ଧାନର F.A.Q ମାନର ନିର୍ଦ୍ଧାରଣ ନେଇ ଚାଷୀ ମିଲର୍ ହେଲେ ମୁହାମୁହିଁ, ମଣ୍ଡିରୁ ଉଠି ପାରିଲା ନାହିଁ ଧାନ

ଆଠଗଡ଼ : ଧାନର F.A.Q ମାନର ନିର୍ଦ୍ଧାରଣ ନେଇ ଚାଷୀ ମିଲର୍ ମୁହାମୁହିଁ ।  ମଣ୍ଡିରୁ ଉଠି ପାରିଲା ନାହିଁ ଧାନ ।  ଆଠଗଡ଼ ବ୍ଲକ୍ କୁଲାଇଲୋ ସେବା ସମବାୟ ସମିତିରେ ଆଜି ପ୍ରଥମ ଦିନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଆଠଗଡ଼ ବ୍ଲକ୍ ର ସବୁଠୁ ବଡ଼ ମଣ୍ଡି ଭାବରେ ପରିଚିତ କୁଲାଇଲୋ ସେବା ସମବାୟ ସମିତି ରୁ ଗତ ବର୍ଷ ସତର ହଜାର କୁଇଣ୍ଟାଲ୍ ଧାନ କିଣା ଯାଇଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଏଭଳି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଚାଷୀ ମାନେ ।

ଧାନ ବିକ୍ରୟ ପାଇଁ ଏହି ମଣ୍ଡିରେ ସକାଳ ଆଠ ଘଟିକାରୁ ଚାଷୀ ମାନେ ଆସି ଥିବା ବେଳେ ଦିନ ତିନିଟା ପର୍ଯ୍ୟନ୍ତ ଉପାସ ଭୋକରେ ପଡ଼ି ରହିଛନ୍ତି ।  ଗୋଟିଏ ପଟେ ମିଲର ମଣ୍ଡିକୁ ଆସି ନଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟ ପଟେ ମିଲର କଟନି ଛଟନି କୁ ନେଇ ଆସୁ ନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି  ।  ଭୋକ ଉପାସରେ ମଣ୍ଡିରେ ବସିଥିବା ଚାଷୀମାନେ ଶେଷରେ ଉତ୍ୟକ୍ତ ହୋଇ କୁଲାଇଲୋ ସେବା ସମବାୟ ସମିତିର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି ।