ପାଟଣାଗଡ଼ : ଚାଷ କାମ ଯାହାର କେଡେ ସୁଖ ତାହାର, ସେହି ସିନା ଦୁନିଆକୁ ଯୋଗାଉଛି ଆହାର । ଏ ଉକ୍ତିଟି ଧୀରେ ଧୀରେ ଭୁଲ ପ୍ରମାଣିତ ହେବାକୁ ବସିଲାଣି। ଚାଷୀ ପାଇଁ ସବୁବେଳେ କେବଳ ଦୁଃଖ ହିଁ ଦୁଃଖ । କେତେବେଳେ ବର୍ଷା ତ କେତେବେଳେ ମରୁଡି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଥିବା ବେଳେ ଚାଷୀଙ୍କୁ ସାହାଯ୍ୟ ପାଇଁ ମୁହଁ ବୁଲାଇ ନେଉଛନ୍ତି ସରକାର । ଅନ୍ୟ ଉପାୟ ନପାଇ ନିଜ ଚାଷ ବଞ୍ଚାଇବା ପାଇଁ ଅଣ୍ଟା ଭିଡୁଛନ୍ତି ଚାଷୀ ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆଁ ଭଟପାଲି ରାସ୍ତାରେ ପଡେ ଅଡକ ନାଳ । ନାଳଟି ଯାଇ ସୁକ୍ତେଲ ନଦୀରେ ମିଶିଛି । ଯେତେବେଳେ ସୁକ୍ତେଲ ନଦୀରେ ବନ୍ୟା ପାଣି ଆସେ ସେତେବେଳେ ନାଳର ପାଣି ନିଷ୍କାସନ ହୋଇପାରେ ନାହିଁ ଯାହାଫଳରେ ପ୍ରତିବର୍ଷ ନାଳ ଆଡି ଭାଙ୍ଗିବା ହେତୁ ଲୋକଙ୍କ ଚାଷ ନଷ୍ଟ ହେଉଥିଲା । ଲୋୟର ସୁକ୍ତେଲ ଜଳସେଚନ ପ୍ରକଳ୍ପ ରେ ନଦୀରେ ବନ୍ଧ ପଡିଲା ପରେ ଚାଷୀଙ୍କ ସମସ୍ୟା ଅଧିକ ବଢ଼ିଯାଇଛି । ଏ ବର୍ଷ ବର୍ଷା ଆରମ୍ଭରୁ ହିଁ ନାଳ ଆଡିବନ୍ଧ ଭାଙ୍ଗିବା ଫଳରେ ଘାଇ ସୃଷ୍ଟି ହୋଇଯାଇଛି । ଚାଷୀ ରୋଇଥିବା ତଳି ପଚିଯିବା ଓ ବିଲ ମାଟିରେ ପୋତି ହୋଇଯିବା ସହି ପାରୁନାହାନ୍ତି ଚାଷୀ।
ପୂର୍ବରୁ ଅନେକଥର ଏହି ଅଡକ ନାଳର ଆଡି ବନ୍ଦ ଦୃଢ଼ୀକରଣ କରିବା ପାଇଁ ଚାଷୀମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେହି ଶୁଣୁନଥିବାରୁ ବର୍ଷା ଟିକିଏ କମିଥିବା ବେଳେ ନିଜ ଜମିର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଚାଷୀ । ନିଜ ନିଜ ମଧ୍ୟରେ କିଛି ଟଙ୍କା ଚାନ୍ଦା କରି ନିଜେ ଶ୍ରମଦାନ କରି ଏ ବର୍ଷ ଭାଙ୍ଗି ଯାଇଥିବା ନାଳର ଆଡିବନ୍ଦକୁ ସୁରକ୍ଷା ଦେବାକୁ ବାହାରିଛନ୍ତି କ୍ଷତିଗ୍ରସ୍ତ ହେଉଥିବା ଚାଷୀ । ନିଜେ ଫାଉଡ଼ା କୋଦାଳ ଧରି ବନ୍ଧ ବାନ୍ଧିବା ସହିତ ପ୍ରଶାସନକୁ ଆଡିବନ୍ଧ ଦୃଢ଼ୀକରଣ ପାଇଁ ପୁଣି ଥରେ କରିଛନ୍ତି ଅନୁରୋଧ। ପାଟଣାଗଡ଼ ବିଡ଼ିଓ ସମସ୍ତ ବିଷୟ ଶୁଣିବା ପରେ ଚାଷୀଙ୍କ ସମସ୍ୟା ଶୀଘ୍ର ଦୂର କରିବେ ବୋଲି ଦେଇଛନ୍ତି ପ୍ରତିଶୃତି ।
ଲୋୟର ସୁକ୍ତେଲ ଜଳସେଚନ ପ୍ରକଳ୍ପରେ ପାଣି ରଖିବା ପରେ ନଦୀରେ ପଡୁଥିବା ନାଳ ଗୁଡିକର ପାଣି ନିଷ୍କାସନ ହୋଇ ପାରୁନଥିବା ହେତୁ ନଦୀରେ ମିଶିଥିବା ନାଳ ଗୁଡିକର ଆଡିବନ୍ଧ ଭାଙ୍ଗି ଚାଷୀ ର ଚାଷ ନଷ୍ଟ ହେଉଛି ଏଣୁ ଲୋୟର ସୁକ୍ତେଲ ପ୍ରକଳ୍ପ ଉପରମୁଣ୍ଡ ରେ ମିଶୁଥିବା ସମସ୍ତ ନାଳର ଆଡିବନ୍ଧ କୁ ଦୃଢିକରଣ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ଚାଷୀ ।