ଦେବଗଡ: ବିଲରେ ଲହଡି ମାରୁଛି ସବୁଜ ଧାନ ଗଛ । କେଉଁଠି ଧାନ ଫୁଟି ବାହାରିଗଲାଣି ତ, ଆଉ କେଉଁଠି ବଡ କିସମ ଧାନ ବାହାରିବା ଅବସ୍ଥାରେ । ଚଳିତ ବର୍ଷ ଧାନ ଚାଷ ବିଳମ୍ୱ ବର୍ଷା ସତ୍ଵେ ବହୁ ଆଶା ସଞ୍ଚାର କରିଥିଲେ ଚାଷୀ । କେମିତି ଦିପଇସା ଭଲ ରୋଜଗାର ହେବ । ମାତ୍ର ବିଧିର ବିଧାନରେ ଅମଳକ୍ଷମ ଧାନ ଫସଲରେ ଚକଡା ପୋକ ପ୍ରାଦୁର୍ଭାବ ଯୋଗୁଁ ଏବେ ଚାଷୀ ପୁଣି ଥରେ ମୁଣ୍ଡରେ ହାତ ଦେଇଛି । ବଢିବାରେ ଲାଗିଛି ଚାଷୀର ଚିନ୍ତା ।
ସତ କହିବାକୁ ଗଲେ କେତେବେଳେ ସ୍ଵଳ୍ପ ବୃଷ୍ଟିପାତ ତ, କେତେବେଳେ ଅଦିନିଆ ବର୍ଷା କାରଣରୁ ଚାଷୀ ଘୋର କ୍ଷତିର ସମ୍ମୁଖୀନ ହେଉଛନ୍ତି । ଚଳିତ ବର୍ଷ ଜଙ୍ଗଲୀ ହାତୀ,ବାରହା ପରି ବନ୍ୟ ଜୀବଜନ୍ତୁଙ୍କ ପ୍ରାଦୁର୍ଭାବ କାରଣରୁ ରାତ୍ରୀ ଅନିଦ୍ରା ହୋଇ ଚାଷୀ ନିଜ ଅମଳ କ୍ଷମ ଫସଲର ସୁରକ୍ଷା କରିବାରେ ସକ୍ଷମ ହୋଇଥିଲେ ସୁଦ୍ଧା ଗତ କିଛି ଦିନ ହେଲା ଉକ୍ତ ଅଂଚଳରେ ଚକଡା ପୋକ ଲାଗି ପ୍ରାୟ ୯୦ ଏଳର ଚାଷ ଜମିରେ ଚାଷୀଙ୍କ ଫସଲ ନଷ୍ଟ କରିଛି । ଯାହାକୁ ନେଇ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଏହି ତିଲେଇବଣୀ ବ୍ଲକ ଜୁଆଳୀ ଭଙ୍ଗା ଗ୍ରାମରେ ।
ଏପଟେ ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ମନୋଜ କୁମାର ମାରଣ୍ଡିଙ୍କ ମତାମତ ଲୋଡିବାରୁ, ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ପ୍ରଦାନ କରାଯାଇଥିବାବେଳେ ଚକଡା ପୋକ ଲାଗି କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ କ୍ଷତି ଭରଣା ପାଇଁ ଉଚ୍ଚ କର୍ତୃପକ୍ଷଙ୍କ ସହ ଆଲୋଚନା ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବିରି ,ମୁଗ ଭଳି ଡାଲି ଜାତୀୟ ଚାଷରେ କୃଷି ବିଭାଗ ଭରଣା କରିବାକୁ ଉଦ୍ୟମ କରିବ ବୋଲି ସେ ମତପ୍ରକାଶ କରିଛନ୍ତି ।
ତେବେ ଚଳିତ ବର୍ଷ ଚାଷୀଙ୍କୁ ପୁଣି ଚକଡା ପୋକ ଦାଉ ସାଧିଲାଣି । ଚକଡା ପୋକ ସମସ୍ୟା ସମ୍ପର୍କରେ ବ୍ଲକରେ ଥିବା କୃଷି ଅଧିକାରୀଙ୍କ ସହାୟତା ନେଇ କୃଷି ଅଧିକାରୀଙ୍କ ପରାମର୍ଶରେ ଔଷଧ ସିଞ୍ଚନ କରିଥିଲେ ଚାଷୀ । କିନ୍ତୁ କୀଟନାଶକ ପ୍ରୟୋଗ ପରେ ମଧ୍ୟ ଏହା ଚକଡାକୁ ଦମନ କରିବାରେ ସକ୍ଷମ ହୋଇପାରିନାହିଁ । ଯାହାଫଳରେ ଭେଜାଲ କୀଟନଶକ ଯୋଗୁ ଚକଡା ପୋକ ଦମନ ହେଉ ନଥିବା ଏବେ ଚାଷୀ ଅଭିଯୋଗ କରିଛନ୍ତି ।