ନୂଆପଡା: ଗରିବ ବାପାର ନାଁ ରଖିଲା ଆମ ସୁନା ଝିଅ ଚଞ୍ଚଳା । ଚାଷୀଘର ମାଟିରୁ ସ୍ଥଳପଦ୍ମ ପରି ଫୁଟି ବାହାରିଲା ଆଉ ବାପାର ଝାଳବୁହା ପରିଶ୍ରମର ସୁନା ଫଳ ଦେଲା । ନାଁ ଚଞ୍ଚଳା, ସତରେ ଏ ଝିଅ ଲକ୍ଷ୍ମୀଟିଏ । ପାଠ ପଢି ଉଚ୍ଚ ପଦସ୍ଥ ଅଧିକାରୀ ହେଲେ ଆଉ ବାପାଙ୍କର ନାଁ ବି ରଖିଲେ । ହଁ ଦର୍ଶକବନ୍ଧୁ, ଚାଷୀ ଘର ଝିଅ ବନିବେ ଓଏଏସ୍ ଅଧିକାରୀ । ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୦୮ ନମ୍ବର ରାଙ୍କ ରଖିଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଭୁଲିଆସିକୁଆଁ ଗାଁର ଚଞ୍ଚଳା ମେହେର ।
ଗରିବ ଘରେ ଜନ୍ମ ହୋଇଥିବା ଏହି ଯୁବତିଜଣକ ନିଜ ପାଠପଢ଼ା ପାଇଁ ବହୁତ ସଂଘର୍ଷ କରିଥିଲେ ଆଉ ଆଜି ତାଙ୍କ ସ୍ଵପ୍ନ ପୂରଣ ହୋଇଛି । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଭୁଲିଆସିକୁଆଁ ଗାଁର ଚାଷି ମୁରଲିଧର ମେହେରଙ୍କ ଝିଅ ଚଞ୍ଚଳା ମେହେର ଚଳିତବର୍ଷ ଓଡିଶା ପ୍ରଶାସନିକ ସେବା ଆୟୋଗ ପରୀକ୍ଷାରେ ୨୦୮ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ଚଞ୍ଚଳା ମେହେର ଭୁଲିଆସିକୁଆଁ ଗାଁର ଚାଷି ମୁରଲିଧର ମେହେର ଓ ମାଆ ଲଳିତା ମେହେରଙ୍କ ଝିଅ । ସେ ପିଲାଟିବେଳରୁ ଜଣେ ମେଧାବୀ ଛାତ୍ରୀଥିଲେ । ବର୍ତ୍ତମାନ ସେ ଭୁବନେଶ୍ଵର ବରମୁଣ୍ଡା ସ୍ଥିତ ଯୁଗ୍ମ ନିର୍ଦ୍ଦେଶକ ଭାବେ ପ୍ଲାଣ୍ଟ ପ୍ରୋଟେକ୍ସନ ଅଫିସରେ ଅତିରିକ୍ତ କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ।
ଚଞ୍ଚଳାଙ୍କ ବାପା ମୁରଲୀଧର ମେହେରଙ୍କ ସ୍ଵପ୍ନ ଥିଲା ଝିଅ ଚଞ୍ଚଳା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ଦେଶ ତଥା ଲୋକଙ୍କ ସେବାରେ ନିୟୋଜିତ ହେଉ । ବାପାମାଆଙ୍କ ଏଭଳି ସ୍ଵପ୍ନକୁ ପୂରଣ କରିବା ପାଇଁ ଝିଅ ଚଞ୍ଚଳା ଦୃଢସଂକଳ୍ପ ଓ କଠିନ ପରିଶ୍ରମ ବଳରେ ଆଜି ଓଡିଶା ପ୍ରଶାସନିକ ସେବା ଆୟୋଗ ପରୀକ୍ଷାରେ ୨୦୮ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ଗୈାରବ ଆଣିଛନ୍ତି । ତାଙ୍କର ସଫଳତାର ଶ୍ରେୟ ସେ ତାଙ୍କ ବାପାମାଆ ଓ ତାଙ୍କ ସ୍ଵାମୀ ଆଦିତ୍ୟ କୁମାରଙ୍କୁ ଦେଇଛନ୍ତି ।
ଓଡିଶା ପ୍ରଶାସନିକ ସେବା ଆୟୋଗରେ ଚଞ୍ଚଳା ମେହେର ଭୁଲିଆସିକୁଆଁ ଗାଁର ପ୍ରଥମ ମହିଳା ଭାବେ ଉତ୍ତୀର୍ଣ୍ଣ ହୋଇ ଗାଁର ଗୈାରବ ଆଣିଥିବାରୁ ତାଙ୍କ ପରିବାରଲୋକେ ତଥା ଗ୍ରାମବାସୀ ବେଶ ଖୁସୀ ବ୍ୟକ୍ତ କରିଛନ୍ତି । ଏବେ ଚଂଚଳାଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।
Also Read: ରାଜଧାନୀରେ ପ୍ରବଳ ବର୍ଷା: ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି, ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା