଷେତରେ ଅଣ୍ଡିରା ଗଛ ଓ ମାଈ ଗଛ ରହିଥାଏ ଏବଂ ଏହାଦ୍ବାରା ପରିବା ଆଦାୟ ହୋଇଥାଏ କିନ୍ତୁ କାଙ୍କଡ ସବୁ ପରିବା ଠାରୁ ଭିନ୍ନ ।
ଗଛ ବଡ ହେବା ପରେ ଗଛକୁ ବାଉଁଶ କଣି ଦେଇ ମେଲାଇଥାଏ । ଗଛରେ ଫୁଲ ଆସିଲେ ସକାଳୁ ଚାଷୀ କ୍ଷେତକୁ ଯାଇ ଗଛରେ ଫୁଟିଥିବା ଅଣ୍ଡିରା ଫୁଲକୁ ତୋଳିଥାଏ । ପରେ ମାଈ ଗଛରେ ଫୁଟିଥିବା ଫୁଲର କେଶର ସହିତ ଅଣ୍ଡିରା ଫୁଲର କେଶରକୁ ଚାଷୀ ନିଜ ହାତରେ ଘସି ପ୍ରଜନନ କରିଥାଏ । ଯେଉ ଫୁଲର ପ୍ରଜଯନ ହୋଇନଥାଏ ସେହି ଫୁଲରେ ଥିବା କାଙ୍କଡ କଷି ଶୁଖିଯାଏ । ପ୍ରତିଦିନ ଚାଷୀ ଶହ ଶହ ଫୁଲକୁ ଏହି ପରି ପ୍ରଜନନ କରିଥାଏ । ପ୍ରଜନନ ହେବାର ସାତ ଦିନ ମଧ୍ୟରେ କାଙ୍କଡ ବଡ ହୁଏ ଆଉ ଚାଷୀ କାଙ୍କଡ ତୋଳି ବିକ୍ରି କରେ ।
ପ୍ରଜନନ ପକ୍ରିୟା କେବଳ ପଶୁ ,ପକ୍ଷୀ ଓ ମଣିଷମଧ୍ୟରେ ସୀମିତ ଥିବାବେଳେ କାଙ୍କଡ ଚାଷରେ ଏହି ପ୍ରଜନନ ହୋଇଥାଏ, ତାହା ପୁଣି ଚାଷୀ ନିଜ ହାତରେ କରିଥାଏ । ଆଧୁନିକ ଯୁଗରେ କେତେ କଣ ପରିବର୍ତ୍ତନ ହେଲାଣି କିନ୍ତୁ କାଙ୍କଡ ଚାଷରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି କାଙ୍କଡ କ୍ଷେତରେ ଅଣ୍ଡିରା ଓ ମାଈଗଛ ଗୋଟିଏ ସ୍ଥାନରେ ଥିଲେ ମଧ୍ୟ ଚାଷୀ ପ୍ରଜନନ ନକରିବା ଯାଏଁ କାଙ୍କଡ ହୁଏ ନାହିଁ । ଚାଷୀ ଏଭଳି କରି କାଙ୍କଡ ଉତ୍ପାଦନ କରିଥାଏ ଏବଂ ଭଲ ରୋଜଗାର ମଧ୍ୟ କରିଥାଏ । ଚାଷୀ କୋଡିଏ ହଜାରରୁ ପଚିଶି ହଜାର ଟଙ୍କା ଖର୍ଚ୍ଚ କରି ଏକ ଲକ୍ଷ ଟଙ୍କା ରୋଜଗାର କରିଥାଏ । ତେଣୁ ଏହି ଚାଷରେ ଯେତେ କଷ୍ଟ ହେଲେ ମଧ୍ୟ ଚାଷୀ ଅଧିକ ପରିମାଣରେ କାଙ୍କଡ ଚାଷ କରିଥାଏ ।