କୋଲ୍ଡ ରୁମରେ  ଫସଲ ସାଇତି ରଖୁଛନ୍ତି ଚାଷୀ, ସରକାରଙ୍କ ତରଫରୁ ପ୍ରୋତ୍ସାହନ

ବଜାରରେ ବିଭିନ୍ନ ପନିପରିବା ଉଚ୍ଚ ଦରରେ ବିକ୍ରି ହେଉଥିବା ବେଳେ ଅନେକ ସମୟରେ ଅଭାବୀ ଚାଷୀ ପରିବା ବିକ୍ରିକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏକା ସାଙ୍ଗରେ  ସମସ୍ତ  ଚାଷୀ ସମାନ ଫସଲ ଅମଳ କରୁଥିବାରୁ ତାର ଚାହିଦା ହ୍ରାସ ପାଇ ସ୍ବଳ୍ପ ମୂଲ୍ୟରେ ବିକ୍ରି ହୋଇଥାଏ । ଯାହାର ସିଧା ସଳଖ ପ୍ରଭାବ ଚାଷୀ ଉପରେ ପଡିଥାଏ । ତେବେ ଋତୁ ଅନୁଯାୟୀ  ଫସଲ କରୁଥିବା ଚାଷୀ ଯଦି ସମାନ ଫସଲକୁ ସାଇତି ରଖି ୨-୩ ମାସ ବିଳମ୍ବରେ ବିକ୍ରି କରିପାରନ୍ତା ତେବେ ସେ ନିଶ୍ଚୟ ଲାଭବାନ ହୋଇ ପାରନ୍ତା । ଏସବୁ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାରର ଆବଶ୍ୟକତା ଥିବା ବେଳେ କିଭଳି ସରକାରଙ୍କ ତରଫରୁ ଛୋଟ ଶୀତଳ ଭଣ୍ଡାର ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ମିଳୁଛି ।

ପିଲାବେଳରୁ ନିଜ ପରିବାରର କୌଳିକ ବୃତ୍ତି ଚାଷ କାମକୁ ବେସ୍ ପାଖରୁ ଦେଖି ଆସିଥିଲେ କେଉଁଝର ଆନନ୍ଦପୁର ଭଣ୍ଡାରିଡିଆ ଗାଁର ଯୁବକ ଦିଲ୍ଲିପ ଦାସ । ବଡ ହେବା ପରେ ପେଶା ରୂପେ ଆଉ କୌଣସିଥିରେ ମନ ନବଳାଇ କୌଳିକ ବୃତ୍ତି ଚାଷ କାମକୁ ଆଗେଇ ନେବାକୁ ମନସ୍ଥ କରି ସେଇଥିରେ ନିଜକୁ ସମର୍ପି ଦେଲେ। ଭିନ୍ନ ଭିନ୍ନ ଋତୁରେ ହେଉଥିବା ପରିବା ଫସଲ ନିଜ ଜମିରେ ଲଗାଇ ବେସ୍ ସଫଳତାର ସହ ତାକୁ ଉତ୍ପାଦିତ କରିପାରିଲେ । କେବଳ ନିଜ ଜମିରେ ନୁହଁ, ନିଜ ଗାଁ ତଥା ଆଖପାଖ ଅଞ୍ଚଳର କିଛି ଚାଷୀଙ୍କୁ ଏକତ୍ର କରି ମିଳିତ ଭାବେ ପନିପରିବା ଚାଷ ଆରମ୍ଭ କରିଛନ୍ତି ଦିଲ୍ଲିପ । ଚାଷ ପ୍ରତି ଦୁର୍ବଳତା ଥିବାରୁ ଚାଷ ସମ୍ବନ୍ଧୀୟ  ବିଭିନ୍ନ ସରକାରୀ ସେମିନାରରେ ଯୋଗ ଦେଇଥାନ୍ତି ଦିଲ୍ଲିପ ।

ସରକାରଙ୍କ ତରଫରୁ ଭୁବନେଶ୍ବର ଠାରେ ଆୟୋଜିତ ଏମିତି ଏକ ସେମିନାରରେ ଯୋଗଦେଇଥିବା ସମୟରେ ସୋଲାର କୋଲ୍ଡ ହାଉସ୍ ସମ୍ପର୍କରେ ଜାଣିବାକୁ ପାଇଥିଲେ । ସରକାରୀ ଯୋଜନାରେ ସ୍ବଳ୍ପ ବିନିଯୋଗ କରି ଏମିତି ଏକ ଶୀତଳ ଭଣ୍ଡାର ନିର୍ମାଣ କରିହେବ ଯେଉଁଥିରେ କି ଚାଷୀ ତାର ଉତ୍ପାଦିତ ଫସଲକୁ ଦୀର୍ଘଦିନ ଧରି ସାଇତି ରଖି ପାରିବ । ବାସ୍ ଏଇଠୁ ହିଁ ସତେ ଯେମିତି ଦିଲ୍ଲିପଙ୍କୁ ମିଳିଯାଇଥିଲା ସଫଳତାର ଚାବିକାଠି । ସେ ଠାରୁ ଫେରିବା ପରେ ଆଉ ସମୟ ବିଳମ୍ବ ନକରି ବିଭାଗ ସହ ଯୋଗାଯୋଗ କରି  ଆବେଦନ କରିବା ପରେ ଏବେ ତାଙ୍କ ବାଡିରେ ହୋଇପାରିଛି ଏକ ସୋଲାର କୋଲ୍ଡ ହାଉସ୍ । ଏଥିରୁ କେବଳ ଦିଲ୍ଲିପ୍ ଯେ ଉପକୃତ ହେଉଛନ୍ତି ତା ନୁହଁ ବରଂ ଆଖପାଖର ଅନେକ ଚାଷୀ ଏହି କୋଲ୍ଡ ରୁମ୍ ରେ  ନିଜ ଫସଲ ସାଇତି ରଖୁଛନ୍ତି ।

ରାଜ୍ୟରେ ଶୀତଳ ଭଣ୍ଡାର ସମସ୍ୟା ଯୋଗୁଁ  ଫସଲ ସଂରକ୍ଷଣରେ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସରକାରଙ୍କ ତରଫରୁ ଓପିକ୍ରା ଯୋଜନା ମାଧ୍ୟମରେ ସୋଲାର କୋଲ୍ଡ ରୁମ୍ ଯୋଗାଯାଉଛି । ସୌର ଶକ୍ତିରେ ଚାଳିତ ଏହି କୋଲ୍ଡ ରୁମ୍ ସମ୍ପୂର୍ଣ୍ଣ ଭାବେ ସ୍ବୟଂ ଚାଳିତ । ବିଜୁଳି ଶକ୍ତି ପରିବର୍ତ୍ତେ ଏଠି ବ୍ୟବହାର ହୋଇଥାଏ ସୌର ଶକ୍ତି । ୫ ମେଟ୍ରିକ୍ ଟନର ପନି ପରିବା ଏକାସାଙ୍ଗରେ ଏଠାରେ ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷିତ  ହୋଇପାରୁଛି । ଏହାର ଅନ୍ୟ ଏକ ଖାସ୍ କଥା ହେଉଛି ଏହାକୁ ମୋବାଇଲ୍ ଆପ ମାଧ୍ୟମରେ ନିୟନ୍ତ୍ରଣ  କରିହେଉଛି ।  ଆପଣ ଯେଉଁଠି ବି ଥାଆନ୍ତୁ ନା କାହିଁକି, ଆପଣଙ୍କ କୋଲ୍ଡ ରୁମ୍ ରେ ଥିବା ପନି ପରିବାର ଉଚିତ୍ ରକ୍ଷଣା ବେକ୍ଷଣ ଓ ତାପମାତ୍ରାର ନିୟନ୍ତ୍ରଣ  କରି ହେବ ।  ଯାହା ଫଳରେ ସଂରକ୍ଷିତ ଫସଲ ନଷ୍ଟ  ହେବା ନେଇ ଚାଷୀର ଚିନ୍ତା ଏବେ ଦୂର ହୋଇଛି । ଆଗ ଅପେକ୍ଷା ଚାଷୀର ବେପାରରେ ମଧ୍ୟ ଦୁଇ ପଇସା ଭଲ ଲାଭ ହେଉଛି ।

ଚାଷୀର ଅଭାବୀ ବିକ୍ରିରେ ସୁଧାର ଆଣିବା ପାଇଁ ଢେର ନୂଆ ସମ୍ଭାବନା ଆଣିଛି ଏହି ସୋଲାର କୋଲ୍ଡ ଷ୍ଟୋର । ଯଦି ପ୍ରତ୍ୟେକ ଗାଁରେ ଏଭଳି ଗୋଟିଏ ଲେଖାଏଁ କୋଲ୍ଡ ଷ୍ଟୋର ହୋଇପାରନ୍ତା ତେବେ ଚାଷୀର ଦୁଃଖ ଦୂର ହୋଇଯାଆନ୍ତା ।

 

You might also like